October 7, 2024

ନିୟମଗିରି ପର୍ବତର ଘଞ୍ଚଜଙ୍ଗଲ ଧ୍ବଂସାଭିମୁଖୀ 

Share

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଓ ରାୟାଗଡ଼ା ଜିଲ୍ଲା ସୀମାନ୍ତରେ ଥିବା ବିଶାଳ ପର୍ବତ ନିୟମଗିରି ଘଞ୍ଚ ଜଙ୍ଗଲ ଓ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀରେ ପରିପୂର୍ଣ l ଏଠାରୁ ଶତାଧିକ ଝରଣା ଉଭୟ ରାୟାଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବାହିତ ହେଉଛି l ଏଇ ଜଙ୍ଗଲ ଓ ଝରଣା ଯୋଗୁଁ ପରିବେଶରେ ସନ୍ତୁଳନ ରକ୍ଷା ହେଉଛି l ଶହ ଶହ ଏକର ଚାଷ ଜମି ଜଳସେଚିତ ହେଉଛି l ତେବେ 2003 ମସିହାରେ ବେଦାନ୍ତ କମ୍ପାନୀ ନିୟମଗିରି ପାଦଦେଶରେ ଥିବା ଲାଞ୍ଜିଗଡ଼ ଅଞ୍ଚଳରେ ଆଲୁମିନା ପ୍ରକଳ୍ପ ସ୍ଥାପନ କରିବା ପରଠାରୁ ଏ ଅଞ୍ଚଳର ପ୍ରାକୃତିକ ପ୍ରରିବେଶ କ୍ରମଶଃ ବିଗିଡ଼ିବାରେ ଲାଗିଛି l ବେଦାନ୍ତ କମ୍ପାନୀ ନିୟମଗିରି ପର୍ବତରୁ ବକ୍ସାଇଟ ଖନନ କରି ଏଠାରେ ଆଲୁମିନା ପ୍ରକଳ୍ପ କରିବ ଉଦ୍ଦେଶ୍ୟ ନେଇ ଆସିଥିଲା l କିନ୍ତୁ ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ ଯୋଗୁଁ ଅନ୍ୟ ସ୍ଥାନରୁ ବକ୍ସାଇଟ ଆଣି ପ୍ରାୟ କୋଡ଼ିଏ ବର୍ଷ ହେଲା ପ୍ରକଳ୍ପ କାର୍ଯ୍ୟ ଚାଲୁ ରଖିଛି l କିନ୍ତୁ ନିୟମଗିରି ଉପରେ ତାର ଦୃଷ୍ଟି ରହିଛି l କ୍ରମେ କ୍ରମେ ନିୟମଗିରି ପାଦଦେଶରେ ଥିବା ଜଙ୍ଗଲ ସବୁ ନଷ୍ଟ କରିବାରେ ଲାଗିଛି l ନିୟମଗିରି ପାଦଦେଶରେ ଥିବା କଂସାରୀ, ଡେଙ୍ଗସର୍ଗି ଗ୍ରାମଠାରୁ ଆରମ୍ଭ କରି ରେଙ୍ଗପାଲି ବଳଭଦ୍ରପୁର ପର୍ଯ୍ୟନ୍ତ ଜଙ୍ଗଲକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିଚାଲିଛି l ଅନେକ ମୂଲ୍ୟବାନ ଗଛ ଯେପରିକି ଶାଳ, ପିଆଶାଳ, ଶିଶୁ, ଧୌଡ଼ା, ଚମ୍ପା, ଆମ୍ବ ପଣସ ଏବଂ ଆହୁରି ଅନେକ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ସଫା କରି ସାରିଲାଣି ଏବଂ ଏହି ଗଛ କଟା କାର୍ଯ୍ୟ ଏବେ ବି ଜାରି ରହିଛି l ନିୟମଗିରିର ଗଛ କାଟିବା ପାଇଁ ତାକୁ ଅନୁମତି ମିଳି ନ ଥିଲେବି କମ୍ପାନୀ ସେହି କାର୍ଯ୍ୟ କରି ଚାଲିଛି l ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ ଏ ସବୁ ଦେଖି ମଧ୍ୟ ଚୁପ ରହୁଛନ୍ତି, ଯେପରିକି ସମସ୍ତେ କମ୍ପାନୀର କ୍ରୀତଦାସ l ଏପରି ଜଙ୍ଗଲ ନଷ୍ଟ କରି କ୍ରମେ ଟାଙ୍ଗରା କରିଦେବା ର ଚକ୍ରାନ୍ତ ଚାଇଛି l ଏହା ଦ୍ୱାରା ନିୟମଗିରିରେ ଥିବା ମୂଲ୍ୟବାନ ବକ୍ସାଇଟ ହାତେଇବା ପାଇଁ ସୁଯୋଗ ସୃଷ୍ଟି କରୁଛି l ଯଦି କମ୍ପାନୀ ଜଙ୍ଗଲ ଧ୍ବଂସ କରିବା କାର୍ଯ୍ୟ ବନ୍ଦ ନ କରେ, ତାହେଲେ ଆଗାମୀ ଦିନରେ କମ୍ପାନୀ ବିରୁଦ୍ଧରେ ଆଉ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର