ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳରେ ଆଖି ପକାଇଲେ ଅତିରିକ୍ତ ଶିକ୍ଷା ଅଧିକାରୀ.
ଗଣିଆ( ଦେବାଶିଷ ଦାଶ )
ବାଡ଼ ଖାଉଛି ଫସଲ । ଦରମା ଅଣ୍ଟିଲାନି ଯେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳରେ ଆଖି ପକାଇଲେ ଖୋଦ୍ ଅତିରିକ୍ତ ଶିକ୍ଷା ଅଧିକାରୀ । ରସିଦରେ ୨୨ ବସ୍ତା ଲେଖି ପ୍ରଧାନଶିକ୍ଷକଙ୍କ ଠାରୁ ଦସ୍ତଖତ ନେଲେ କିନ୍ତୁ ଚାଉଳ ଦେଲେ ୨୧ ବସ୍ତା । ତେବେ ଏ ନେଇ ସଂପୃକ୍ତ ପ୍ରଧାନଶିକ୍ଷକ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଗଣିଆ ବ୍ଳକ ରାଉତପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପିଏମ ପୋଷଣ ଏବଂ ଏମ୍ ଏମ୍ ପୋଷଣ ଯୋଜନାରେ ଗତ ୨୫/୦୮/୨୫ ତାରିଖରେ ଚାଉଳ ନେଇ ପହଞ୍ଚି ଥିଲେ ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର ବେହେରା । ପ୍ରାଥମିକ ସ୍ତରର ପିଲାଙ୍କ ପାଇଁ ୧୪ ବସ୍ତା(୭ କ୍ଵିଣ୍ଟାଲ) ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରର ପିଲାଙ୍କ ପାଇଁ ୮ ବସ୍ତା(୪କ୍ବିଣ୍ଟାଲ) ଏପରି ୨୨ ବସ୍ତାର ରସିଦ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷକଙ୍କୁ ଦେଇଥିବା ବେଳେ ତାଙ୍କୁ ୧୯ ବସ୍ତା ଚାଉଳ ଦେଇଥିଲେ । ଦ୍ବିତୀୟ ଦିନ ୩ ବସ୍ତା ଦେବେ କହି ୨ ବସ୍ତା ଦେଇଥିବା ବେଳେ ଆଉ ଗୋଟିଏ ବସ୍ତା ଚାଉଳ ଦେଉ ନାହାନ୍ତି । ଆଜକୁ ୭ ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଚାଉଳ ନଦେବାରୁ ମଙ୍ଗଳବାର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମିଲନ କୁମାର ପଣ୍ଡା ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତିି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ରସିଦ୍ ୨୨ ବସ୍ତା ଦିଆଯାଇଛି ତେବେ ୨୧ ବସ୍ତା ଚାଉଳ କାହିଁକି ଦିଆଗଲା । ୭ ଦିନ ବିତିଯାଇଥିଲେ ମଧ୍ୟ ଆଉ ଗୋଟିଏ ବସ୍ତା ଚାଉଳ କାହିଁକି ଦିଆଯାଇନାହିଁ । ଯଦି ଆବଶ୍ୟକୀୟ ଚାଉଳ ନଥିଲା ତେବେ ରସିଦରେ ୨୨ ବସ୍ତା ଲେଖାଗଲା କାହିଁକି । ଚାଉଳ ନଥିଲା ବୋଲି ଦିଆଯାଇନାହିଁ ନା ହେରଫେର ହୋଇଛି ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଉକ୍ତ ଘଟଣା ଜଣାପଡିବା ପରେ କେବଳ ଏହା ଗୋଟିଏ ସ୍କୁଲର ସମସ୍ୟା ନା ଏଭଳି ଅନେକ ବିଦ୍ୟାଳୟରେ ଏହି ସମସ୍ୟା ଲାଗି ରହିଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
