April 9, 2025

ଚହଳ ପକାଇଛି ଭାମଶ୍ୟାଳି ଦଣ୍ଡଯାତ୍ରା ନାଟକ ” ହାଏ କୃଷ୍ଣ ବୋଲି ଯାଉ ଜୀବ “

Share

ବୁଗୁଡ଼ା :ତା ୦୬/୦୪/୨୫ : ଚଳିତ ବର୍ଷ ପବିତ୍ର ଦଣ୍ଡଯାତ୍ରା ଉପଲକ୍ଷେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ଶ୍ରୀ ଶ୍ରୀ ଶଙ୍କର ଉପାସକ ନାଟ୍ଯ ସଂଘ ପକ୍ଷରୁ ପରିବେଷିତ ହସକାନ୍ଦଭରା ପାରିବାରିକ ସୁପରହିଟ୍ ସାମାଜିକ ନାଟକ ” ହାଏ କୃଷ୍ଣ ବୋଲି ଯାଉ ଜୀବ ” ଚାରିଆଡେ ଚହଳ ପକାଇଛି । ନିର୍ଦ୍ଦେଶକ କାହ୍ନୁ ଚରଣ ପ୍ରଧାନଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ମଞ୍ଚସ୍ଥ ଉକ୍ତ ନାଟକରେ ପୁରୁଷ ଚରିତ୍ରରେ ୧୧ ଜଣ ଓ ନାରୀ ଚରିତ୍ରରେ ୬ ଜଣ କଳାକାର ଅଭିନୟ କରୁଛନ୍ତି । ନାଟକର ନାୟକ ଦୁର୍ଲଭ , ସହ-ନାୟକ ରାକେଶ, ନାୟିକା ସନ୍ତୋଷୀମା, ଖଳନାୟକ କାହ୍ନୁ ଚରଣ ଓ ହାସ୍ୟାଭିନେତା କୈଳାସଙ୍କ ସମେତ ଅନ୍ଯ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁଁ ନାଟକଟି କେବଳ ବୁଗୁଡ଼ା ଅଞ୍ଚଳ ଭିତରେ ନୁହେଁ ବାହାରେ ମଧ୍ୟ ଦର୍ଶକଙ୍କ ଦ୍ବାରା ଖୁବ୍ ଆଦୃତ ହୋଇପାରିଛି । ଏଥି ସହ ଚିରିକିପଡା ଶାସନ ଗ୍ରାମସ୍ଥ ସଞ୍ଜୟ ଚିତ୍ରାଳୟର ଆକର୍ଷଣୀୟ ଆଲୋକସଜ୍ଜା ଓ ରୂପସଜ୍ଜା ଦର୍ଶକଙ୍କୁ ବିମୋହିତ କରିପାରୁଥିବା ବେଳେ ଆଲୋକ ମ୍ଯୁଜିକ୍ କଟକର କଳାକାରଙ୍କ ସଙ୍ଗୀତ ପରିବେଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ପାରୁଛି । ଏଥି ସହ ଖୋର୍ଦ୍ଧାର ଏବିସିଡି ଡ୍ଯାନ୍ସ ଗ୍ରୁପ କଳାକାରଙ୍କ ନୃତ୍ୟର ତାଳେ ତାଳେ ଦର୍ଶକ ଝୁମି ଉଠୁଛନ୍ତି। ଏଣୁ, ବିଭିନ୍ନ ସ୍ଥାନରେ ପରିବେଷିତ ଉକ୍ତ ନାଟକଟି ହଜାର ହଜାର ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ନୟାଗଡ ଜିଲ୍ଲାର ଓଡଗାଁ ପଞ୍ଚୁଦଣ୍ଡରେ ପ୍ରଥମ ପୁରସ୍କାର ହାତେଇ ଚହଳ ସୃଷ୍ଟି କରିଛି । ଫଳରେ ଭାମଶ୍ୟାଳି ଦଣ୍ଡଯାତ୍ରା ନାଟକର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ପ୍ରଦର୍ଶନ କାଳରେ ଦର୍ଶକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି ।