April 30, 2026

ଓଡ଼ିଶାର ସ୍ଵନାମଧନ୍ୟ ଶଲ୍ୟ ଚିକିତ୍ସକ ସତ୍ୟବ୍ରତ ମହାପାତ୍ରଙ୍କ ପରଲୋକ….

teli
Share

ବ୍ରହ୍ମପୁର,4/3 : ଓଡ଼ିଶାର ସ୍ଵନାମଧନ୍ୟ ବରିଷ୍ଠ ଶଲ୍ୟ ଚିକିତ୍ସକ ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ଭୁବନେଶ୍ଵରସ୍ଥିତ ଧର୍ମନଗର ବାସଭବନରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ମୃତୁ୍ୟ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା । ସ୍ଵର୍ଗତ ମହାପାତ୍ର ଜଣେ ଛାତ୍ର ନେତା ଭାବେ ବେଶ ପରିଚିତ ଥିଲେ । ସେ ଐତିହାସିକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆନ୍ଦୋଳନର କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଦାୟିତ୍ଵରେ ଥିବା ବେଳେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନିଷ୍ପତି ସରକାର ଘୋଷଣା ନ କଲେ ଆତ୍ମଦାହ କରିବାକୁ ଚେତାବନୀ ଦେଇଥିଲେ। ଫଳରେ ତତ୍‌‍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ସେ ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମ ବେଚ ଛାତ୍ର ଥିଲେ। ଛାତ୍ର ସଂସଦର ସଭାପତି ମଧ୍ୟ ରହିଥିଲେ । ଡାକ୍ତର ରୂପେ ଆସିକା, ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲ, ଛତ୍ରପୁର ଓ ଖୋର୍ଦ୍ଧା ହସ୍ପିଟାଲରେ ସାଧାରଣ ଲୋକ ତଥା ଗରିବ ଲୋକଙ୍କ ଅତିପ୍ରିୟ ଡ଼ାକ୍ତର ରୂପେ ସୁଖ୍ୟାତି ଅର୍ଜନ କରିଥିଲେ। ସେ ହଜାର ହଜାର ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଚିକିତ୍ସା ବାବଦରେ କେବେ ବି ରୋଗୀଙ୍କ ଠାରୁ ଅର୍ଥ ନେଉନଥିଲେ। ସେ ସମାଜବାଦୀ ଆଦର୍ଶରେ ଭାରତ ବର୍ଷର ବିଶିଷ୍ଟ ସମାଜବାଦୀ ନେତା ରାମ ମନୋହର ଲୋହିଆ, ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଏକ ସରଳ ଓ ସଚ୍ଚୋଟ ଜୀବନ ବିତାଉଥିଲେ। କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଵର୍ଗତ ମହାପାତ୍ର ଝାରଖଣ୍ଡ ରାଜ୍ୟର ସ୍ଵାସ୍ଥ୍ୟ ପରାମର୍ଶଦାତା ଭାବେ ମନୋନୀତ ହୋଇ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । 1977 ମସିହାରେ ତାଙ୍କ ଉଦ୍ୟମରେ ଘରୋଇ ଡ଼ାକ୍ତରମାନଙ୍କ ଚିକିତ୍ସା ବନ୍ଦ ହୋଇଥିଲା । ଏହା ଏକ ଐତିହାସିକ ପଦକ୍ଷେପ ଥିଲା । ସେ ଗଜପତି ଜିଲା ପାରଳାଖେମୁଣ୍ଡିରେ 1941 ମସିହାରେ ଜନ୍ମଗ୍ରହଣ କରିଥିଲେ । ଶେଷ ଶଯ୍ୟା ନିକଟରେ ଧର୍ମପତ୍ନୀ ଡ଼ା. ଉଷା ଦାଶ, ଦୁଇ ପୁତ୍ର ବିଶ୍ଵରଂଜନ, ପ୍ରିୟରଂଜନ ଓ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ । ପୁରୀ ସ୍ଵର୍ଗଦ୍ଵାର ଠାରେ ସୋମବାର ଶେଷକୃତ ସମ୍ପନ୍ନ ହୋଇଛି ।
ତାଙ୍କ ବିୟୋଗରେ ଝାରଖଣ୍ଡର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ଦିନେଶ ଷଡ଼ଙ୍ଗୀ, ବିଶିଷ୍ଟ ପରିବେଶବିତ୍‌‍ ପ୍ରଫୁଲ୍ଲ ସାମନ୍ତରା, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ, ଡ଼ା. ନିରାକର ଭଟ୍ଟ, ସମାଜ ବିଜ୍ଞାନୀ ଭଗବାନ ସାହୁ, ଆଡ଼ଭୋକେଟ ସନ୍ତୋଷ ମହାପାତ୍ର, ରଜନୀକାନ୍ତ ବକ୍ସି, ବରିଷ୍ଠ ସାମ୍ୱାଦିକ ନରସିଂହ ସାହୁ, ରେଭେନ୍ସା କଲେଜର ପୂର୍ବତନ ସଭାପତି ଚିତ୍ତରଂଜନ ମହାନ୍ତି, ବିଧାୟକ ଶଶିଭୂଷଣ ବେହେରା, ହାଇକୋର୍ଟର ବରିଷ୍ଠ ଆଡ଼ଭୋକେଟ ଶିଶିର ଦାସ, ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ଚନ୍ଦ୍ରଧ୍ୱଜ ସାହୁ, ଅଧ୍ୟାପକ ବିଜୟ ମିଶ୍ର, ଅନନ୍ତରାମ କର କୌଣ୍ଡନ୍ୟ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ସାହୁ, ପ୍ରକାଶ ପାଣିଗ୍ରାହୀଙ୍କ ସମେତ ଲୋହିୟା ଏକାଡ଼େମୀ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

 

You may have missed