March 9, 2026

ପିଏମ୍ ଶ୍ରୀ ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ, ଡମ୍ବସରାର ବିଜ୍ଞାନ ପ୍ରଦର୍ଶନୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l

IMG-20260307-WA0024
Share

         ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ପିଏମ୍ ଶ୍ରୀ ସରକାରୀ (SSD) ବାଳିକା ଉଚ୍ଚ ବିଦ୍ୟାଳୟ, ଡମ୍ବସରାର ବିଜ୍ଞାନ ପ୍ରଦର୍ଶନୀ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗୁଣୁପୁର ଶ୍ରୀ ଗଙ୍ଗାଧର ବେହେରା, ସମ୍ମାନିତ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ,ପଦ୍ମପୁର ସୁଶ୍ରୀ ଅର୍ଚ୍ଚନା ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ଡମ୍ବସରାର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ଚାଲକମ୍ଵା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ବି. ଗୋବିନ୍ଦ ରାଓ, ବିଜ୍ଞାନ ଶିକ୍ଷକ ଶ୍ରୀ ଜଗନ୍ନାଥ ଉତ୍ତରକବାଟ ଓ ପ୍ରଧାନ ଶିକ୍ଷକ ଶ୍ରୀ ସୁନୀଲ କୁମାର ଗୌଡ ମଞ୍ଚାସୀନ ଥିଲେ l ଏ ଅବସରରେ ମୁଖ୍ୟ ଅତିଥି ପିଲାଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟ ଜୀବନ ଅତି ଗୁରୁତ୍ଵପୂର୍ଣ୍ଣ ଏବଂ ଏହି ସମୟରେ ସବୁ ଜାଣିବା ପାଇଁ ଚେଷ୍ଟା କରିବା ସହ ଉପଯୁକ୍ତ ପରିଶ୍ରମ ମଧ୍ଯ କରିବା ଉଚିତ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ କହିଥିଲେ l ମୁଖ୍ୟବକ୍ତା ସୁଶ୍ରୀ ପଣ୍ଡା ମଣିଷର ସବୁଠାରୁ ବଡ ଆବିଷ୍କାର ଭାଷା ଅଟେ ଓ ସବୁ ଛାତ୍ରୀଙ୍କୁ ଜାଣିଲେ ଜିଣିପାରିବା ଏବଂ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ଦ୍ଵାରା ପିଲାମାନଙ୍କ ବୌଦ୍ଧିକ ବିକାଶ ସହ ବିଷୟ ଗତ ଦକ୍ଷତା ବୃଦ୍ଧି ପାଇବ ବୋଲି କହିଥିଲେ l ଡମ୍ବସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପ୍ରଦର୍ଶନୀର ବିଚାରକ ଶ୍ରୀ ପାଣିଗ୍ରାହୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ବିଦ୍ୟାଳୟଟି ପି ଏମ୍ ଶ୍ରୀ ବିଦ୍ୟାଳୟ ଘୋଷଣା ହେଲା ପରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମ ଯେପରିକି ଶୈକ୍ଷିକ ପର୍ଯ୍ୟଟନ, କୁଇଜ ପ୍ରତିଯୋଗୀତା,ବାର୍ଷିକ କ୍ରୀଡା ପ୍ରତିଯୋଗିତା, ପ୍ରଦର୍ଶନୀ ଆୟୋଜନ ଫଳରେ ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତିରେ ଯଥେଷ୍ଟ ସହାୟକ ହୋଇପାରିଛି ବୋଲି ମତ ପ୍ରକାଶ କରିଥିଲେ lଏହି ପ୍ରଦର୍ଶନୀରେ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଉଭୟ ବିଜ୍ଞାନ ଓ ଗଣିତ ବିଭାଗର 28ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ବିଚାରକ ମଣ୍ଡଳୀ ଦ୍ଵାରା ଗଣିତ ସର୍କଲ ଓ ବିଜ୍ଞାନ ସର୍କଲର ବରିଷ୍ଠ ବିଭାଗର ଶ୍ରେଷ୍ଠ ତିନୋଟି ଓ କନିଷ୍ଠ ବିଭାଗର ତିନୋଟି ଶ୍ରେଷ୍ଠ ପ୍ରକଳ୍ପ ସହ ମୋଟ ବାରଗୋଟି ପ୍ରକଳ୍ପକୁ ଚୟନ କରିବା ପରେ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପିଏମ୍ ଶ୍ରୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l ବିଦ୍ୟାଳୟର ଖେଳଶିକ୍ଷକ ଶ୍ରୀ ମନୋଜ ତୁଳ ମଂଚ ପରିଚାଳନା କରି ଥିଲେ lପରିଶେଷରେ ପ୍ରଧାନଶିକ୍ଷକ ଶ୍ରୀ ସୁନିଲ୍ ଗଉଡ ନିଜର ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ ଫଳରେ ଛାତ୍ରୀମାନଙ୍କ ମନରେ ଗଣିତ ଓ ବିଜ୍ଞାନ ପ୍ରତି ଆଗ୍ରହ, ଆଲୋଚନାତ୍ମକ ଚିନ୍ତାଧାରାର ବିକାଶ, ବାସ୍ତବ ଜୀବନରେ ଗାଣିତିକ ଓ ବୈଜ୍ଞାନିକ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଥିଲେ ଓ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l