ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଖୋଲା ଚିଠି…
ଭୁବନେଶ୍ୱର, ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାର କୁଟ୍ରୁମାଳି, ତିଜିମାଳି, ମାଁଝିଂମାଳି ଅଞ୍ଚଳର ସ୍ଥାନୀୟ ଜନସାଧାରଣ ମା’ ମାଟି ମାଳି ସୁରକ୍ଷା ମଞ୍ଚ ନେତୃତ୍ବରେ ଭାରତର ମାନନୀୟା ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ପ୍ରେରଣ କରିଛନ୍ତି ।
ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସେମାନେ ଏହି ଖୋଲା ଚିଠି ରେ ରାଷ୍ଟ୍ରପତିଙ୍କୁ ସାଧାରଣତନ୍ତ୍ର ଦିବସର ଆନ୍ତରିକ ଶୁଭକାମନା ଜଣାଇବା ସହିତ ଲେଖିଛନ୍ତି ଯେ, ଆମେ କୁଟ୍ରୁମାଳି, ତିଜିମାଳି, ମାଁଝିଂ ମାଳିର ଦେଶିଆ ଲୋକ, ମୁଖ୍ୟତଃ ଆଦିବାସୀ ଓ ଦଳିତ । ଆମ ଅଞ୍ଚଳଟି ଦକ୍ଷିଣ ଓଡିଶାର ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଳାହାଣ୍ତି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଭିତରେ ଆସେ । ବଣ, ପାହାଡ଼ ଓ ଝରଣାର ରାଇଜ ଇଏ । ଦେଶର ସମ୍ୱିଧାନ ଅନୁସାରେ ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଅଞ୍ଚଳ । ଆମେ ଆପଣଙ୍କୁ ଲେଖିବାକୁ ସାହସ କରିପାରୁଛୁ ଯେ ଆପଣ ଆମ ଓଡ଼ିଶାର, ଓଡ଼ିଆ ବୁଝିପାରିବେ । ଆମର ଆହୁରି ଗର୍ବ ଯେ ଆପଣ ଆମ ଭିତରୁ ଜଣେ । ଜଣେ ଆଦିବାସୀ, ଯିଏ ଆମ ସାମ୍ୱିଧାନିକ ମୁଖ୍ୟ । ପୁଣି ଆପଣ ଜଣେ ମା’ ଯିଏ ଆମ ଭଳି ଲୋକଙ୍କର କଥା ସହଜରେ ଅନ୍ତର ଭିତରକୁ ନେଇ ପାରିବେ ।
ନିଜ ଅନ୍ତରର ଦୁଃଖ ବ୍ୟକ୍ତ କରି ସେମାନେ ଲେଖିଛନ୍ତି ଯେ ଗତ ୨୦୨୩ ଫେବୃଆରୀରେ ସରକାର ଆମ ମାଳିମାନଙ୍କରୁ ବକ୍ସାଇଟ ଖୋଳିବା ପାଇଁ ବେଦାନ୍ତ କମ୍ପାନୀକୁ ଲିଜ୍ ଦେଇ ଦେଲେ । ସାମ୍ୱିଧାନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ଏ ବିଷୟରେ ଆମକୁ ପଚରାଗଲା ନାହିଁ କି ମତ ନିଆଗଲା ନାହିଁ । କୌଣସି ପ୍ରଶାସନିକ ଅଧିକାରୀ ପଲ୍ଲୀସଭା ବା ଗ୍ରାମସଭା କରେଇଲେ ନାହିଁ । ବରଂ ବେଦାନ୍ତ ଦ୍ୱାରା ନିୟୋଜିତ ମୈତ୍ରୀ ନାମକ ଏକ ଠିକା କମ୍ପାନୀର କର୍ମକର୍ତ୍ତାମାନେ ଆମ ଗାଁମାନଙ୍କରେ ବୁଲିବା ଆରମ୍ଭ କଲେ । ଗାଁ ଛାଡ଼ି ଦେବା, ଜମି ଛାଡ଼ିଦେବା, ମାଳି ଛାଡ଼ିଦେବା ଲାଗି ଲୋକମାନଙ୍କୁ ଫୁସଲେଇଇଲେ, ନାନା ଲୋଭ ଦେଖେଇଲେ । ଏହାକୁ ନେଇ ଗାଁରେ ଅଶାନ୍ତି ବଢ଼ିଲା । ଆମେ ସ୍ଥାନୀୟ ପୁଲିସ ପ୍ରଶାସନକୁ ଲେଖିକି ଜଣେଇଲେ ବି ସେମାନେ ଆମ କଥାକୁ କାନ ଦେଲେ ନାହିଁ । ଅପର ପକ୍ଷରେ, ଅଗଷ୍ଟ ମାସ ବେଳକୁ କମ୍ପାନୀ ଲୋକ ଯନ୍ତ୍ରପାତି ଓ ପୁଲିସ ଦଳବଳ ସହ ମାଳି ଉପରକୁ ଯିବାକୁ ଚେଷ୍ଟା କଲେ । ଆମେ ମାଳି ଅଞ୍ଚଳର ବାସିନ୍ଦା ବିଶେଷ କରି ମା’ମାନେ ଏହାର ଶାନ୍ତିପୂର୍ଣ୍ଣ ବିରୋଧ କଲୁ । ଦେଶର ଆଇନ ଅନୁଯାୟୀ ପ୍ରଥମେ ଗ୍ରାମସଭାର ମତ ନେବା ପାଇଁ ଦାବି କଲୁ । ଜିଲ୍ଲା ପୋଲିସ ଓ ପ୍ରଶାସନ ଏହା ବି ଶୁଣିଲେ ନାହିଁ । ଓଲଟା ରାତି ଅଧିଆ ଗାଁମାନଙ୍କରେ ଚଢ଼ଉ କରି, ରାସ୍ତାଘାଟରୁ ଉଠେଇ ନେଇ ଆମର ୨୪ ଜଣ ଲୋକଙ୍କୁ ତିନି ମାସରୁ ଉର୍ଦ୍ଧ୍ୱକାଳ ଜେଲରେ ରଖିଲେ ।
ଆମକୁ ନପଚାରି, ଆମର ମତ ନନେଇ, ଦେଶର ଆଇନକାନୁନକୁ ନିଘା ନକରି ଆମର ଡଙ୍ଗର ପାହାଡ଼, ଜମିବାଡ଼ି, ନଦୀ ଝରଣାକୁ କମ୍ପାନୀକୁ ବିକି ଦେବା କ’ଣ ଅନ୍ୟାୟ ନୁହେଁ? ଅନ୍ୟାୟକୁ ବିରୋଧ କରିବା କ’ଣ ଅପରାଧ? ଆମର ବିଶ୍ୱାସ ଯେ ଆମର ପୂର୍ବଜ ବିର୍ସା ମୁଣ୍ତା, ଲକ୍ଷ୍ଣଣ ନାୟକ ଓ ରେଣ୍ଡୋ ମାଝୀ ଯଦି ଆଜି ଥାନ୍ତେ, ସେମାନେ ବି ଏହା କରିଥାନ୍ତେ । ଆମର ଏହା ବି ବିଶ୍ୱାସ ଯେ ଆପଣ ଜଣେ ଆଦିବାସୀ ଭାବେ ଆମ ମନକଥା ଭଲ ଭାବେ ବୁଝି ପାରୁଥିବେ ।
ଆମର ଲୋକମାନେ ଜେଲରେ ଥିଲା ବେଳେ ଅକ୍ଟୋବର ୧୬ ଓ ୧୮ ତାରିଖରେ ବେଦାନ୍ତର ଖଣି ପ୍ରକଳ୍ପ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ଜନ ଶୁଣାଣି କରାଗଲା । ତଥାପି ଆମେ ସେଥିରେ ଭାଗ ନେଲୁ ଏବଂ ଆମ କଥା ରଖିଲୁ । ସରକାର ଓ କମ୍ପାନୀ ଆଖିରେ ଯୋଉଟା ତୁଚ୍ଛା ବକ୍ସାଇଟ ପାହାଡ଼, ଆମ ପାଇଁ ତାହା ମାଳି ଓ ଜଙ୍ଗଲ, ଆମର ମା, ଆମର ଜୀବନ ପେଡ଼ି । ତାହା ଆମ ପୂର୍ବପୁରୁଷଙ୍କ ସ୍ଥାନ । ସେଠି ବି ଅଛନ୍ତି ଆମ ଦେବାଦେବୀ, ଆମ ଗୁଡ୍ଡି ଓ ପୂଜାପୀଠ । ସେମାନଙ୍କୁ ନେଇ ମାସକୁ ମାସ ପୂଜାପର୍ବ । ସେଠି ବି ବାସ କରନ୍ତି ନାନା ଜାତିର ଜୀବଜନ୍ତୁ, ଗଛଲଟା ଯେଉଁମାନଙ୍କୁ ଆମେ ପୂଜା କରୁ, ଆମର କୁଟୁମ୍ୱ ବୋଲି ଭାବୁ । ସେମାନେ ସମସ୍ତେ ଆମ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନ ସହ ନିବିଡ଼ ଭାବେ ବନ୍ଧା ।
ଏଇ ମାଳି ଦିହରେ ପାଚୁଛି ହରେକ ପ୍ରକାରର ଫସଲ, ସୁଆଁ, ମାଣ୍ତିଆ, କାଙ୍ଗୁ, କୋସ୍ଲା ଆଦି । ଜଙ୍ଗଲରୁ ମିଳୁଛି କନ୍ଦା, କରଡ଼ି, ଛତୁ, କାଠ, ପତର, ଶାଗ ତଥା ନିତିଦିନିଆ ଜୀବନର ଆବଶ୍ୟକତା ମେଣ୍ଟେଇବା ପାଇଁ ହରେକ ସାମଗ୍ରୀ । ଆମେ ମାଳିକୁ, ଜଙ୍ଗଲକୁ ନେଇ ବଞ୍ଚିଆସିଛୁ କାହିଁ କେତେ କାଳରୁ । ଯେତେବେଳେ ସରକାର ବୋଲି କେହି ନଥିଲେ, ଆମ ପୂର୍ବଜମାନେ ଏହି ମାଳିରେ ଥିଲେ । ସେମାନେ ଆମ ପାଇଁ ଏ ମାଳି ରଖି ଦେଇ ଯାଇଥିଲେ । ଏ ମାଳି ଆମର । କିନ୍ତୁ ସରକାରୀ ବାବୁମାନେ ଆମକୁ କହୁଛନ୍ତି ତାହାର ପ୍ରମାଣ କଣ? ମାଛର ଘର ପାଣି ବୋଲି ସିଏ କଣ ପ୍ରମାଣ ଦେବ?
ଆମର ଏ ମାଳିମାନଙ୍କ ଛାତିରୁ ବାହାରିଛନ୍ତି କେତେ କେତେ ଝରଣା । ଆମ ସଂସ୍କୃତିରେ ତାହା ଖାଲି ସାଧାରଣ ବିଶେଷ୍ୟ ପଦ ନୁହେଁ । ପ୍ରତ୍ୟେକଟିର ନାଁ ଅଛି । ମା’ର ସ୍ତନରୁ କ୍ଷୀର ପିଇ ଯେମିତି ଛୁଆଟିଏ ବଞ୍ଚେ, ସେମିତି ତା’ର ଝରଣା ପାଣି ଆମ ଚାଷୀମାନଙ୍କୁ ବଞ୍ଚାଏ । ଆହୁରି ବଡ଼ କଥା ହେଉଛି ଏହି ଝରଣାମାନେ ମିଶି ମିଶି ନଦୀ ତିଆରି କରିଛନ୍ତି । ନଦୀମାନେ ଅଙ୍କାବଙ୍କା ଗତି କରି ପଡ଼ିଛନ୍ତି ସମୁଦ୍ରରେ ଯାହା ଆମ ଓଡ଼ିଶାର ଉପକୂଳ । ସେମାନେ ଯେଉଁ ପଟୁମାଟି ପାହାଡ଼ ଜଙ୍ଗଲରୁ ବୋହି ନେଇ ଯାଇଛନ୍ତି, ସେଇଥି ପାଇଁ ଉପକୂଳର ସମତଳ ଅଞ୍ଚଳ ଏତେ ଉର୍ବର । ପାହାଡ଼ିଆ ଅଞ୍ଚଳ ସହ ଉପକୂଳ ଅଞ୍ଚଳର ଆଙ୍ଗିକ ସମ୍ପର୍କ ତିଆରି କରିଛନ୍ତି ଏହି ନଦୀମାନେ । ଯଦି କେତେ ଟନ୍ ବକ୍ସାଇଟ ଓ କେତେ କୋଟି ଟଙ୍କା ଲାଗି ଏହି ମାଳିମାନେ ହଜି ଯିବେ, ତେବେ ନଦୀମାନେ ବି ମରିଯିବେ । ସମଗ୍ର ଓଡ଼ିଶା ଏକ ଅସାର ଭୂଇଁ ପାଲଟି ଯିବ, ମରୁଭୂମି ହୋଇଯିବ ।
ଆଜି ଓଡିଶା ସରକାର ମିଲେଟ୍ ମିଶନ୍ କରି ବିଶ୍ୱରେ ମାଣ୍ତିଆ ଦିବସ ପାଳୁଛନ୍ତି । ଯେଉଁ ମାଣ୍ତିଆକୁ ନେଇ ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟ ହେଉଛି, ସେହି ମାଣ୍ତିଆ ଆମ ମାଳିରେ ପାଚୁଛି । ସେ ମାଳି ଚାଲିଗଲେ ମାଣ୍ତିଆ ରହିବ କି? ମାଳି ଚାଲିଗଲେ ରହିବ କି ଆମ ସାଂସ୍କୃତିକ ପରିଚିତି? ଆମେ ପାଲଟିଯିବୁ ଏକ ଚ୍ଛିନ୍ନମୂଳ ଗୋଷ୍ଠୀ । ଆପଣ ଜଣେ ଆଦିବାସୀ ଭାବେ ଆମ ଅନ୍ତରର ଦୁଃଖକୁ ନିଶ୍ଚେ ବୁଝିପାରୁଥିବେ ।
ଆମେମାନେ ଦେଖୁଛୁ, ଆଜି ସୁନ୍ଦରଗଡ଼ର ଓ ତାଳଚେରର କୋଇଲା ଖଣି ଅଞ୍ଚଳ, କେଉଁଝର ଓ ଯାଜପୁରର ଲୁହାପଥର ଖଣି ଅଞ୍ଚଳ, ସୁକିନ୍ଦାର କ୍ରୋମାଇଟ ଖଣି ଅଞ୍ଚଳ ଗୋଟିଏ ଗାୋଟିଏ ପ୍ରଦୁଷଣ ଜନିତ ରୋଗ ଓ ମୃତ୍ୟୁର ଉପତ୍ୟକା ପାଲଟିଯାଇଛି । ଖଣି ଓ କାରଖାନା ହେତୁ ସ୍ଥାନୀୟ ଅଞ୍ଚଳର ଝରଣା ମରିଯିବା ସହ ସେଥିରୁ ନିର୍ଗତ ରାସାୟନିକ ଆବର୍ଜନାର କୁପ୍ରଭାବରେ ଓଡ଼ିଶାରେ ବଡ଼ ବଡ଼ ନଦୀମାନେ ବି ପ୍ରଦୁଷିତ ହେଉଛନ୍ତି । ସେ ପାଣି ମଣିଷ ତ ଦୂରର କଥା, ଗୋରୁଗାଈ ଓ ଜୀବଜନ୍ତୁ ପିଇବା ଦୁଷ୍କର ହୋଇପଡ଼ିଛି । ଆମ କାଶୀପୁର ବ୍ଲକର ବାଫଲାମାଳି ଖଣି ଖନନ ଓ ଆଦିତ୍ୟ ବିରଲା ଆଲୁମିନିୟମ ବିଶୋଧନ କାରଖାନା ପାଇଁ ସେ ଅଞ୍ଚଳର ପ୍ରାକୃତିକ ପରିବେଶ ବିଗିଡ଼ି ଯିବାରେ ଲାଗିଛି । ପ୍ରତିଶ୍ରୁତି ମୁତାବକ ଚାକିରି ନପାଇ ଅଞ୍ଚଳର ଯୁବକମାନେ କାହିଁ ଚେନ୍ନାଇ, କେରଳ ଦାଦନ ଖଟି ଯାଉଛନ୍ତି । ଲୋକେ ଏ ବିଷୟରେ ପାଟି ଖୋଲିଲେ ପୁଲିସର ଲାଠି ପଡ଼ୁଛି ଜେଲ ଖଟିବାକୁ ହେଉଛି । ଆମର ଆଶଙ୍କା ଯେ ବେଦାନ୍ତ ଓ ଆଦାନୀ କମ୍ପାନୀ ପାଇଁ ଆମ କୁଟ୍ରୁମାଳି, ତିଜିମାଳି ଓ ମାଁଝିଂମାଳିରେ ବି ସେହି ସମାନ ଅବସ୍ଥା ସୃଷ୍ଟି ହେବ । ସର୍ବୋପରି, ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟକୁ ନେଇ ଯେତେବେଳେ ପରିବେଶ ଓ ପରିବେଷ୍ଟନୀ ସୁରକ୍ଷାର ଆବଶ୍ୟକତାକୁ ସାରା ବିଶ୍ୱରେ ଜୋର୍ ଦିଆଯାଉଛି, ସେତେବେଳେ ହାତଗଣତି କମ୍ପାନୀମାନଙ୍କର ଲାଭକୁ ବିକାଶର ନାଁ ଦେଇ ଆମ ରାଜ୍ୟ ସରକାର ସେ ସବୁକୁ ଉଜାଡ଼ି ଚାଲିଛି । ଆଗମୀ ଦିନରେ ଏହାର ପରିଣତି ଯେ ଭୟାବହ ହେବ କହିବା ବାହୁଲ୍ୟ ମାତ୍ର ।
ଗତ ଛଅ ସାତ ମାସ ହେଲା ଆମେ ମର୍ମେ ମର୍ମେ ଅନୁଭବ କରୁଛୁ ଯେ ଦେଶର ସାମ୍ୱିଧାନିକ ବିଧି ବ୍ୟବସ୍ଥା, ଆଇନକାନୁନ ଓ ଅନୁଷ୍ଠାନମାନ ଆମ ଭଳି ସାଧାରଣ ମଣିଷଙ୍କ ପାଇଁ ଛିଡ଼ା ହେବା ପରିବର୍ତ୍ତେ କମ୍ପାନୀ ପକ୍ଷରେ ଛିଡ଼ା ହୋଇଛନ୍ତି । ଏପରିକି ସ୍ଥାନୀୟ ରାଜନୈତିକ ଦଳ ଖୋଲାଖୋଲି କମ୍ପାନୀର ମୁଖପାତ୍ର ସାଜିଛନ୍ତି । ଆମେ ଆମର ମାଟି,ମାଳୀ ଓ ଝରଣାକୁ ବଞ୍ଚେଇବାକୁ ସ୍ୱର ଉଠେଇଲେ ଆଇନର ରକ୍ଷକମାନେ ଆମକୁ ଅପରାଧୀ ସଜେଇ ଦେଉଛନ୍ତି । ତେବେ ଆମେ ଯିବୁ କାହା ପାଖକୁ ଓ କରିବୁ କଣ?
ଶେଷରେ ସେମାନେ ପୁଣି ଥରେ ରାଷ୍ଟ୍ରପତିଙ୍କୁ ନିବେଦନ କରି କହିଛନ୍ତି ଯେ ଆପଣଙ୍କୁ ଆମ ଭିତରୁ ଜଣେ ତଥା ଦେଶର ସାମ୍ୱିଧାନିକ ମୁଖ୍ୟ ବୋଲି ଭାବି ଆମର ମନ କଥା ଜଣାଇଲୁ । ଏହା ମଧ୍ୟ ଆଶା କରୁଛୁ ଯେ କେବଳ ଆମ ଅଞ୍ଚଳର ହିତ ପାଇଁ ନୁହେଁ, ଆମ ରାଜ୍ୟ ଓ ଦେଶର ମଙ୍ଗଳ ପାଇଁ ଏହି ଅବିଚାରିତ ଖଣି ଖନନ ଓ ଜଙ୍ଗଲ ଉଜାଡ଼ିବା ପ୍ରକ୍ରିୟା ବନ୍ଦ କରିବା ପାଇଁ ଆପଣ ନିଶ୍ଚେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ ।
ସର୍ବଶେଷରେ ରାଷ୍ଟ୍ରପତି ମହୋଦୟା ଭଲରେ ଥିବେ ବୋଲି ଆଶା କରି ସେମାନେ ଏ ଦିଗରେ ଫଳପ୍ରଦ ପଦକ୍ଷେପ ନେବାକୁ ତାଙ୍କୁ ନିବେଦନ କରିଛନ୍ତି ।