October 6, 2024

ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେଲା ତଲାରୀ ଯାତ୍ରା

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ସମଗ୍ର ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ଯାତ୍ରା ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ର ତଲାରୀ ଯାତ୍ରା ବା ରଥଯାତ୍ରା । ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳାରତି,ସୂର୍ଯ୍ୟପୂଜା, ଅବକାଶ ବାଳଭୋଗ ବଢିବା ପରେ ରଥ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ହଳାୟୁଧ ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇ ଚତୁର୍ଦ୍ଧା ବିଗ୍ରହ ଙ୍କୁ ରଥାରୂଢ କରାଯାଇଥିଲା । ଘଣ୍ଟ, ଘଣ୍ଟା, ନାମ ସଂକୀର୍ତ୍ତନ ର ତାଳେ ତାଳେ ଶ୍ରୀଜୀଉମାନଙ୍କର ପହଣ୍ଡି ବିଜେ ସମୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଅପରାହ୍ଣ ରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ ରଥକୁ ସର୍ବସାଧାରଣ ଟାଣି ନେଇଥିବା ବେଳେ ସାନ ରଥକୁ ମହିଳା ମାନେ ଟାଣିଥିଲେ ।
ଗୁଣାର୍ଣ୍ଣବ କ୍ଷେତ୍ର ଗୁଣୁପୁର ରେ ଭଳିକି ଭଳି ତଲାରୀ ବିକ୍ରି ପାଇଁ ଆସିଥିବା ବେଳେ ଅନେକ କୃଷିଜୀବୀ, ଗୋପାଳ, ପଶୁପାଳକ ମାନେ ଶ୍ରଦ୍ଧାରେ କିଣି ନେଉଥିବା ଦେଖିବାକୁ ମିଳିଛି । ମିନା ବଜାର, ଭଳିକି ଭଳି ଦୋକାନ ବଜାର ଏହି ଯାତ୍ରାର ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ସେବାକାରି ସଂସ୍ଥା ପକ୍ଷରୁ ଲୋକଙ୍କୁ ପାନୀୟ ଜଳ, ପଣା, ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ରାଜସ୍ବ, ଦେବତ୍ତୋର, ପୁଲିସ, ଦମକଳ, ସ୍ୱାସ୍ଥ୍ୟ ବିଭାଗ,ଆଦିତ୍ୟ ବାହିନୀ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗବେଷକ ଡ଼ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ କଥାକାର ଙ୍କ ଦ୍ଵାରା ଧାରାବିବରଣୀ ପ୍ରଦାନ କରାଯାଇଥିଲା ।