ପାତ୍ରପୁର ରେ ବସ ଷ୍ଟାଣ୍ଡ ବାଟବଣା

ବ୍ଲକ ଯେଉଁଠି , ସେଠି ହିଁ ନାହିଁ ବସଷ୍ଟାଣ୍ଡ। ଭାଗ୍ୟକୁ ଆଦରି ରାସ୍ତାକଡ଼ରେ ଜଗି ବସୁଛନ୍ତି ଲୋକେ। ପ୍ରତି ମୂହୁର୍ତରେ ସତେ ଯେପରି ହାତ ଠାରି ଡାକୁଛି ବିପଦ। ସାଧାରଣ ବସଷ୍ଟାଣ୍ଡ ବି କେମିତି ରାଜନୀତି ଭିତରେ ପେଶି ହୋଇଯାଏ ଆଉ ତା’ର ଫଳ ଭୋଗନ୍ତି ସାଧାରଣ ଜନତା, ଦେଖିବା ଏହି ରିପୋର୍ଟରୋ
ବଡ଼ ବ୍ଲକରେ ନାହିଁ ବସଷ୍ଟାଣ୍ଡ
ସାହାରା ସାଜିଛି ରୋଡ଼ସାଇଡ଼
ହୀନସ୍ତା ହେଉଛନ୍ତି ଲୋକେ, ବେଫିକର ପ୍ରଶାସନ
ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକ। ବ୍ଲକ ସହିତ ଅନ୍ୟାନ୍ୟ ପ୍ରମୁଖ ସରକାରୀ ଅଫିସ ଥିବାରୁ ସବୁବେଳେ ପ୍ରବଳ ଭିଡ଼ ଥାଏ ଏହି ବଜାରରେ। ଏଠାରେ ତହସିଲ ଅଫିସ, କୋର୍ଟ, ମେଡ଼ିକାଲ ଆଉ ଅନ୍ୟାନ୍ୟ ମୁଖ୍ୟ ସରକାରୀ ଅଫିସ ଅଛି। ଗ୍ରାମାଂଚଳରୁ ପ୍ରବଳ ଲୋକେ ପ୍ରତିଦିନ ଏହି ବଜାରକୁ ଆସିଥାନ୍ତି। ନିଜର ଜମିବାଡ଼ି କାମ ହେଉ କି ରୋଗୀଙ୍କୁ ଦେଖାଇବା ପାଇଁ ହେଉ , ପ୍ରତିଦିନ ହଜାର ହଜାର ଲୋକଙ୍କ ଏଠାକୁ ସୁଅ ଛୁଟିଥାଏ। ବସରେ ଆସିଥାନ୍ତି ଲୋକେ, କିନ୍ତୁ ଓହ୍ଲାଇବା ପରେ ବସଷ୍ଟାଣ୍ଡ ମିଳିନଥାଏ ସେମାନଙ୍କୁ। ଦୂର ଦୂରାନ୍ତରରୁ ଆସିଥିବା ବୟସ୍କ ବ୍ୟକ୍ତି, ରୋଗୀ, ଛୁଆ , ମହିଳା ସମସ୍ତେ ବହୁତ ହଇରାଣ ହୋଇଥାନ୍ତି। ଗାଡ଼ିକୁ ଅପେକ୍ଷା କରି ବସୁଥିବା ଯାତ୍ରୀଙ୍କ ଅବସ୍ଥା କହିଲେ ନସରେ। ସବୁଠାରୁ ବଡ଼ କଥାହେଲା ରାସ୍ତାକଡ଼ ହିଁ ଏମାନଙ୍କ ପାଇଁ ସାଜିଥାଏ ବସଷ୍ଟାଣ୍ଡ।
ଏଠାରେ କିଛି ପ୍ରଶ୍ନ ଉଠୁଛି କି
ସତରେ କଣ ବସଷ୍ଟାଣ୍ଡ ଲୋକଙ୍କ ଅଧିକାର ଭିତରେ ଆସୁନି କି?
ରାସ୍ତାକଡ଼ରେ ଅପେକ୍ଷା କରିଥିବା ଲୋକଙ୍କ ଦୁର୍ଘଟଣା ହେଲେ କିଏ ହେବ ଉତରଦାୟୀ?
ଯେଉଁଠି ସମସ୍ତ ସରକାରୀ ଅଫିସ, ସେଠି ଲୋକେ ହଇରାଣ ହେବ କାହିଁକି?
ଏନେଇ ପୂର୍ବରୁ ଲୋକେ ବାରମ୍ବାର ଅଭିଯୋଗ କରି ଆସିଛନ୍ତି। ପୁର୍ବରୁ ଥିବା ବିଜେଡ଼ି ସରକାରରେ ମଧ୍ୟ ବାରମ୍ବାର ଦାବୀ ଉଠାଇଥିଲେ। କିନ୍ତୁ କିଛି ଫଳ ମିଳିନଥିଲା। ପାତ୍ରପୁର ବ୍ଲକରେ ଥିବା ୨୩ ପଂଚାୟତରୁ ୬ଟି ସଂପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଗାଁ। ସରକାରୀ ଯୋଜନାରେ ଥିବା କାମ ଗୁଡ଼ିକ କରିବାପାଇଁ ସେମାନେ ପାତ୍ରପୁର ବଜାର ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। କିନ୍ତୁ ଏଠାରେ ବସଷ୍ଟାଣ୍ଡ ଟିଏ ନଥିବାରୁ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ଯେଉଁଠି ବସଷ୍ଟାଣ୍ଡ ନାହିଁ ସେଠାରେ ଶୌଚାଳୟ କଥା ପଚାରେ କିଏ? ଏମିତି ପରିସ୍ଥିତି ଯେ, ଲୋକେ ବସକୁ ଜଗିବାକୁ ଡରୁଛନ୍ତି। କାରଣ ରାସ୍ତାକଡ଼ରେ ଅପେକ୍ଷା କରିବାକୁ ପଡ଼ିବ । ଜନଗହଳିପୂର୍ଣ୍ଣ ପୂର୍ଣ୍ଣ ରାସ୍ତାକଡ଼ରେ ବସକୁ ଅପେକ୍ଷା କରି ରହିବା କେତେ ବିପଦପୂର୍ଣ୍ଣ ସେକଥା ଅନୁଭବୀ ଲୋକେ ହିଁ ଜାଣିପାରିବେ। ତେଣୁ ବାରମ୍ବାର ଅସନ୍ତାଷ ପ୍ରକାଶ କରୁଛନ୍ତି ସ୍ଥାନୀୟ ଲୋକେ, ବାରମ୍ବାର ନିଜ ଦାବୀ ବି ଜଣାଉଛନ୍ତି। କିନ୍ତୁ ଫଳ ଶୂନ।
ଖବର ପ୍ରସାରଣର ଭଲ ପ୍ରଭାବ ପଡ଼ୁ। ତୁରନ୍ତ ପାତ୍ରପୁର ବାସିନ୍ଦାଙ୍କୁ ମିଳୁ ଏକ ଭଲ ବସଷ୍ଟାଣ୍ଡ। ଫଳରେ ଉପକୃତ ହୋଇପାରିବେ ଲୋକେ ଆଉ ବିପଦରେ ପଡ଼ିବନି ନୀରିହ ଜୀବନ ।
ଗଂଜାମ ଜିଲ୍ଲା ଚିକିଟିରୁ ସୁଭଶ୍ରୀ ପ୍ରଧାନଙ୍କ ରିପୋର୍ଟ, ଅଗସ ନ୍ୟୁଜ
