October 5, 2024

କଳା ସଂସ୍କୃତି ଓ ଭାଇଚାରା ର ଗାଁ ଲିମପଦର

Share

 

 

 

ରାମନାଗୁଡା(ସଂଜୀବ କୁମାର ଦାଶ)ଲୋକଙ୍କ କଥାରୁ ଜଣା ପଡେ ଦୀର୍ଘ ୧୫୦ ରୁ ଉର୍ଦ୍ଧ୍ବ ବର୍ଷ ତଳର ଏହି ଗାଁ ହେଉଛି ଲିମାପଦର । ବଂଶଧାରା ନଇ କୂଳରେ ଅବସ୍ଥିତ ଏହି ଗାଁ l ଲୋକ କଥାରୁ ଜଣା ପଡେ ଏହି ଗାଁ ପାରିପାର୍ଶ୍ୱରେ ଥିଲା ନିମ୍ବ ବୃକ୍ଷର ଜଙ୍ଗଲ ବା ଲୋକଙ୍କ ଆଞ୍ଚଳିକ ଭାଷା ରେ ଲିମ୍ଵ ଗଛର ଜଙ୍ଗଲ ରହିଥିବାରୁ କାଳକ୍ରମେ ତାହା ଲିମାପଦର ନାମରେ ନାମିତ ହେଲା।ଏହି ଗ୍ରାମରେ ମୋଟ ୧୫୬ ଘର ବସବାସ କରୁଥିବା ବେଳେ ମୋଟ ଜନସଂଖ୍ୟା ପ୍ରାୟ ୬୫୦,ଏଥିରୁ ପୁରୁଷ ସଂଖ୍ୟା ୩୫୦,ମହିଳା ଙ୍କ ସଂଖ୍ୟା ୩୦୦।ମୁଖ୍ୟତଃ ଗ୍ରାମର ଅଧିକାଂଶ ବାସିନ୍ଦା ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି।ଏହି ଗାଁ ସମ୍ମୁଖୀନ କରିଛି ବଂଶଧାରା ରେ ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟାକୁ ଯେଉଁ ଥିରେ ପାଖାପାଖି ୫୦-୬୦ଏକର ଚାଷ ଜମି ନଦୀ ଗର୍ଭରେ ଲିନ ହୋଇଯାଇଥିଲା।ଗାଁ ରେ ରହିଛି ସୀତାରାମ ମନ୍ଦିର,ରାଧାକୃଷ୍ଣ ମନ୍ଦିର ଓ ଗ୍ରାମଦେବୀ ମନ୍ଦିର।ସନ୍ଧ୍ୟା ନଇଁ ଆସିଲେ ଗାଁ ରେ ଏକ ଆଧ୍ୟାତ୍ମିକ ପରିବେଶ ଆପେ ଆପେ ଆସିଯିବା ସହ ମନ୍ଦିର ପରିସରରେ ଭାଗବତ ପଠନ ସହ ଭଜନ କୀର୍ତ୍ତନ ର ଆସର ଜମିଥାଏ। ଏଥି ସହ ବର୍ଷ ତମାମ ଗାଁ ରେ ଚାଲିଥାଏ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଯେମିତିକି ଶ୍ରୀରାମ ନବମୀ, ଜନ୍ମାଷ୍ଟମୀ,ଗଣେଶ ପୂଜା ,ଭାଗବତ ପରାୟଣ ଇତ୍ୟାଦି।ପ୍ରତି ବର୍ଷ ଆୟୋଜିତ ହେଉଥିବା ଭାଗବତ ପାରାୟଣ ରେ ମାନସିକଧାରି ଙ୍କ ସପ୍ତର୍ଷି ଉଦ୍ୟେଶ ରେ ସପ୍ତଦ୍ୱୀପ ଧାରଣ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ର କେବଳ ଏହି ଲିମାପଦର ଗାଁ ରେ ଦେଖିବାକୁ ମିଳିଥାଏ।ଏହି ଗାଁ ପରିବା ଚାଷ ଓ ସୂପକାର ଙ୍କ ପାଇଁ ଅଞ୍ଚଳ ରେ ବେଶ ପ୍ରସିଦ୍ଧି ଲାଭ କରିଛି। ଏଠାରେ ଚାଷ ହେଉଥିବା ପୋଟଳ ର ବେଶ ଚାହିଦା କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ସାରା ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରେ ମଧ୍ୟ ରହିଛି।ଏଠାରେ ପ୍ରାୟ ୨୦ ରୁ ୨୫ଏକର ପରିମିତି ଜମିରେ ହେଉଥିବା ପୋଟଳ ଚାଷ ସ୍ଥାନୀୟ ବଜାର ସହ ନିକଟସ୍ଥ ଗୁଣପୁର,ପଦ୍ମପୁର ,ରାମନାଗୁଡ଼ା ସହ ବ୍ରହ୍ମପୁର ଭୁବନେଶ୍ୱର କୁ ମଧ୍ୟ ପଠାଯାଇଥାଏ। ଏହି ଗାଁ ର ଆଉ ଏକ ବିଶେଷତ୍ଵ ହେଲା ସ୍ଥାନୀୟ ଅଞ୍ଚଳ ସହ ପୁରା ଜିଲ୍ଲାରେ ଭୋଜି ର ଆୟୋଜନ ବେଳେ ସର୍ବ ପ୍ରଥମେ ଖୋଜା ପଡ଼ିଥାଏ ଏଠିକାର ସୂପକାର ଙ୍କୁ ।ବର୍ଷ ତମାମ ଭୋଜିଭାତ ରେ ଏଠାକାର ସୂପକାର ଙ୍କ ହାତ ରନ୍ଧା ଦେଖିବାକୁ ମିଳିଥାଏ।କେବଳ ଯେ ମଣିଷ ମଣିଷ ଭିତରେ ନୁହେଁ ଏହି ଗାଁ ରେ ଦେଖିବାକୁ ମିଳେ ମଣିଷ ଓ ପଶୁପକ୍ଷୀ ନିଆରା ସମ୍ପର୍କ ।ପରିବେଶ ସନ୍ତୁଳନ ବିଗିଡ଼ି ଯିବା ରୁ ଅନ୍ୟ ସ୍ଥାନ ରେ ବାଦୁଡ଼ି ଭଳି ଅନେକ ପଶୁ ପକ୍ଷୀ ଲୋପ ପାଇବାକୁ ବସିଥିବା ବେଳେ ବାଦୁଡ଼ି ଙ୍କ ସୁରକ୍ଷିତ ଆଶ୍ରୟ ସ୍ଥଳୀ ପାଲଟିଛି ଲିମାପଦର।ବାଦୁଡ଼ି ଙ୍କୁ ଗ୍ରାମବାସୀ ଙ୍କ ସୁରକ୍ଷା ଓ ଜୀବନ ଯାପନ ପାଇ ଅନୁକୂଳ ପରିବେଶ ମିଳିଥିବାରୁ ବିଗତ ୧୦ ବର୍ଷ ରେ ବାଦୁଡ଼ି ଙ୍କ ସଂଖ୍ୟା ଏଠାରେ ବହୁ ଗୁଣିତ ହୋଇଛି।ସୁଖ ହେଉ କି ଦୁଃଖ ଅଥବା ଗ୍ରାମ ର ସାମଗ୍ରିକ ବିକାଶ ଓ ସମସ୍ୟା ର ସମାଧାନ ହେଉ କି ବିଭିନ୍ନ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ରେ ଗ୍ରାମବାସୀ ଙ୍କ ଏକତା ଓ ସମର୍ପଣ ଭାବ ନିଶ୍ଚିତ ରୂପେ ଅନ୍ୟମାନଙ୍କ ପାଇ ପ୍ରେରଣାଦାୟୀ।