October 5, 2024

ଉମରକୋଟ ରେ ଚାଷୀ ପାଉନି କୀଟନାଶକ, ପୋଡୁଛନ୍ତି ଅଧିକାରୀ…..

Share

ଉମରକୋଟ:-(ଏମ. ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଏକ ଚାଷ ବହୁଳ ଜିଲ୍ଲା ଭାବେ ଓଡ଼ିଶାରେ ବେଶ୍ ପରିଚିତ l କିନ୍ତୁ ଏ ଭଳି ଚାଷ ବହୁଳ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ କିଛି ଦୁର୍ନୀତିଖୋର୍ ବାବୁ ସାଜିଛନ୍ତି ବିନାଶକାରୀ କୀଟ ଠାରୁ ମଧ୍ୟ ଆହୁରି ମାରାତ୍ମକ l ଆମେ କହୁଛୁ ଉମରକୋଟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର କଥା l ଏଠାରେ ଚାଷୀଙ୍କୁ ସବସିଡିରେ ଦେବାକୁ ଆସୁଥିବା କୀଟନାଶକ ଗୁଡିକୁ ଚାଷୀଙ୍କୁ ନଦେଇ ନିଆଁ ଲଗାଇ ପୋଡି ଦିଆଯିବା ଦୃଶ୍ୟ ଦେଖିବାକୁ ମିଳିଛି l ଆଜି ଜଣେ ଚାଷୀ ଉକ୍ତ ଅଫିସକୁ କୀଟନାଶକ ନେବା ପାଇଁ ଆସି ଦେଖିଥିଲେ ଯେ ସେଗୁଡିକ ଷ୍ଟୋର ରୁମରୁ ବାହାରକୁ ଆଣି ଫୋପାଡି ଦିଆଯାଉଛି l ଯେଉଁ ଥିରେ କିଛି ପୁରୁଣା(ଏକ୍ସପାରି) ହୋଇଥିବା ବେଳେ ଅନ୍ୟ ଗୁଡିକ ସମ୍ପୂର୍ଣ୍ଣ ନୂଆ ଯାହାକି ଚାଷ ପାଇଁ ଉପଯୋଗୀ ମଧ୍ୟ l ଆମ ପ୍ରତିନିଧି ଯାଇ ମଧ୍ୟ ଏ ସବୁ ଦେଖିଲା ପରେ ଅଜୟ କର (ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ) ଓ ପରେ ଗୋଷ୍ଠୀ କୃଷି ଅଧିକାରୀ ସନ୍ତୋଷ କୁମାର ନାୟକଙ୍କୁ ଫୋନ କରି ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଫୋନ ରିଶିଭ୍ କରିନଥିଲେ l ଏହାର ମାତ୍ର କେଇ ମିନିଟ୍ ପରେ ଗୋଷ୍ଠୀ କୃଷି ଅଧିକାରୀ ସନ୍ତୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ କେଦାର ଚରଣ ବିଷୋୟୀ ନାମକ କର୍ମଚାରୀ ଶ୍ରମିକ ଙ୍କୁ କହି ଉକ୍ତ କୀଟନାଶକ ଗୁଡ଼ିକରେ ନିଆଁ ଲଗେଇ ଦେଇଥିଲେ l ଏହା ଦେଖି ଆମ ପ୍ରତିନିଧି ଯାଇ ଏ ସବୁ ଦୃଶ୍ୟକୁ କଏଦ କରିବାରୁ ବିଷୋୟୀ ବାବୁ ଶ୍ରମିକଙ୍କୁ ନିଆଁ ଲିଭାଇବା ପାଇଁ କହିଥିଲେ, କିନ୍ତୁ ସେ ପର୍ଯ୍ୟନ୍ତ ପ୍ରାୟ କୀଟନାଶକର ୭୦% ପୋଡି ନଷ୍ଟ ହୋଇଯାଇଥିଲା l ସନ୍ତୋଷ କୁମାର ନାୟକଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ନିଆଁ ଲଗାଇବାକୁ କହିଛି ବୋଲି ଶୁଣିବା ପରେ ଆମ ପ୍ରତିନିଧି ତାଙ୍କୁ ସାକ୍ଷାତ କରିବାକୁ ଯିବାରୁ ସନ୍ତୋଷ କୁମାର ନାୟକ ଇତସ୍ତତଃ ହୋଇ “ମୁଁ କେବଳ ଖାଲି ପେଟି ଗୁଡିକୁ ନିଆଁ ଲଗେଇ ପାଇଁ କହିଥିଲି” ବୋଲି ନିଜ ମୁଣ୍ଡରୁ ଦୋଷ ତୁଟାଇବା ପାଇଁ ଚେଷ୍ଟା କରିଥିଲେ l ଶୁଣିବାକୁ ମିଳିଲାଣି ଯେ ଆସୁଥିବା କୀଟନାଶକ ଔଷଧ ଗୁଡିକୁ କିଛି ଦୋକାନରେ ଚଢ଼ା ଦରରେ ବିକ୍ରୀ କରି ନିଜ କମିଶନରେ ପକେଟ୍ ଗରମ କରୁଛନ୍ତି ଏହି ବାବୁ ମାନେ l ବିକ୍ରୀ ନହୋଇ ଫେରି ଆସିଥିବା କୀଟନାଶକ ଗୁଡିକ ପୁରୁଣା ବୋଲି ଦର୍ଶାଇ ନିଆଁ ଲଗେଇ ପୋଡି ଦିଆଯାଉଛି l ଏଠାରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ମୂଲ୍ୟବାନ କୀଟନାଶକ ଗୁଡିକୁ ପୋଡି ଦିଆଗଲା ନାଁ ବଡ ଅଫିସର ମାନେ ଅଧିନସ୍ତ କର୍ମଚାରିମାନଙ୍କୁ ଢାଲ ଭାବେ ବ୍ୟବହାର କରି ନିଜ ଚାକିରି ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି ? ଏ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ଥିବବେଳେ ଏବେ କୀଟନାଶକ କେଳେଙ୍କରୀ l ଏହି କେଳେଙ୍କରୀ କୁ ଏକ ଉଚ୍ଚସ୍ତରୀୟ ବିଭାଗୀୟ ତଦନ୍ତ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି l ଦେଖିବାକୁ ବାକି ରହିଲା ଏ ବର୍ଷ କେମିତି ହେବ ଚାଷ ଓ କଣ କରିବ ଚାଷୀ !