ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ୨୦୨୫ ଅନ୍ତର୍ଗତ ୱାକାଥନ ଅନୁଷ୍ଠିତ
ବାଲେଶ୍ୱର(ଶେଖ୍ ନଜିମ୍):ରାଜ୍ଯ ପରିବହନ ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନ ଅଧୀନସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆୟୋଜନରେ ଆଜି ସକାଳ ୭ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ପରିସରରୁ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ନିମନ୍ତେ ଏକ ୱାକାଥନ ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିକୁ ପତାକା ଦେଖାଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଶୁଭାରମ୍ଭ କରିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆୟୋଜିତ ଏହି ରାଲିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାସ, ଏମଭିଆଇ ସୁଶ୍ରୀ ସ୍ୱାହା ହେମ୍ବ୍ରମ, ବିଭିନ୍ନ ବିଭାଗର ଅଧିକାରୀ ତଥା ପୋଲିସ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ରାଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସମାପ୍ତ ହେବା ପରେ ସେଠାରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦାସ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଗାଡ଼ି ଚାଳନା ବେଳେ ହେଲମେଟ ପିନ୍ଧିବା ପାଇଁ ପ୍ରତିଜ୍ଞା କରାଇଥିଲେ। ଏଥି ସହିତ ଦୈନନ୍ଦିନ ଜୀବନରେ ରାସ୍ତାରେ ଯାନ ବାହାନର ଭିଡ଼କୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସତର୍କତାର ସହ ପ୍ରତ୍ୟେକ ସଡ଼କ ନିୟମ ମାନି ଗାଡ଼ି ଚଲାଇଲେ ନିଜର ସୁରକ୍ଷା ସହ ପରିବାରର ରକ୍ଷା ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଦାସ ମତ ପ୍ରକାଶ କରିଥିଲେ I ଏଠାରେ ସୂଚନା ଥାଉ କି, ଚଳିତ ମାସ ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ତଥା ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ୨୦୨୫ ପାଳନ କରାଯାଉଛି I