August 7, 2026

ଜିଲ୍ଲା ପରିଷଦଙ୍କ ଉଦ୍ୟମ ଦ୍ୱାରା ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି ଉପକୃତ ହେବେ ମଲ୍ଲୀପଶି ଓ ସରମୁଣ୍ଡି ସମେତ ୬ଟି ଗ୍ରାମର ଗ୍ରାମବାସୀ 

IMG-20260807-WA0128
Share

 

 

ହାଟଡିହି ତା ୭/୮(ମନମୋହନ ନାୟକ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବଉଳା ନାଳ ଉପରେ ପୋଲ ନିର୍ମାଣ ହୋଇପାରୁନଥିବାରୁ ସ୍ଥାନୀୟ ଅଧିବାସୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ। ବନ ବିଭାଗ ଅନୁମତି ଦେଉ ନଥିବାରୁ ପୋଲ ନିର୍ମାଣ ହୋଇ ପାରୁ ନଥିଲା। କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ଉଦ୍ୟମକ୍ରମେ

ଏବେ ବନ ବିଭାଗ ଅନୁମତି ଦେବା ସହ ପୋଲ ନିର୍ମାଣ ପାଇଁ ସରକାର ୧୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ସୂଚନା ଅନୁଯାଇ ହାଟଡିହି ବ୍ଲକ୍ କେ, ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମୁଣ୍ଡି ଏବଂ ମୟୂରଭଞ୍ଜ ଜିଲ୍ଲାର ବଉଳା, ଝର୍ଝରୀ, ଜାମବଣି, ଭାଲିଆଡାଳ, ଶଗଡ଼ାପଟା ଅଞ୍ଚଳକୁ ଯାତାୟାତ ପାଇଁ ରାସ୍ତା ନଥିଲା। ଏନେଇ ବାରମ୍ବାର ଦାବି ହେବା ପରେ ୨୦୨୦ ମସିହାରେ କେନ୍ଦୁଝର ଡିଏମ୍ଏଫ ଫଣ୍ଡରୁ ରାସ୍ତା ପାଇଁ ୩ କୋଟି ୧୬ ଲକ୍ଷ ଟଙ୍କା ଏବଂ ବଉଳାଜାଳ ଉପରେ ପୋଲ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା। ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କରାଗଲା। ବଉଳାନାଳ ଉପରେ ପୋଲ ନିର୍ମାଣ ଆରମ୍ଭ ବେଳେ ବନ ବିଭାଗ କର୍ମଚାରୀ ପହଞ୍ଚି ବିରୋଧ କରିଥିଲେ। ଜଙ୍ଗଲ ଜମିରେ ପୋଲ ନିର୍ମାଣ ନ କରିବାକୁ ତାଗିଦ କରିଥିଲେ । ଫଳରେ ଠିକାସଂସ୍ଥା କାମ ଛାଡ଼ି ପଳାଇଥିଲା । ଯାହାଦ୍ୱାରା ଗ୍ରାମର ଲୋକେ ବର୍ଷାଦିନେ ଅଣ୍ଟେ ପାଣିରେ ପଶି ଯାତାୟାତ କରୁଛନ୍ତି ରୋଗୀକୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଗାଁକୁ ଅମ୍ବୁଲାନ୍ତୁ ଆସୁ ନଥିବାରୁ ଲୋକେ ରୋଗୀକୁ ଖଟିଆରେ ବୋହି ନାଳ ପାର କରିବା ପରେ ଗାଡ଼ିରେ ଡାକ୍ତରଖାନା ନେଉଛନ୍ତି। ଗାଁ ପିଲାମାନେ ସ୍କୁଲ୍, କଲେଜ ଯାଇପାରୁ ନାହାନ୍ତି। ବାହାରେ ରହୁଥିବା ଲୋକେ ଗାଁକୁ ଆସିବାକୁ ଇଚ୍ଛା ପ୍ରକାଶ କରୁନାଥିଲେ।

ପରେ ପୋଲ ନିର୍ମାଣ ପାଇଁ ଗ୍ରାମସଭା, ପଲ୍ଲୀସଭା କରାଯାଇ ଜଙ୍ଗଲ ବିଭାଗର ଅନୁମତି ପାଇଁ ପଠାଯାଇଥିଲା କିନ୍ତୁ ଅନୁମତି ମିଳିବାରେ ଅହେତୁକ ବିଳମ୍ବ ଘଟୁଥିଲା। ଏନେଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ବାରମ୍ବାର ଜିଲ୍ଲା ପରିଷଦ ବୈଠକରେ ପ୍ରଶ୍ନ ଉଠାଇ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି କରିବା ସହିତ ମୟୁରଭଞ୍ଜ ଜିଲ୍ଲାର ଜଙ୍ଗଲ ବିଭାଗ ଅଧିକାରୀ, କରଞ୍ଜିଆ ବିଧାୟକଙ୍କୁ ଭେଟି ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ତୁରନ୍ତ ଅନୁମତି ଦେବାକୁ ନିବେଦନ କରିଥିଲେ। ଜଙ୍ଗଲ ବିଭାଗ ପୋଲ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିବା ପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ନିର୍ମାଣ ପାଇଁ ୧୨କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛି। ଆନ୍ତ ଜିଲ୍ଲା ସଂଯୋଗୀ କରଣ ରାସ୍ତା ଯୋଜନାରେ ଏହି ରାସ୍ତା ନିର୍ମାଣ ହେବ। କରଞ୍ଜିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ କରାଯାଇ ଟେଣ୍ଡର ପ୍ରକ୍ରିୟାକୁ ଯାଇଛି। ଏହି ରାସ୍ତା ନିର୍ମାଣ ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ମଲ୍ଲିପଶି, ସରମୁଣ୍ଡି ଏବଂ ମୟୂରଭଞ୍ଜ ଜିଲ୍ଲା ବଉଳା, ଝର୍ଝରୀ, ନାମବଣି, ଭାଲିଆଡାଳ, ଶଗଡ଼ପଟା ଗ୍ରାମର ହଜାର ହଜାର ଲୋକେ ଉପକୃତ ହୋଇପାରିବେ । କରଞ୍ଜିଆ ଫରେଷ୍ଟ ଡିଭିଜନ ଓ ଗ୍ରାମ୍ୟଉନ୍ନୟନ ବିଭାଗ ପୋଲ ଓ ରାସ୍ତା ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ନେଇ ଥିବାରୁ ଅଞ୍ଚଳବାସୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି।

You may have missed