March 10, 2026

ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା….. ୪୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଉଦ୍ଧାର, ୩ ଗିରଫ 

IMG-20260207-WA0078
Share

 

ପାରଳାଖେମୁଣ୍ଡି:୭/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ୪୫ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର ଉଦ୍ଧାର ସହ ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ଗଜପତି ପୋଲିସ. ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ସହ ୮୦ ଗ୍ରାମର ରୂପା ଅଳଙ୍କାରକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ୩ଜଣ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା‌ ଅନ୍ତର୍ଗତ ମାରିଗୁଡା ଗାଁର ମରାଠି ଗିରି ବାବୁ, ଅରୁଣ କୁମାର ପ୍ରଧାନ ଏବଂ ପରିଡା ଗାଁର ମୂରଲୀ ନାୟକ । ଚୋରି ହୋଇଥିବା ଦୁଇ ଲକ୍ଷ ଟଙ୍କା ଜବତ ହୋଇନଥିବା ବେଳେ ତାହାକୁ ଜବତ ପାଇଁ ଏବଂ ଏହି ଗ୍ୟାଙ୍ଗ ଅନ୍ୟ କୌଣସି ଚୋରି ଘଟଣାରେ ସମ୍ପୃକ୍ତ କି ନୁହେଁ ତାହା ଜାଣିବାକୁ ଆବଶ୍ୟକ ହେଲେ ଏମାନଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ଯତୀନ୍ଦ୍ରନାଥ ପଣ୍ଡା ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ, ଗତ ଜାନୁଆରୀ ୨୫ ତାରିଖ ଦିନ ମାରିଗୁଡା ଗାଁର ଆର.ଲକ୍ଷ୍ମୀ କଲ୍ୟାଣୀ ତାଙ୍କ ପରିବାର ସହ ଶ୍ରୀକାକୁଲମ ସୂର୍ଯ୍ୟମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେମାନେ ସେହିଦିନ ରାତିରେ ଘରକୁ ଫେରି ଦେଖିଲା ବେଳକୁ ଘରର ଆଲମାରୀ ଭାଙ୍ଗି ସେଥିରେ ଥିବା ୩ ଶହ ଗ୍ରାମ ସୁନା ଅଳଙ୍କାର, ୮୦ ଗ୍ରାମ ରୂପା ଅଳଙ୍କାର ଏବଂ ପ୍ରାୟ ୨ଲକ୍ଷ ଟଙ୍କା ଚୋରି ହୋଇଥିବା ସେରଙ୍ଗ ପୋଲିସ ଥାନାରେ ଅଭିଯୋଗ ହୋଇଥିଲା। ସେରଙ୍ଗ ଥାନା‌ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଆଜି ଚୋର ଧରାପଡ଼ିବା ସହ ସେମାନେ ଚୋରି କରିଥିବା ସୁନା ଓ ରୂପା ଅଳଙ୍କାରକୁ ନିକଟସ୍ଥ ଜଙ୍ଗଲରେ ମାଟି ତଳେ ପୋତି ରଖିଥିଲେ। ଯାହାକୁ ପୋଲିସ ଉଦ୍ଧାର କରି ଜବତ କରିଥିଲେ ବୋଲି ଗଜପତି ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।