June 6, 2026

ଜଗନ୍ନାଥ ସଂସ୍କୃତିରେ ଊତୁକାଳୀନ ଫଳ ଭାବରେ ଆମ୍ବର ସ୍ୱତନ୍ତ୍ର ସ୍ଥାନ..

IMG-20260604-WA0004
Share

 

 

ବୋଲଗଡ଼,୦୪/୦୬ (ସୁଶାନ୍ତ କୁମାର ପ୍ରଧାନ): ଆମଦେଶର ଆମ୍ବ ବିଭିନ୍ନ ସ୍ଥାନର ପାଣିପାଗ ଏବଂ ଜଳବାୟୁ ଉପରେ ନିର୍ଭର ନିଜର ବିଶେଷତା ପାଇଁ ସମଗ୍ର ବିଶ୍ବରେ ନିଜର ସ୍ଥାନ ସୃଷ୍ଟି କରିଛି। ଆମ୍ବ ପାଟିକୁ ସ୍ୱାଦିଷ୍ଠ ଲାଗିବା ସହ ଯେତେ ପ୍ରକାରର ଫଳ ଅଛି ଆମ୍ବକୁ ସମସ୍ତ ଫଳର ରାଜା ବୋଲି କୁହାଯାଏ। ଆମରାଜ୍ୟ ତଥା ଦେଶର ଅତି ଲୋକ ପ୍ରିୟ ଜାତୀୟ ଫଳ ଅଟେ। ଏହା ଅତ୍ୟନ୍ତ ରସାଳ ଓ ସ୍ୱାଦିଷ୍ଠ ଅଟେ। ଆମ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ଅତ୍ୟନ୍ତ ଶୁଭ ମନାଯାଏ। ଏବଂ ପ୍ରତ୍ୟେକ ପୂଜା କାର୍ଯ୍ୟରେ ଆମ୍ବ ପତ୍ରର ବ୍ୟବହାର କରାଯାଇଥାଏ। ଏପରିକି ଆମ ପରମ୍ପରାରେ କୌଣସି ନୂତନ ଫଳ ଆସିଲେ ପ୍ରଥମେ ଠାକୁରଙ୍କୁ ଅର୍ପଣ କରିବା ପରେ ହିଁ ଘରେ ଗ୍ରହଣ କରାଯାଏ ଏହି କ୍ରମରେ ଆମ୍ବ ଋତୁରେ ପ୍ରଥମେ ଆମ୍ବ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ପରେ ହିଁ ଘରର ସମସ୍ତ ସଦସ୍ୟ ଗ୍ରହଣ କରିଥାନ୍ତି। ଜଗନ୍ନାଥ ସଂସ୍କୃତିରେ ଋତୁକାଳୀନ ଫଳ ଭାବରେ ‘ଆମ୍ବ’ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଗ୍ରୀଷ୍ମ ଋତୁରେ ବିଶେଷକରି ଦୋଳ ପୂର୍ଣ୍ଣିମା, ପଣା ସଂକ୍ରାନ୍ତି ଓ ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁଙ୍କ ନିକଟରେ ପାଚିଲା ଆମ୍ବ ଏବଂ ଆମ୍ବରସ ଭୋଗ ଲାଗି କରାଯାଇଥାଏ। ଏହାକୁ ଭକ୍ତ ଓ ସେବକମାନେ ଅତ୍ୟନ୍ତ ଭକ୍ତିର ସହ ଅର୍ପଣ କରିଥାନ୍ତି। କଞ୍ଚା ଆମ୍ବରୁ ଖଟା, ଆଚାର ପ୍ରସ୍ତୁତ ହେଉଥିବା ବେଳେ ପାଚିଲା ଆମ୍ବରୁ ବିଭିନ୍ନ ପ୍ରକାରର ଆମ୍ବସରା, ଯାଉ, ଜୁସ୍ ଇତ୍ୟାଦି କରାଯାଇଥାଏ। ବିଶେଷ କରି ଖରାଦିନେ ଆମ ଶରୀର ପାଇଁ ଆମ୍ବ ହିତକର। ଆମ୍ବ ଶୀତଳ ଏବଂ ପୃଷ୍ଟିକର ଖାଦ୍ୟ ଯାହା ଗ୍ରୀଷ୍ମ ଋତୁ ପାଇଁ ଅତ୍ୟନ୍ତ ଉପକାରୀ ହେବା ସହିତ ଶରୀରକୁ ଉତାପକୁ ହ୍ରାସ କରିବା ସହ ଶରୀରକୁ ସତେଜ ରଖିଥାଏ। ଆମ୍ବରେ ପ୍ରଚୁର ପରିମାଣରେ ଖଣିଜ ଲବଣ, ଭିଟାମିନ ଏ, ସି ଏବଂ ରୋଗ ପ୍ରତିରୋଧ ଶକ୍ତି ବଢାଇବା ସହ ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଆମ୍ବ ପଣା ପିଇବା ଦ୍ୱାରା ଅଂଶୁ ଘାତରୁ ରକ୍ଷା ମିଳିଥାଏ ବୋଲି ଆୟୁର୍ବେଦ ଚିକିତ୍ସକ ମାନେ କହିଥାନ୍ତି।

 

(ଉପାନ୍ତ ଖବର)