October 6, 2026

ଶ୍ରମିକ କାର୍ଡ କରାଇଦେବା ନାଁରେ ଦଲାଲ ସକ୍ରିୟ ଘଟଣା, ଥାନାରେ ଏଫ ଆଇ ଆର ଦେଲେ ବ୍ଲକ ଶ୍ରମ ଅଧିକାରୀ

IMG-20261006-WA0112
Share

 

 

 

ହାଟଡିହି ତା ୬/୧୦(ମନମୋହନ ନାୟକ) : ନିର୍ମାଣ ଶ୍ରମିକ କାର୍ଡ କରାଇଦେବା ନାଁରେ ଦଲାଲମାନେ ହିତାଧିକାରୀଙ୍କଠାରୁ ଏକ ହଜାରରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଅଭିଯୋଗ ନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କଠୋର ହୋଇଛନ୍ତି ବ୍ଲକ କର୍ତ୍ତୃପକ୍ଷ। ହାଟଡିହି ବ୍ଲକ ଦାୟିତ୍ୱରେ ଥିବା ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ଶାଶ୍ୱତ ପ୍ରୀତମ ଆଜି ନନ୍ଦିପଦା ଥାନାରେ ସମ୍ପୃକ୍ତ ଦଲାଲ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି। ଆନନ୍ଦପୁର ଥାନା ଟାଙ୍ଗର ଗ୍ରାମର ଉପେନ୍ଦ୍ର ସାହୁ ଦୀର୍ଘ ବର୍ଷ ହେଲା ଏହି କାମ କରୁଥିବା ବେଳେ ଗତକାଲି କିଛି ଲୋକଙ୍କୁ ଧରି ବ୍ଲକକୁ ଆସିଥିଲେ। ସେମାନଙ୍କୁ ନିର୍ମାଣ ଶ୍ରମିକ କାର୍ଡ କରାଇଦେବା ନାମରେ ସେମାନଙ୍କ ଠାରୁ ହଜାରେ ଦୁଇ ହଜାର ନେଉଥିବା ଲୋକେ ଅଭିଯୋଗ କରିଥିଲେ। ଏପରିକି ଜାଲ କାଗଜପତ୍ର ମାଧ୍ୟମରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ନିର୍ମାଣ କାମ ସହିତ ସମ୍ପୃକ୍ତ ନଥିବା କିଛି ବ୍ୟକ୍ତି ମଧ୍ୟ ଏହି କାର୍ଡ ହାତେଇଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ଏହି ଦଲାଲ ପାଖରେ ୫୦ରୁ ଊର୍ଦ୍ଧ୍ୱ ଫାଇଲ ଥିବାବେଳେ ଲୋକେ ତାଙ୍କୁ ଘେରି ରହି ଦସ୍ତଖତ କରୁଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ସନ୍ଦେହ ହୋଇଥିଲା। ଘଟଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ତାଙ୍କୁ ହିତାଧିକାରୀ ମାନେ ସ୍ୱଇଛାରେ ଦୁଇରୁ ତିନି ହଜାର ଟଙ୍କା ଦେଉଥିବା ସେ ସ୍ୱୀକାର କହିଥିଲେ। ଏହା ଜାଣିବା ପରେ ଶ୍ରମ ଅଧିକାରୀ ତାଙ୍କୁ ଡାକି ପଚରା ଉଚୁରା କରିବା ସହିତ ବ୍ଲକ କାର୍ଯ୍ୟାଳୟ ଛାଡି ଚାଲିଯିବାକୁ କହିଥିଲେ। ଆଜି ଶ୍ରମ ଅଧିକାରୀ ଏନେଇ ଥାନାରେ ଅଭିଯୋଗ କରିବା ସହିତ ଅନ୍ୟ ଯେଉଁ ଦଲାଲ ଏପରି କରୁଥିବେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ସେହିପରି ଜାଲ କାଗଜ ପତ୍ରରେ ଯେଉଁ ସବୁ ନିର୍ମାଣ ଶ୍ରମିକ କାର୍ଡ ହୋଇଛି ତାହାର ତଦନ୍ତ କରାଯାଇ ନାକଚ କରାଯିବ ବୋଲି ସେ କହିଛନ୍ତି।

You may have missed