November 23, 2024

ନିମ୍ନମାନର ଛତୁଆ ଯୋଗାଣକୁ ନେଇ ଚର୍ଚ୍ଚା ଜୋରଦାର, ମାନ ଯାଞ୍ଚ ପାଇଁ ସାଧାରଣରେ ଦାବି

Share


ବୁଗୁଡ଼ା : ତା ୦୫/୦୨/୨୩ : ଅଙ୍ଗନବାଡି କେନ୍ଦ୍ର ଜରିଆରେ ବୁଗୁଡ଼ା ବ୍ଲକ ଓ ଏନଏସିରେ ଥିବା ଶିଶୁ ଓ ଗର୍ଭବତୀ/ପ୍ରସୂତି ମହିଳାମାନଙ୍କୁ ମାଗଣା ଛତୁଆ ଦିଆ ଯାଉଛି l ତେବେ ଛତୁଆ ପ୍ରସ୍ତୁତକାରୀ ଲକ୍ଷ୍ମୀ ନାରାୟଣ ଏସଏଚଜି ନିମ୍ନମାନର ଛତୁଆ ଯୋଗାଣ କରୁଥିବାରୁ ଏହି ଛତୁଆକୁ ଶିଶୁ ଓ ଗର୍ଭବତୀ ମହିଳାମାନେ ଖାଇବାକୁ ଉଚିତ ମଣୁ ନଥିବା ବେଳେ କିଛି ଲୋକ ଏହାକୁ ନିଜ ଗାଈଗୋରୁଙ୍କୁ ଦେବାକୁ ବାଧ୍ୟ ହେଉଥିବା ବେଳେ ଅନ୍ୟମାନେ ଗାଈଗୋରୁ ଥିବା ଲୋକଙ୍କୁ କମ୍ ଦରରେ ବିକ୍ରି କରି ଦେଉଛନ୍ତି l ନିୟମାନୁସାରେ ଶିଶୁମାନଙ୍କ ପାଇଁ ଉଦିଷ୍ଟ ନୀଳ ରଙ୍ଗର ୨ କିଲୋ ୨ ଶହ ୫ ଗ୍ରାମର ଗୋଟିଏ ପ୍ୟାକେଟ ଏବଂ ୧ କିଲୋ ୩ ଶହ ୫୦ ଗ୍ରାମର ଗୋଟିଏ ପ୍ୟାକେଟ ହିସାବରେ ପ୍ରତି ମାସରେ ୨ ପ୍ୟାକେଟ୍ ଦିଆ ଯାଉଛି l ଗର୍ଭବତୀ/ପ୍ରସୂତି ମାନଙ୍କୁ ୪ କିଲୋ ୪ ଶହ ୧୦ ଗ୍ରାମ ବିଶିଷ୍ଟ ପ୍ୟାକେଟ୍ ମାସରେ ଥରେ ଦିଆ ଯାଉଛି l ତେବେ ଶିଶୁମାନଙ୍କ ଲାଗି ଉଦିଷ୍ଟ ୨ କିଲୋ ୨୦୫ ଗ୍ରାମ ଛତୁଆ ପ୍ୟାକେଟରେ ଆବଶ୍ୟକ ପରିମାଣର ଗହମ, ବୁଟ ଡାଲି,ଚିନା ବାଦାମ ଓ ଚିନି ଏବଂ ୧ କିଲୋ ୩୫୦ ଗ୍ରାମ୍ ପ୍ୟାକେଟରେ ମକା ଚୁନା, ବୁଟ ଡାଲି, ଚିନି ଓ ତେଲ ପଡିବା ନିୟମ ରହିଛି ଏବଂ ଗର୍ଭବତୀ ମହିଳାଙ୍କ ପ୍ୟାକେଟରେ ଗହମ, ବୁଟ ଡାଲି, ଚିନା ବାଦାମ ଓ ଚିନି ପଡିବା ନିୟମ ରହିଛି l ପ୍ରତ୍ୟେକ ପ୍ୟାକେଟ ଉପରେ କେଉଁ ଜିନିଷ କେତେ ପରିମାଣ ମିଶା ଯାଇଛି ତାହା ମଧ୍ୟ ଉଲ୍ଲେଖ ରହିଛି । ତେବେ ସବୁ ନିୟମକୁ ଏଠି ଜଳାଞ୍ଜଳି ଦିଆ ଯାଉଛି l ନିୟମାନୁଯାୟୀ ଛତୁଆ ପ୍ୟାକେଟ୍ ମଧ୍ୟରେ ସେହି ଜିନିଷ ରହୁନି । ଯେଉଁ ଜିନିଷ ଶସ୍ତା ଥିବ ସେହି ଜିନିଷକୁ ଅଧିକ ପରିମାଣର ପକାଇ ଛତୁଆ ପ୍ରସ୍ତୁତ କରାଯିବା ଫଳରେ ଏହା ନିମ୍ନମାନର ହେଉଛି ଫଳରେ ଏହି ଛତୁଆକୁ କେହି ବ୍ୟବହାର ନକରି ଗାଈକୁ ଦେବାକୁ ବାଧ୍ୟ ହେଉଛନ୍ତି l ଏଣୁ,ଏହି ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଅଚାନକ ଚଡାଉ କରାଯାଇ ଛତୁଆର ମାନ ଯାଞ୍ଚ କରିବା ପାଇଁ ଦାବି ସଧାରଣରେ ହେଉଛି l