ସମ୍ବଲପୁର:ଆସନ୍ତା ୮ ଫେବୃଆରୀ ଠାରୁ ବୀର୍‌ସାମଏଦାନ୍‌, ପିଏଚ୍‌ଡ଼ିପଡ଼ିଆ, ଅଏଁଠାପାଲି,ସମ୍ବଲ୍‌ପୁର ଠାରେ ହେବାକୁ ଥିବା ସମ୍ବଲ୍‌ପୁର୍‌ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ

Share

ସମ୍ବଲପୁର:ଆସନ୍ତା ୮ ଫେବୃଆରୀ ଠାରୁ ବୀର୍‌ସାମଏଦାନ୍‌, ପିଏଚ୍‌ଡ଼ିପଡ଼ିଆ, ଅଏଁଠାପାଲି,ସମ୍ବଲ୍‌ପୁର ଠାରେ ହେବାକୁ ଥିବା ସମ୍ବଲ୍‌ପୁର୍‌ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଆୟୋଜନକାରୀ ସଂଗଠନ ସମ୍ବଲପୁର ସାଂସ୍କୃତିକ ପରିଷଦର କର୍ମକର୍ତ୍ତାମାନକଙ୍କ ମଧ୍ୟରୁ ପାର୍ବତୀ ସେଠ,ସପନ ମିଶ୍ର,ଦୁର୍ଗା ଦାଶ,ସଦାନନ୍ଦ ପଣ୍ଡା ଓ ସଂଯୁକ୍ତା ମିଶ୍ର ପ୍ରମୂଖ ଉପସ୍ଥିତ ରହି ମହୋତ୍ସବର ସବିଶେଷ ବିବରଣୀ ଉପସ୍ଥାପନ କରିଛନ୍ତି।
୮ ତାରିଖ ଦିନ ସକାଳ ୯ ଟାରେ ସମଲେଇ ମନ୍ଦିରଠାରେ ପୂଜାର୍ଚ୍ଚନା ସହ ତାଙ୍କ ଆଜ୍ଞାମାଳ ବୀର୍‌ସା ମଏଦାନ୍‌,ପିଏଚ୍‌ଡ଼ି ପଡ଼ିଆକୁ ଅଣାଯିବ। ଦିନ ୧୦ ଟାରେ ଫାଟକ,ବୁଢ଼ାରଜା ଠାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମହୋତ୍ସବ ସ୍ଥଳ ପର୍ଯ୍ୟନ୍ତ ଯିବ। ଦିନ ୧୧ ଟାରେ ବୀର୍‌ସା ମଏଦାନରେ ଝୁଟି-ଅଲ୍‌ପିନା-ରଂଗୋଲୀ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦିନ ୧୧ ଟାରେ ଷ୍ଟଲ୍‌, ମନ୍‌ହରି ହାଟ୍‌,ମୀନା ବଜାର ଓ ସୁଆଦ୍‌ ସମ୍ବଲ୍‌ପୁରୀ ଖାଦ୍ୟ ମେଳା ଉଦ୍‌ଘାଟିତ ହେବ।
ସଂନ୍ଧ୍ୟାରେ ୬:୩୦ ସମୟରେ ପ୍ରଥମେ ମଂଚ ପୂଜା ପୂର୍ବକ ମାଲେଶ୍ରୀ ମନ୍ତ୍ରରେ ସମଲେଶ୍ବରୀଙ୍କୁ ମଂଚରେ ସ୍ଥାପନ କରାଯାଇ ଆବାହନ କରାଯିବ। ପରେ ପରେ ମହୋତ୍ସବର ଉଦ୍‌ଘାଟନ କରିବେ ପଦ୍ମଶ୍ରୀ(ଘୋଷିତ) କବି ବିନୋଦ ପଶାୟତ। ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥିଙ୍କ ସାଂସ୍କୃତିକ ବାର୍ତ୍ତା କାର୍ଯ୍ୟକ୍ରମ ପରେ ସମଲେଇ ଭଜନରୁ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ ହେବ।ସମ୍ବଲପୁରୀ ପିନ୍ଧନ୍‌ପଟା ଚାଲିରେ ସମ୍ବଲ୍‌ପୁରୀ ଫେଶନ୍‌ ରାମ୍ପ୍‌ ୱାକ୍‌ ହେବ। ପରେ ପରେ ସମ୍ବଲପୁରୀ ଲୋକ ନୃତ୍ୟ,ପାରଂପାରିକ ନୃତ୍ୟ,ସାଂପ୍ରତିକ ନୃତ୍ୟ ପ୍ରଦର୍ଶିତ ହେବ। ଆଂଚଳିକ,ରାଜ୍ୟସ୍ତରୀୟ ଆଦିବାସୀ ଓ ଜନଜାତୀୟ ଅବଲୁପ୍ତମୂଖୀ ନୃତ୍ୟ ଦଳ ପ୍ରଦର୍ଶନ କରିବେ। ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ମାଷ୍ଟର ପ୍ରେମ୍‌ଙ୍କ ନିର୍ଦ୍ଦେଶନାରେ ଗାୟତ୍ରୀ କଲେଜର କଳାକାରମାନେ ଶ୍ରୀରାମଙ୍କ ଗାଥା ନୃତ୍ୟ ପରିବେଷଣ କରିବେ। ପରେ ଜାତୀୟ ନୃତ୍ୟ ବିହୁ ଓ ଲାୱଣୀ ପରିବେଷଣ କରାଯିବ। ଏ ବର୍ଷ ସମ୍ବଲ୍‌ପୁରର ସମଲେଇ ମନ୍ଦିରର ନୂତନ ବେଢ଼ା ନିର୍ମାଣ କରାଯାଇଥିବାରୁ ସେ ସମ୍ପର୍କିତ ‘ସାତ୍‌ ବହନୀ’ କିମ୍ବଦନ୍ତୀ ଆଧାରିତ ପଶ୍ଚିମାଂଚଳର ଦେବୀଙ୍କ ମଂଚରେ ଅଭିନବଭାବରେ ଦେବୀଙ୍କ ଅଭିନୟାତ୍ମକ ପରିବେଷଣ ମଧ୍ୟ ରହିଛି। ଏହିଭଳି ସାତ ଦିନ ଧରି ବିଭିନ୍ନ ଆଦୀବାସୀ,ଜନଜାତୀୟ ଓ ବିକଶିତ ଗୀତନୃତ୍ୟ ପ୍ରତ୍ୟହ ପରିବେଶିତ ହେବ। ମହୋତ୍ସବର ଦ୍ବିତୀୟ ଓ ତୃତୀୟ ଦିବସରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସମ୍ବଲ୍‌ପୁରୀ ଭାଷାର ସାମ୍ବିଧାନିକ ସ୍ବୀକୃତି,ନୃତ୍ୟଗୀତର ଲିପିବଦ୍ଧିକରଣର ଆବଶ୍ୟକତା,ପଶ୍ଚିମାଂଚଳର ସମୃଦ୍ଧ ଅତୀତ,ଲୋକବିଶ୍ବାସ,ଲୋକବିଜ୍ଞାନ ଓ ପଶ୍ଚିମାଚଳର ଜମିଉପଯୋଗୀ ଚାଷ ସଂପର୍କିତ ଆଲୋଚନା ଚକ୍ର ହେବ। ଏ ବର୍ଷ ଜାମ୍‌ସେଦ୍‌ପୁର୍‌ରୁ ଓମ୍‌ନୀଷ୍‌ ଦାସ୍‌ ଓ ଦଳ ପ୍ରସ୍ତୁତ କରିବେ ‘ସମଲେଇ ଗୁଡ଼ି ତିଆରିର କିମ୍ବଦନ୍ତୀ କଥା’ ନୃତ୍ୟାଭିନୟ। ଏଥିରେ ବଳରାମ ଦେବଙ୍କୁ ନେଇ ଶଶକ ଓ ଶ୍ବାନଙ୍କ ଲଢ଼େଇ ଓ ଗୁମ୍‌ ଦର୍ହାରେ ରହିଥିବା ସମଲେଇଙ୍କ ସ୍ବପ୍ନାଦେଶ କଥାକୁ ନୃତ୍ୟଗୀତ ମାଧ୍ୟମରେ କଳାକାରମାନେ ଦେଖେଇବେ। ସେହିଭଳି ପ୍ରତ୍ୟେକ ରଜନୀରେ ଲୋକ କଳା ସହ ପ୍ରୟୋଗାତ୍ମକ ନୃତ୍ୟ ପ୍ରଦର୍ଶିତ ହେବ। ପଶ୍ଚିମାଂଚଳିୟ ଲୋକକଳାକୃତିର ବିଶେଷ ପ୍ରଦର୍ଶନୀ ପ୍ରେକ୍ଷାଳୟରେ ଫଟୋଚିତ୍ର,ଅଙ୍କିତ ଚିତ୍ରକଳା,ହସ୍ତକଳା ଓ ଲଳିତ କଳା ସ୍ଥାନ ପାଇବ। ୧୧ ତାରିଖ ରବିବାର ଦିନ ସକାଳ ୧୦ ଟାରୁ ମୂଖ୍ୟ ମଂଚରେ ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମରେ ୫୦୦ ଉର୍ଧ୍ବ କବି ଯୋଗଦେଇ ନିଜସ୍ବ କବିତା ପାଠ କରିବେ। ପ୍ରତ୍ୟେକ ରଜନୀରେ ବିଭିନ୍ନ ବର୍ଗରେ ସମ୍ବଲ୍‌ପୁରୀ ପିନ୍ଧନପଟା ଚାଲି, ଫେଶନ୍‌ ଶୋ ହେବ। ଏ ବର୍ଷ ନୂତନ ଭାବେ ପ୍ରଥମ ରଜନୀରେ ଆଦିବାସୀ ବେଶଭୂଷା ଚାଲି ହେବ।
ପ୍ରତିଦିନ ଲୋକଶ୍ରୀ ସମ୍ମାନ ପ୍ରଦାନ କରାଯିବ। ସମ୍ବଲ୍‌ପୁର ସମେତ ବଲାଙ୍ଗିର,କଳାହାଣ୍ଡି,ସୁନ୍ଦରଗଡ଼,ନୂଆଁପଡ଼ା,ବରଗଡ଼,ଝାର୍‌ସୁଗୁଡ଼ା,ଟିଟିଲାଗଡ଼,ଦେବଗଡ଼,ବଉଦ,ସୋନ୍‌ପୁର ଓ ଆଠ ମଲ୍ଲିକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ,ବ୍ୟକତ୍ବିଶେଷ ଓ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି। ଛଅ ଜଣ କୂଳପତିଙ୍କ ସମେତ ବିଭିନ୍ନ ନେନୃମଣ୍ଡଳୀ ଓ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଅତିଥି ଦକ୍ତା ଭାବରେ ମଂଚ ମଣ୍ଡନ କରିବେ। ‘ନାଗବାଚା’,ବିନାକାରିଆ,ସଂପର୍ଦା,ଡ଼ଁଡ଼୍‌,ଲୀଲା,ପ୍ରଭୃତି ପ୍ରତି ରଜନୀରେ ପ୍ରଦର୍ଶିତ ହେବ। ସମ୍ବଲ୍‌ପୁରର ଅଗ୍ରଣୀ ନୃତ୍ୟାନୁଷ୍ଠାନମାନେ ନୃତ୍ୟ ପରିବେଷଣ କରିବେ। ଏହା ଛଡ଼ା ଅନେକ ଶିକ୍ଷାନୁଷ୍ଠନ ନିଜ ନିଜ ନୃତ୍ୟ ପରିବେଷଣ କରିବେ। କଳାକାରମାନଙ୍କ ଏହି ବାର୍ଷିକୀୟ ମାହାକୁମ୍ଭରେ ୭୦୦ ରୁ ଅଧିକ କଳାକାର ସାମିଲ୍‌ ହେବେ। ପ୍ରାୟ ୪୨ ଲକ୍ଷ ବ୍ୟୟ ଅଟକଳରେ ଆୟୋଜିତ ହେଉଥିବା ଏହି ସମ୍ବଲପୁର ମହୋତ୍ସବ ଏ ବର୍ଷ ପୂର୍ବ ବର୍ଷ ଅପେକ୍ଷା ଆହୁରି ଅଧିକ ଚିତ୍ତାକର୍ଷକ ଭାବରେ ସମାହିତ ବୋଲି ଆୟୋଜକମାନେ ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।