October 5, 2026

ଗଜପତି:- ପାଟିକୋଟା ଗ୍ରାମ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ଓ ପ୍ଲେଟ ପକାଇବା ପାଇଁ ଦାବି

IMG-20261005-WA0058
Share

 

ବିଧାୟକଙ୍କ ଅଚାନକ ପରିଦର୍ଶନ ଏବଂ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ

—————————————-;

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ପଞ୍ଚାୟତର ପାଟିକୋଟା ଗ୍ରାମର ମୁଖ୍ୟ ରାସ୍ତାରେ ଜଳ ନିଷ୍କାସନ ସମସ୍ୟାର ସମାଧାନ ସହ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଏବଂ ଡ୍ରେନ ଉପରେ ପ୍ଲେଟ ପକାଇବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା ଦିନରେ ମୁଖ୍ୟ ରାସ୍ତାରେ ବର୍ଷାଜଳ ଜମି ରହିବା ସହ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏହା ଫଳରେ ଯାତାୟତରେ ଅସୁବିଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ଦୀର୍ଘଦିନ ଧରି ରହିଥିବା ଏହି ସମସ୍ୟା’ର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ସ୍ଥାନୀୟ ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କୁ ଅବଗତ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ବିଧାୟକ ରୁପେଶ ପାଣିଗ୍ରାହୀ ଆଜି ଅଚାନକ ପାଟିକୋଟା ଗ୍ରାମକୁ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଗ୍ରାମବାସୀ ବର୍ଷା ସମୟରେ ମୁଖ୍ୟ ରାସ୍ତା ଉପରେ କିଭଳି ଭାବେ ପାଣି ପ୍ରବାହିତ ହେଉଛି, ସେ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ।

ସ୍ଥିତି ଦେଖିବା ପରେ ବିଧାୟକ ତୁରନ୍ତ ଜାତୀୟ ରାଜପଥ ସମ୍ପୃକ୍ତ ଅଧିକାରୀ ଏବଂ ପୂର୍ତ୍ତ ବିଭାଗର ଅଧିକାରୀ ଅଭିଷେକ ସେଠୀଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ରାସ୍ତାର ଡ୍ରେନେଜ୍ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ସହ ଆବଶ୍ୟକ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସେ ଅଧିକାରୀ ମାନଙ୍କୁ ଜଣାଇଥିଲେ।

ଏହାର ଉତ୍ତରରେ ସମ୍ପୃକ୍ତ ଅଧିକାରୀ ମାନେ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ରାସ୍ତାର ସ୍ଥିତି ତଦାରଖ କରିବା ସହ ଆବଶ୍ୟକ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବେ ବୋଲି ବିଧାୟକ’ଙ୍କୁ ଜଣାଇଥିବା ସୂଚନା ମିଳିଛି।

ଏଥିସହ ପାଟିକୋଟା ଗ୍ରାମର ମୁଖ୍ୟ ରାସ୍ତାରେ ଆବଶ୍ୟକ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ବିଧାୟକ ରୁପେଶ ପାଣିଗ୍ରାହୀ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ଓ ଡ୍ରେନ ଉପରେ ପ୍ଲେଟ ପକା ହେଲେ ଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରିବା ସହ ଗ୍ରାମବାସୀ ମାନଙ୍କ ଯାତାୟତରେ ମଧ୍ୟ ସୁବିଧା ହେବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।

ବିଧାୟକ’ଙ୍କ ଏହି ପରିଦର୍ଶନ ସମୟରେ ନାୟବ ସରପଞ୍ଚ ସାଇଲୋଡା ଆନନ୍ଦ ରାଓ, ଏସ୍‌. ନାରାୟଣ ରାଓ, ଦିଲେଶ୍ୱର ରାଓଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସମସ୍ୟା ସମାଧାନ ପାଇଁ ବିଧାୟକ ତୁରନ୍ତ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିଥିବାରୁ ଗ୍ରାମବାସୀ ବେଶ୍ ଆଶାବାଦୀ ଥିବା ଜଣାପଡ଼ିଛି ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————-