March 12, 2026

ଘୋଷଣା ହେଲାନି ଏନ ଏ ସି, ତାତିଲେଣି ଖଇରା ବାସୀ ..

IMG-20250904-WA0005
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ସରକାର ପରିବର୍ତ୍ତନ ହେଲା ସତ କିନ୍ତୁ ଘୁଞ୍ଚିଲାନି ବାଲେଶ୍ଵର ଜିଲ୍ଲା ଖଇରା ଦୁଃଖ । ନିର୍ବାଚନ ସମୟରେ ବିଜେପିର ପ୍ରତିଶ୍ରୁତି ଥିଲା ସରକାରକୁ ଆସିଲା ପରେ ଖଇରାକୁ ଏନ ଏ ସି ଘୋଷଣା । ହେଲେ ସରକାରକୁ ଆସିଲା ପରେ ଖଇରାକୁ ଉପେକ୍ଷା କରିବା ବଡ଼ ଦୁଃଖ ଓ ପରିତାପର ବିଷୟ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏନ ଏ ସି ଘୋଷଣା ହେଉଥିବା ବେଳେ ବାଦ୍ ପଡିଛି ଖଇରା । କୁଆଡେ ଗଲା ତମ ପ୍ରତିଶ୍ରୁତି, କାହିଁକି ହେଲାନି ଏନ ଏ ସି ଘୋଷଣା । ସେଥିପାଇଁ ଖଇରା ସ୍ବାଭିମାନ ମଞ୍ଚ ତରଫରୁ ୭ ଘଣ୍ଟିଆ ଖଇରା ବନ୍ଦ ସଫଳ ହୋଇଛି । ସକାଳ ୭ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଏହି ବନ୍ଦ ବଳବତ୍ତର ଥିଲା । ଏହି ସମୟ ମଧ୍ୟରେ ଖଇରା ହେଡ୍ କ୍ବାର୍ଟର ସହିତ ଏନ ଏ ସି ପାଇଁ ନିର୍ଦ୍ଧାରିତ ସମସ୍ତ ଗ୍ରାମରେ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ଥିଲା । ଉକ୍ତ ବନ୍ଦ ଡାକରାରେ ଦଳମତ ନିର୍ବିଶେଷରେ ସମସ୍ତ ଜନସାଧାରଣ, ସଙ୍ଗଠନ, ବୁଦ୍ଧିଜୀବୀ, ସାମ୍ବାଦିକ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ବ୍ଲକ ସାମ୍ନାରେ ଏକତ୍ରିତ ହୋଇ ବନ୍ଦକୁ ସଫଳ କରିଥିଲେ । ଏହି ସମୟରେ ଜରୁରୀ କାଳୀନ ଗାଡ଼ି ବ୍ଯତୀତ ଅନ୍ଯାନ୍ଯ ଯାନବାହନ ବନ୍ଦ ରହିଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଖଇରାକୁ ଏନ ଏ ସି ଘୋଷଣା । ସରକାର ଯେ ପର୍ଯ୍ୟନ୍ତ ଖଇରାକୁ ଏନ ଏ ସି ଘୋଷଣା ନ କରିଛନ୍ତି ସେ ପର୍ଯ୍ୟନ୍ତ ଖଇରାବାସୀ ଆନ୍ଦୋଳନରୁ ଓହରିବେ ନାହିଁ । ଯଦି ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତୁ ଆଗାମୀ ଦିନରେ ଏ ଆନ୍ଦୋଳନ ଆହୁରି ବ୍ଯାପକ ରୂପ ଧାରଣ କରିବ ବୋଲି ଉପସ୍ଥିତ ଜନସାଧାରଣ ସ୍ଲୋଗାନ ଦେଇଥିଲେ । ପ୍ରବଳ ବର୍ଷା ସତ୍ତ୍ୱେ ବି ଆନ୍ଦୋଳନକାରୀ ମାନେ ଚେୟାର ପକାଇ ରାସ୍ତା ଉପରେ ବସି ରହି ସରକାର ବିରୋଧରେ ଗର୍ଜନ କରିଥିଲେ ।