୧୮ ନଂ ୱାର୍ଡରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ଅଚାନକ ପରିଦର୍ଶନ
ଧବଳେଶ୍ୱର ପୀଠର ଦର୍ଶନ ସହ ୱାର୍ଡବାସୀଙ୍କ ସମସ୍ୟା ଶୁଣିଲେ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସମ୍ମାନନୀୟା କାବେରୀ ମୁଦୁଲି ୩୧ ଅକ୍ଟୋବର ୨୦୨୬, ଶନିବାର ଦିନ ପୌର ପରିଷଦ ଅନ୍ତର୍ଗତ ୧୮ ନଂ ୱାର୍ଡକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ୱାର୍ଡର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ପୀଠକୁ ମଧ୍ୟ ବିଧିବଦ୍ଧ ଭାବେ ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ୧୮ ନଂ ୱାର୍ଡ କାଉନସିଲରଙ୍କ ପ୍ରତିନିଧି ବଦ୍ରିନାରାୟଣ ସାହୁଙ୍କ ସହ ୱାର୍ଡର ରାସ୍ତାଘାଟ, ଡ୍ରେନେଜ୍ ବ୍ୟବସ୍ଥା, ଆଲୋକୀକରଣ ସମେତ ବିଭିନ୍ନ ମୌଳିକ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଏଥିସହ ୱାର୍ଡର ମହିଳା, ଯୁବକ ଓ ବରିଷ୍ଠ ନାଗରିକମାନଙ୍କ ସହ ସିଧାସଳଖ ଭାବେ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିଲେ।ଦୀର୍ଘ ଦିନର ବ୍ୟବଧାନ ପରେ ପୌର ପ୍ରଶାସନର ଏଭଳି ଅଚାନକ ୱାର୍ଡ ପରିଦର୍ଶନକୁ ୱାର୍ଡବାସୀ ସ୍ୱାଗତ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସାଧୁବାଦ ଓ ପ୍ରଶଂସା ଜଣାଇଛନ୍ତି।
