ବୁଗୁଡ଼ାରେ ଅପରେସନ୍ ‘ପ୍ରହାର’, ବ୍ଯାପକ ପରିମାଣର ନିଶା ଦ୍ରବ୍ଯ ଜବତ
ବୁଗୁଡା : ତା ୦୫/୦୯/୨୫ : ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଦୂରତା ପର୍ଯ୍ୟନ୍ତ ସିଗାରେଟ୍, ଗୁଟଖା, ପାନ ମସଲା ଭଳି ନିକୋଟିନ୍ ଯୁକ୍ତ ଦ୍ରବ୍ୟ ବିକ୍ରି କରିବା ଆଇନାନୁଯାୟୀ ନିଷିଦ୍ଧ କରାଯାଇଛି। ରାଜ୍ୟ ପୋଲିସ୍ ବିଭାଗ ପକ୍ଷରୁ ଅପରେସନ’ ‘ପ୍ରହାର’ ଜରିଆରେ ଏହି ଆଇନର କଡାକଡି ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ଦିନ ବୁଗୁଡା ପୋଲିସ ପକ୍ଷରୁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଦୂରତାରେ ଦୋକାନ ଖୋଲି ସିଗାରେଟ୍,ବିଡି, ଗୁଟଖା, ପାନମସଲା ବିକ୍ରି କରୁଥିବା ଦୋକାନ ଗୁଡିକ ଉପରେ ଅତର୍କିତ ଚଢ଼ାଉ କରାଯାଇଛି । ଉକ୍ତ ଦୋକାନ ଗୁଡିକରୁ ବିପୁଳ ପରିମାଣର ଗୁଟଖା, ସିଗାରେଟ୍, ବିଡି, ପାନ ମସଲା ସମେତ ନିକୋଟିନ୍ ଯୁକ୍ତ ସାମଗ୍ରୀ ଜବତ କରାଯିବା ସହ ୨ଟି ଦୋକାନୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବୁଗୁଡା ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ଅଜିତ କୁମାର ପରିଡା ଓ ବିନାୟକ ବିଧାର, ଏଏସଆଇ ବାପୁଜୀ ଖଣ୍ଡଗିରିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉକ୍ତ ଚଢାଉରେ ସାମିଲ ଥିଲେ। ପନ୍ଦର ଦିନ ବ୍ଯାପି ହେବାକୁ ଥିବା ଏହି ଚଢାଉ କାର୍ଯ୍ୟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଥାନା ଇଲାକାରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ଥିବା ଦୋକାନରେ କରାଯିବ ପୋଲିସ ସୂତ୍ରରୁ ଜଣାଯାଇଛି।।
