ଅନୁଗୋଳ ବନଖଣ୍ଡରେ ବ୍ୟାପକ କମ୍ବିଂ ଅପରେସନ୍, ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ
ଅନୁଗୋଳ: ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଗୋଳ ବନଖଣ୍ଡରେ ସୋମବାର ‘ଜୀବେଦୟା’ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ରେଞ୍ଜରେ ବ୍ୟାପକ କମ୍ବିଂ ଅପରେସନ୍ ଚଳାଯାଇଛି। ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ଆୟୋଜିତ ଏହି ଅଭିଯାନରେ ବନ ଅଧିକାରୀ, କ୍ଷେତ୍ର କର୍ମଚାରୀ, ସ୍କ୍ୱାଡ୍ ସଦସ୍ୟ ଏବଂ ଗଜମିତ୍ରମାନେ ସାମିଲ ହୋଇ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ସଘନ ପାଟ୍ରୋଲିଂ କରିଥିଲେ।
ଅଭିଯାନ ସମୟରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଉପରେ କଡ଼ା ନଜର ରଖାଯିବା ସହ ବେଆଇନ ଶିକାର, ଜଙ୍ଗଲରେ ଅନୁପ୍ରବେଶ, ବନଜମି ଜବରଦଖଲ ଏବଂ ବେଆଇନ ଗଛକଟା ଭଳି କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ୱତନ୍ତ୍ର ତଦାରଖ କରାଯାଇଥିଲା। ସନ୍ଦେହଜନକ ସ୍ଥାନଗୁଡ଼ିକରେ ମଧ୍ୟ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଥିଲା।
ବନ ବିଭାଗ ସୂଚନା ଅନୁଯାୟୀ, ଏଭଳି ନିୟମିତ କ୍ଷେତ୍ରସ୍ତରୀୟ କମ୍ବିଂ ଅପରେସନ୍ ଜଙ୍ଗଲ ସୁରକ୍ଷାକୁ ସୁଦୃଢ଼ କରିବା ସହ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥଳୀର ସଂରକ୍ଷଣ ଏବଂ ମାନବ-ବନ୍ୟଜନ୍ତୁ ସହାବସ୍ଥାନକୁ ପ୍ରୋତ୍ସାହିତ କରୁଛି। ଅନୁଗୋଳ ବନଖଣ୍ଡର ସମସ୍ତ କ୍ଷେତ୍ର କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ ଦିଗରେ ଏକ ସକାରାତ୍ମକ ଓ ପ୍ରଭାବଶାଳୀ ପଦକ୍ଷେପ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
