November 6, 2026

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶିବିର ଉଦ୍‌ଘାଟିତ

IMG-20261106-WA0048
Share

 

ପୁରୀ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀ ପକ୍ଷରୁ ସପ୍ତଦିବସୀୟ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଯାଇଛି। ନଭେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡା. ବିପିନ ବିହାରୀ ଖୁଣ୍ଟିଆ ଉଦ୍‌ଘାଟନ କରିଥିଲେ।

ଉଦ୍‌ଘାଟନୀ ସମାରୋହରେ ଡା. ବିନୋଦ ଚନ୍ଦ୍ର ସିଂହ, ଡା. ଭାରତୀଲତା ଆଚାର୍ଯ୍ୟ, , ଡା. ଜସ୍ମିତା ପ୍ରିୟଦର୍ଶିନୀ, ଡା. ମଧୁମିତା ପାଣିଗ୍ରାହୀ ଓ ଡା. ରୁଚିସ୍ମିତା ଦାଶ, ଡା.ଅରୁଣିମା ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ତଥା ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଶିବିରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ଶିବିରର ଆୟୋଜନ ଓ ପରିଚାଳନା ଜାତୀୟ ସେବା ଯୋଜନାର ସଂଯୋଜିକା ଡା. ଜସ୍ମିତା ପ୍ରିୟଦର୍ଶିନୀ” ଙ୍କ ତତ୍ତ୍ୱାବଧାନରେ କରାଯାଉଛି।

ଶିବିରରେ ସ୍ୱାସ୍ଥ୍ୟ ସଚେତନତା, ରକ୍ତହୀନତା ପରୀକ୍ଷା, ଔଷଧ ବଣ୍ଟନ, ନିଶା ନିବାରଣ ସମ୍ପର୍କିତ ସଚେତନତା ନାଟକ, ମାନସିକ ସ୍ୱାସ୍ଥ୍ୟ ସଚେତନତା, ସ୍ୱଚ୍ଛତା ଅଭିଯାନ, ବୃକ୍ଷରୋପଣ, ଯୋଗ, ହୃତ୍‌ପିଣ୍ଡ-ଶ୍ୱାସକ୍ରିୟା ପୁନରୁଦ୍ଧାର ପ୍ରଶିକ୍ଷଣ, ଜରୁରୀକାଳୀନ ପରିସ୍ଥିତିର ମୁକାବିଲା, ବିପଦ ସମୟରେ ଉଦ୍ଧାର ତଥା ପ୍ରାଥମିକ ସହାୟତା ପ୍ରଦାନ ସମ୍ପର୍କିତ ପ୍ରଶିକ୍ଷଣ ଭଳି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିସହିତ ଭାଷଣ, ପ୍ରବନ୍ଧ ଓ ଦଳଗତ ଆଲୋଚନା ଭଳି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ।

ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ, ନେତୃତ୍ୱ ଦକ୍ଷତା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧର ବିକାଶ କରିବା। “ମୁଁ ନୁହେଁ, ଆମେ” ଆଦର୍ଶକୁ ଆଧାର କରି ଏହି ଶିବିର ସମାଜସେବା ଓ ଜନସଚେତନତାର ଏକ ଉତ୍ତମ ମାଧ୍ୟମ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ