November 4, 2026

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ବାହାରିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

IMG-20261104-WA0001
Share

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳରେ ପୋକ ବାହାରିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଭଳି ଏକ ଅଭିଯୋଗ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍‌ ଅନ୍ତର୍ଗତ ବଳରାମପ୍ରସାଦ ଉଚ୍ଚ ବିଦ୍ୟାଳୟରୁ ସାମ୍ନାକୁ ଆସିଛି।ଏହାକୁ ନେଇ ଅଭିଭାବକମାନେ ଉଦ୍‌ବେଗ ପ୍ରକାଶ କରିବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ପାଇଁ ଅଫିସକୁ ଯାଇଥିଲେ। ତେବେ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ଏତେ ପରିମାଣର ଚାଉଳକୁ କ’ଣ କରାଯାଇପାରିବ ବୋଲି ପ୍ରଶ୍ନ କରିବାରୁ, ଚାଉଳକୁ ଧୋଇ ସଫା କରି ବ୍ୟବହାର କରିବାକୁ କାର୍ଯ୍ୟାଳୟର ବଡ଼ବାବୁ ପରାମର୍ଶ ଦେଇଥିଲେ। ଏହି ଉତ୍ତରକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ କର୍ମଚାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଅନୁପସ୍ଥିତ ଥିବାରୁ ଫୋନ୍‌ ଯୋଗେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ।ତେବେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ, ଏହି ଘଟଣାର ଉଚିତ ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି ହେଉଛି।