March 10, 2026

ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ, ଜୟ ଢୋଲକିଆ ଶୁଣିବେ ଲୋକଙ୍କ କଥା, ମୁଁ ଶୁଣିବି ଜୟଙ୍କ କଥା’… 

IMG-20251107-WA0014
Share

 

 

 

ନୂଆପଡ଼ାର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ଜିଲ୍ଲାର ବିକାଶ ପାଇଁ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ହେବ। ସରକାରଙ୍କ ନୀତି ଓ ନିଷ୍ପତ୍ତି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ। ନୂଆପଡ଼ାର ବିକାଶ ଦାୟିତ୍ୱ ମୁଁ ନେଇଛି । ଏହାର ସର୍ବଙ୍ଗୀନ ଓ ସାମଗ୍ରିକ ବିକାଶ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ନୂଆପଡ଼ାବାସୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

 

ନୂଆପଡ଼ା ନିର୍ବାଚନମଣ୍ଡଳୀର କୋମନାଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିରୋଧୀ ଦଳ ନେତା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବେଇମାନ କହିଲେ । ବେଇମାନର ସଂଜ୍ଞା କଣ, ଏହା କେମିତି ଆସିଲା ? ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଏହା କି ପ୍ରକାର ଶାଳୀନତା ? ରାଜନୈତିକ ଚକ୍ରାନ୍ତ କରି ନିଜେ ନିଜ ଲୋକଙ୍କୁ ଠକିଛି ବିଜେଡି । ବିଜେଡି କେତେ ପ୍ରତାରଣା କରିଛି ତାହା ସମସ୍ତେ ଜାଣନ୍ତି । ନୂଆପଡ଼ାରେ ବିଜେଡିର କଣ ଯୋଗ୍ୟ ପ୍ରାର୍ଥୀ ନଥିଲେ ଯେ ବାହାରୁ ଆଣି ପ୍ରାର୍ଥୀ କରାଗଲା । ନୂଆପଡ଼ାର ଲୋକ କଣ ପ୍ରାର୍ଥୀ ହେବା ଜରୁରୀ ନୁହେଁ? ବିଜେଡି ହେଉଛି ପ୍ରାର୍ଥୀ ଚୋର । ବିଜେପୁରରେ କଂଗ୍ରେସ ନେତାକୁ ଆଣି ବିଜେଡି ପ୍ରାର୍ଥୀ କରିଥିଲା, କାକଟପୁରରେ ପ୍ରାର୍ଥୀ ଚୋରି କରିଥିଲେ । ସେତେବେଳେ ବିଜେଡି ବେଇମାନି କରିନଥିଲା କି ? ମନ୍ତ୍ରୀ ପଦ ଦେଖାଇ ପ୍ରାର୍ଥୀ ଚୋରି କରିଥିଲା ବିଜେଡି । ନର୍ଲା ଓ କେସିଙ୍ଗା କଂଗ୍ରେସ ନେତାଙ୍କୁ ନେଇଯାଇଥିଲା ବିଜେଡି । ବେଇମାନି ଆଉ ପ୍ରାର୍ଥୀ ଚୋରି କରିଥିଲା କିଏ? ଏହାର ସ୍ପଷ୍ଟ ଉତ୍ତର ବିଜୁ ଜନତା ଦଳ ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବେଇମାନ କହିବା ଅତ୍ୟନ୍ତ ନିନ୍ଦନିୟ । ଏହା ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଉନି। ପୂର୍ବ ସରକାର ରାଜ୍ୟରେ ୨୪ବର୍ଷ ଶାସନ କଲେ, ସେହି ତୁଳନାରେ ୧୬ ମାସରେ ବିଜେପି ସରକାରଙ୍କ ସଫଳତା ଅଧିକ । ସେମାନେ ବିରୋଧ ନାଁରେ କେବଳ ବିରୋଧ କରୁଛନ୍ତି। ନବୀନ ବାବୁ ସୋହେଲା ଠାରେ ନିଜେ ଘୋଷଣା କରିଥିବା ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କାର ବୋନସ୍ ଦେଇପାରିଲେନି । ଘୋଷଣା କରି ଚୁପ୍ ବସି ଯାଇଥିଲା ପୂର୍ବ ସରକାର । ବିଜେପି ସରକାରକୁ ଆସିବା ପରେ ବର୍ତମାନ ଧାନ କ୍ୱିଂଟାଲ ପିଛା ୩୧୬୯ ଟଙ୍କା ଚାଷୀକୁ ମିଳୁଛି । ନୂଆପଡା ଜିଲ୍ଲାରେ ସର୍ବାଧିକ ଧାନ କିଣା ଯାଇଛି । ରାଜ୍ୟରେ ୧୫୩ ପ୍ରତିଶତ ଧାନ କିଣା ହୋଇଛି । ମହିଳାଙ୍କ ପାଇଁ ପୂର୍ବ ସରକାରରେ କିଛି ଯୋଜନା ନଥିଲା । ଆମ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ୧କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେଉଛନ୍ତି।

 

ବିଜେଡି ଶାସନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉନଥିଲା। ଯଦି କେବେ ଥରେ ଅଧେବି ଖୋଲା ଯାଉଥିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବାକୁ ଆସୁନଥିଲେ। ଲୋକଙ୍କ ପାଖକୁ ଆମେ ଯାଉଛୁ, ଲୋକଙ୍କ ସମସ୍ୟା ବୁଝୁଛୁ । ବିରୋଧୀ ଦଳ ନେତା ଖାଲି ହାତ ହଲେଇ ‘ଆପଣମାନେ ଖୁସି ତ’ କହି ଆସୁଥିଲେ । ନୂଆପଡ଼ାବାସୀ କଣ ଖୁସି ହୋଇପାରିଲେ କି? ନୂଆପଡ଼ା ନିର୍ବାଚନର ଫଳାଫଳ ନିଶ୍ଚିନ୍ତ ଭାବେ ନୂଆପଡ଼ାର ବିକାଶ ଦିଗ ସ୍ପଷ୍ଟ କରିବ । ନୂଆପଡ଼ା ବିଧାନସଭା ସହ ନୂଆପଡ଼ା ଜିଲ୍ଲାର ବିକାଶ କରିବେ ଜୟ ଢୋଲକିଆ । ଆମ ସରକାରଙ୍କ ନିଷ୍ପତ୍ତି ପଦକ୍ଷେପକୁ ତୃଣମୂଳ ସ୍ତରରେ କରିବା ପାଇଁ ଜଣେ ଦକ୍ଷ ଓ ସମର୍ଥ ପ୍ରତିନିଧିର ଆବଶ୍ୟକତା ରହିଛି । ନୂଆପଡ଼ାର ସାମଗ୍ରିକ ବିକାଶ ପାଇଁ ଲୋକମାନଙ୍କ କଥା ଜୟ ଢୋଲକିଆ ଶୁଣିବେ, ଜୟ ଢୋଲକିଆଙ୍କ କଥା ମୁଁ ଶୁଣିବି; ଏହା ହେଉଛି ମୋର ଆପଣଙ୍କୁ ପ୍ରତିଶୃତି । ସେ ଆପଣଙ୍କ ଜନପ୍ରତିନିଧି ଭାବେ ଆପଣଙ୍କମାନଙ୍କଠାରୁ ଆର୍ଶୀବାଦ ନେବା ପାଇଁ ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ଜୟ ଢୋଲକିଆଙ୍କ ପିତା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆ ଏହି ଅଞ୍ଚଳର ବିଧାୟକ ଥିଲେ, ସେ ଅନେକ ଦାବି ପୂରଣ କରିଛନ୍ତି ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ମନ୍ତ୍ରୀ ପଦବୀ ପାଇଥିଲେ । ଚେଷ୍ଟା କରିଥିଲେ ଏ ଅଞ୍ଚଳର ବିକାଶ କରିବା ପାଇଁ ଓ ଗରିବ ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ । କିନ୍ତୁ ଆପଣମାନେ ଜାଣିବା ଦରକାର ରାଜେନ୍ଦ୍ର ବାବୁ କିପରି ଭାବେ ଅସହାୟ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବା ପାଇଁ ତାଙ୍କୁ ସୁଯୋଗ ମିଳୁନଥିଲା । ବିଜେଡିର ସମସ୍ତ ବିଧାୟକ ମନ୍ତ୍ରୀ କେହି ବି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରୁନଥିଲେ । ନୂଆପଡ଼ା ପାଇଁ ବାହାରୁ ପାର୍ଥୀ ଆଣି ନବୀନ ନୂଆପଡ଼ା ମାଟିକୁ ଅପମାନିତ କରିଛନ୍ତି। ଜୟ ଢୋଲକିଆଙ୍କ ପରି ଜଣେ କଠିନ ପରିଶ୍ରମୀ ସ୍ଥାନୀୟ ବ୍ୟକ୍ତି ନୂଆପଡ଼ା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ସବୁଠାରୁ ଯୋଗ୍ୟତମ ବ୍ୟକ୍ତି। ସେ ଘର ଘର ବୁଲି ଆଜି ଭୋଟ୍ ଭିକ୍ଷା କରୁଛନ୍ତି । ଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

​​​​​​​