ଓଡ଼ିଶାର ନିଜସ୍ବ ପାରମ୍ପାରିକ ମିଠା ଆରିସା ପିଠା
ବୋଲଗଡ଼,୭/୮(ସୁଶାନ୍ତ କୁମାର ପ୍ରଧାନ।): ଓଡ଼ିଆ ସଂସ୍କୃତିରେ ଆରିସା ପିଠା ହେଉଛି ଏକ ପ୍ରାଚୀନ ଏବଂ ଲୋକପ୍ରିୟ ପ୍ରସିଦ୍ଧ ପାରମ୍ପରିକ ମିଠା। ଏପରିକି ପ୍ରତେକ ଓଡ଼ିଆ ଘରେ ଆରିସା ପିଠାର ରହିଛି ସ୍ୱତନ୍ତ୍ର ପରିଚୟ। ଏହା ଅରୁଆ ଚାଉଳ ଗୁଣ୍ଡ ଏବଂ ଗୁଡ଼ ବା ଚିନି ଏବଂ ରିଫାଇନ ତେଲ କିମ୍ବା ଘିଅରେ ପ୍ରସ୍ତୁତ ହୋଇଥାଏ। ଆମ ଓଡ଼ିଶାର ପ୍ରତେକ ଗ୍ରାମଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ବ ପର୍ବାଣୀ ରେ ସ୍ୱତନ୍ତ୍ର ସ୍ଥାନ ରହିଛି। ବିଭିନ୍ନ ପର୍ବପର୍ବାଣୀ, ବିବାହ ଏବଂ ବ୍ରତ କାର୍ଯ୍ୟରେ ଏହି ପିଠା ପ୍ରସ୍ତୁତ କରାଯାଏ। ଜଗନ୍ନାଥ ସଂସ୍କୃତିରେ ଆରିସା ପିଠାର ବିଶେଷ ମହତ୍ତ୍ୱ ରହିଛି। ଓଡ଼ିଶାର ପରମ୍ପରାଗତ ପିଠାଗୁଡି଼କ ମଧ୍ୟରୁ ଆରିସା ପିଠା ଅନ୍ୟତମ। ବର୍ତ୍ତମାନ ଅନେକ ମହିଳା ଆରିସା ପିଠା ବ୍ୟବସାୟ କରି ନିଜର ଆତ୍ମବିଶ୍ୱାସ ବଢ଼ାଇବା ସହିତ ଆର୍ଥିକ ଭାବେ ସ୍ୱାବଲମ୍ବୀ ମଧ୍ୟ ହେଉଛନ୍ତି। ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ତଥା ବିଭିନ୍ନ ପର୍ବପର୍ବାଣୀରେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି।
ବର୍ତ୍ତମାନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ପ୍ରସ୍ତୁତ କରି ବଜାରରେ ବିକ୍ରି କରି ଦୁଇ ପଇସା ଲାଭବାନ ହୋଇ ପାରୁଛନ୍ତି। ଅନୁମାନ କରାଯାଏ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଏହାର ପ୍ରଚଳନ ଓ ଲୋକପ୍ରିୟତା ରହିଥିବା ବିଶ୍ୱାସ କରାଯାଏ। କଳିଙ୍ଗର ଦୁଇ ବଣିକ ତପସୁ ଓ ଭଲ୍ଲିକ ବୁଦ୍ଧଦେବଙ୍କୁ ବାଜୁ ଓ ମଧୁ ନାମକ ପିଠା ଅର୍ପଣ କରିଥିଲେ । ଯାହାକି ପୁରାତନ କଥା ଅନୁସାରେ ଆରିସା ପିଠାର ଏହା ହେଉଛି ଆଦିରୂପ। ସେ ଯାହା ହେଉନା କାହିଁକି ଆମ ରାଜ୍ୟର ନିଜସ୍ବ ପାରମ୍ପରିକ ପିଠା ମାନଙ୍କ ମଧ୍ୟରେ ଆରିସା ପିଠା ଲୋକପ୍ରିୟତା ହୋଇ ପାରିଛି। ପାରମ୍ପରିକ ଭାବେ ଠିକ୍ ପ୍ରଣାଳୀ ରେ ତିଆରି ହେଲେ ଆରିସା ପିଠା ଦୀର୍ଘ ଦିନ ଧରି ଭଲ ରହିଥାଏ।
