September 29, 2024

ସାମ୍ୱାଦିକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ : ରବି ରଥ…

Share


ବ୍ରହ୍ମପୁର, 7/5: ଗତ 24 ବର୍ଷର ନବୀନ ସରକାରଙ୍କ ଶାସନରେ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରତିନିଧିଙ୍କ ପାଇଁ କୌଣସି କଲ୍ୟାଣକାରୀ ଯୋଜନା କରାଯାଇନାହିଁ ବୋଲି ବରିଷ୍ଠ ସାମ୍ୱାଦିକ ତଥା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ରାଜ୍ୟ ସଭାପତି ରବି ରଥ ପ୍ରକାଶ କରିଛନ୍ତି । ଓଡ଼ିଶାରେ ସାମ୍ୱାଦିକମାନଙ୍କୁ ପେନସନ ଯୋଜନାରେ ସାମିଲ କରିବା ନେଇ 4 ଦଶନ୍ଧି ଧରି ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀମାନେ ସାମ୍ୱାଦିକମାନଙ୍କ ଦୟନୀୟ ସ୍ଥିତି ଦୃଷ୍ଟିରୁ ପେନସନ ବ୍ୟବସ୍ଥା ଜରୁରୀ ମନେ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାରମ୍ୱାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ, ଭାରତ ବର୍ଷର 17ଟି ରାଜ୍ୟରେ 5 ହଜାର ରୁ ଆରମ୍ଭ କରି 20 ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ବ୍ୟବସ୍ଥା ରହିଛି। ମହାରାଷ୍ଟ୍ର ଓ ଛତିଶଗଡ଼ ସରକାର ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ କରିଥିବା ବେଳେ ଓଡ଼ିଶାରେ ତାହା କାର୍ଯ୍ୟକାରୀ ହୋଇନାହିଁ। ଓଡ଼ିଶା ସରକାର ନିଜକୁ ଶ୍ରେଷ୍ଠ ଓ ବଳକା ରାଜ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ଥିବା ଘୋଷଣା କରୁଥିବା ବେଳ୍ୱେ 60 ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ସାମ୍ୱାଦିକମାନଙ୍କ ପାଇଁ ପେନସନ ଲାଗୁ ନ କରିବା କ୍ଷୋଭର ବିଷୟ । ଗତ ଫେବୃୟାରୀ 6 ତାରିଖରେ ବିଧାନସଭା ସମ୍ମୁଖରେ 5 ଦଫା ଦାବି ନେଇ ହଜାର ହଜାର ସାମ୍ବାଦିକ ବିଧାନସଭା ଘେରାଉ କରିଥିଲେ। ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନ୍‌‍ସନ ପ୍ରଦାନ, ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା 10 ଲକ୍ଷ କୁ ବୃଦ୍ଧି କରିବା, ସେମାନଙ୍କ ପିତାମାତାଙ୍କୁ ଏହି ଯୋଜନାରେ ସାମିଲ କରାଯିବା, ରାଜ୍ୟରେ ମିଡିଆ ଏକାଡେମି ଗଠନ କରିବା, ଅଧିସ୍ଵୀକୃତି କମିଟି ପୁନର୍ଗଠନ ଓ ବ୍ୟାପକ ଅଧିସ୍ଵୀକୃତି ପ୍ରଦାନ, ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ପାଇଁ ପ୍ରବେଶ କଟକଣାକୁ ପ୍ରତ୍ୟାହାର କରିବା ଆଦି ଦାବି କରି ଏହି ଘେରାଉ କରାଯାଇଥିଲା।
ସରକାରୀ ଦଳର ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚି ଦାବିଗୁଡ଼ିକ ଯୁକ୍ତିଯୁକ୍ତ ହୋଇଥିବା ଓ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ଭୋଟ ପାଇଁ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ ମଧ୍ୟ ସମ୍ୱିଧାନର 4ର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସାବତ ମା ଭଳି ଆଚରଣ ପ୍ରଦର୍ଶନ ପରିତାପର ବିଷୟ।
ଉଲ୍ଲେଖ କରାଯାଇପାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ ସାମ୍ୱାଦିକମାନଙ୍କୁ ପେନସନ ଦେବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଜୁ ବାବୁ, ନବୀନ ବାବୁ ବାରମ୍ୱାର ସାମ୍ୱାଦିକମାନଙ୍କୁ ପେନସନ ଦିଆଯିବା ବିଷୟ ବିଚାରଧିନ ଥିବା କହୁଥିଲେ ମଧ୍ୟ ଚାରି ଦଶନ୍ଧି ଧରି ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ସାମ୍ୱାଦିକମାନେ ସଂଗଠିତ ନ ହେବା ଯାଏଁ ଏହା ସମ୍ଭବପର ନୁହେଁ ବୋଲି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ଶ୍ରୀ ରଥ ମତ ପ୍ରକାଶ କରିଛନ୍ତି।