March 10, 2026

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ- ସୁରଭି ୨୦୨୫ ଆଡମ୍ବର ସହ ଅନୁଷ୍ଟିତ…

IMG-20251107-WA0008
Share

କେନ୍ଦ୍ରାପଡ଼ା –ଗୁରୁବାର ଦିନ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି।ଶିଶୁ ହସିଲେ ଦେଶ ହସିବ।ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ଵେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ ସୁରଭି।ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମଗ୍ର ଶିକ୍ଷା,କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଶ୍ରୀ ପବିତ୍ର ମୋହନ ବାରିକ ଅଧ୍ୟକ୍ଷତା କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର.ଆୟର ଯୋଗ ଦେଇଥିଲା ବେଳେ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ନବକୃଷ୍ଣ ଜେନା,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭସ୍ମିତା ତ୍ରିପାଠୀ, ସ୍ଵାଗତିକା ସ୍ଵାଇଁ ଓ ଦୀପ୍ତି ନାୟକ ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ମହୋତ୍ସବ ସୁରଭିକୁ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମସ୍ତ ବ୍ଲକରୁ ପ୍ରାୟ ୩୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଛାତ୍ରଛାତ୍ରୀ ମାନେ ସାତଟି ପ୍ରତିଯୋଗିତା ଯଥା ରଚନା, ବକୃତା,ଏଲୋକେସନ,ଚିତ୍ରକଳା, ସୃଜନଶୀଳ ଲିଖନ,ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ।ଉକ୍ତ ସାତ ଗୋଟି ବିଭାଗର ଜୁନିଅର ଓ ସିନିୟର ବର୍ଗରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ୩୯ ଜଣ କୃତୀ ପ୍ରତିଯୋଗୀ ଭୁବନେଶ୍ଵରରେ ଚଳିତ ମାସ ୧୨, ୧୩ ଓ ୧୪ ତାରିଖରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ସୂଚନା ଯୋଗ୍ୟ ଯେ ଜିଲ୍ଲାର ୧୧ ଗୋଟି ପିଏମଶ୍ରୀ ସ୍କୁଲ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର.ଆୟର ଜିଲ୍ଲାସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା-୨୦୨୫ ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ।ଏହି ପ୍ରତିଯୋଗିତାରୁ ଚୟନ କରାଯାଇଥିବା ୨ ଜଣ କୃତୀ ପ୍ରତିଯୋଗୀ ୧୨ ଓ ୧୩ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା-୨୦୨୫ ପ୍ରତିଯୋଗିତାରେ ଭାଗ ନେବେ।ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମାନ୍ୟବର ବିଧାୟକ ମହାକାଳପଡ଼ାଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ ଡେରାବିଶ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ମଲ୍ଲିକ, କେନ୍ଦ୍ରାପଡ଼ା ଉପ ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ) ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ପୁହାଣ, ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

(କେନ୍ଦ୍ରାପଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ)