November 21, 2024

ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି

Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁର ମିଳିଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଏହି ଯୋଜନାକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଏକ୍ସ ପୋଷ୍ଟରେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ଏକବିଂଶ ଶତାବ୍ଦୀର ସାର୍ବଜନୀନ ଉଚ୍ଚଶିକ୍ଷା ଉପଲବ୍ଧି କରାଇବା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି । ୩,୬୦୦ କୋଟି ଟଙ୍କା ବ୍ୟୟରେ ପିଏମ ବିଦ୍ୟାଲକ୍ଷ୍ମୀକୁ ମଞ୍ଜୁର ଦେବା ଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ ଏବଂ ଆମ ଯୁବଶକ୍ତି ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହେବେ । ପିଏମ୍ ବିଦ୍ୟାଲକ୍ଷ୍ମୀ ଅଧୀନରେ ବିନା ବନ୍ଧକରେ ଏବଂ ଗ୍ୟାରେଣ୍ଟର ମାଗଣା ଶିକ୍ଷା ଋଣ ; ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ସୁବିଧାକୁ ଅଧିକରୁ ଅଧିକ ଉପଲବ୍ଧ କରାଇବ । ଆର୍ଥିକ ଅଭାବ ଅନଟନ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରିବାରେ କୌଣସି ବାଧା ସୃଷ୍ଟି କରିବ ନାହିଁ । ବାର୍ଷିକ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିବାରିକ ଆୟ ଥିବା ଛାତ୍ରଛାତ୍ରୀ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଋଣ ଉପରେ ୩% ସୁଧ ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରାଶି ପାଇଁ ଭାରତ ସରକାର ୭୫% କ୍ରେଡିଟ୍ ଗ୍ୟାରେଣ୍ଟି ପ୍ରଦାନ କରିବେ, ଯାହା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ନେଟଓ୍ୱାର୍କ ବିସ୍ତାର କରିବାରେ ସାହାଯ୍ୟ କରିବ । ସ୍ୱଚ୍ଛ, ପାରଦର୍ଶୀ, ବିଦ୍ୟାର୍ଥୀ ସହଯୋଗୀ ଏବଂ ଡିଜିଟାଲ ଆପ୍ଲିକେସନ ପ୍ରକ୍ରିୟା ମାଧ୍ୟମରେ ସମସ୍ତ ବ୍ୟାଙ୍କ୍ ଦ୍ୱାରା ଶିକ୍ଷା ଋଣ ପ୍ରଦାନ କରାଯିବ । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମଓ୍ୱାର୍କ(ଏନଆଇଆରଏଫ) ଆଧାରରେ ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଅଧୀନରେ ଶିକ୍ଷା ଋଣ ପ୍ରଦାନ କରାଯିବ, ଯେଉଁଥିରେ ପ୍ରତିବର୍ଷ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀମାନେ ସାମିଲ ହେବେ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଜାତୀୟ ଶିକ୍ଷା ନୀତିର ଏକ ପ୍ରମୁଖ ସୁପାରିସ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଇବା ଦିଗରେ ଆଉ ଏକ ଠୋସ୍ ପଦକ୍ଷେପ । ପିଏମ ବିଦ୍ୟାଲକ୍ଷ୍ମୀ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି

You may have missed