ଦଳିଦେଲା ଦନ୍ତାହାତୀ ସ୍ୱାମୀ – ସ୍ତ୍ରୀ ଦୁଇ ଜଣଙ୍କୁ
ଲାଞ୍ଜିଗଡ଼ –( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱାନାଥ ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରଵ ବୃଦ୍ଧି ପାଇବାରେ ଲାଗିଛି l ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଫସଲ ସବୁ ନଷ୍ଟ କରିବା ସହ ଲୋକଙ୍କ ଘର ଭାଙ୍ଗୁଛନ୍ତି ଏବଂ ଅନେକ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି l ହାତୀ ମଣିଷ ଭିତରେ ଲଢେଇରେ କେବେ ହାତୀ ମରୁଛି ତ କେବେ ମଣିଷର ଜୀବନ ଯାଉଛି l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିଜେପୁର ସେକ୍ସନ କାଦୋମଲି ଗାଁରେ l ସୂଚନା ମତେ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ଦୋରାସାର୍ଲି ଗାଁର ଦୁଇ ପରିବାର କିଛି ଦିନ ହେଲା କାଦୋମଲି ଗାଁ ଚାଷ ଜମିରେ ଘର ତିଆରି କରି ରହି ଆସୁଥିଲେ l ଶନିବାର ବିଳମ୍ବିତ ରାତିରେ ଜଙ୍ଗଲରୁ ଗାଁ ମୁହାଁ ହୋଇ ଏକ ଦନ୍ତାହାତୀ ଆସି ମୁଗାନା ମାଝୀ ବାହାରେ ଅମଳ ହୋଇଥିବା ଡାଲି ଜାତୀୟ ଶସ୍ୟ ଖାଇ ଓ ଘର ଭାଙ୍ଗିବା ସହ ଘରେ ଥିବା ଆସବାବପତ୍ର ନଷ୍ଟ କରି ମୁଗାନା ମାଝୀ (60) ଓ ତାର ସ୍ତ୍ରୀ ଗାଦ ମାଝୀ (55) କୁ ଘରୁ ଟାଣି ଆଣି କଚାଡି ମାରି ଦେଇ ସେମାନଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଏଣେ ତେଣେ ଫୋପାଡ଼ି ଦେଇଥିଲା l ତେବେ ମୃତକଙ୍କ ସାନ ଭାଇ ସାଧୁ ମାଝୀ, କୁଲୁ ମାଝୀ ଓ ନାଥ ମାଝୀ ଜୀବନ ବିକଳରେ ଦୌଡ଼ି ପଳାଇ ଅଳ୍ପକେ ବର୍ତ୍ତୀ ଯାଇଥିଲେ l ଘଟଣା ପ୍ରଚାରିତ ହେବା ପରେ କାଦୋମଲି ଗାଁରେ ଲୋକଙ୍କ ଭିଡ଼ ଜମିଥିଲା l କାନ୍ଦ ବୋବାଳିରେ ଗାଁ ଫାଟି ପଡ଼ିବା ସହିତ ଶୋକର ଛାୟା ଖେଳି ଯାଇଥିଲା l ଏହି ଘଟଣା ପାଇଁ ଅଞ୍ଚଳବାସୀ ବନବିଭାଗକୁ ଦାୟୀ କରିଛନ୍ତି l ଯେହେତୁ ବନବିଭାଗ ଦ୍ୱାରା ଗଠିତ ଏଲିଫ୍ୟାଣ୍ଟ ସ୍କ୍ଵାର୍ଡ଼ ବ୍ଲକରେ କାମ କରୁନାହିଁ l ବନବିଭାଗର ନିୟମ ଅନୁସାରେ ହାତୀ ଜଗୁଆଳି ମାନେ ଯେଉଁ ଅଞ୍ଚଳରେ ହାତୀ ଅଛି, ସେହି ଅଞ୍ଚଳକୁ ଯାଇ ହାତୀଙ୍କ ଗତିପଥ ଉପରେ ନଜର ରଖିବେ ଓ ସେହି ଅଞ୍ଚଳର ଗାଁକୁ ହାତୀ ଆସୁଥିବା ସୂଚନା ଦେବେ l ହେଲେ ତାହା କାଗଜ ପତ୍ରରେ ସୀମିତ ରହୁଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି l ଏହି ମର୍ମନ୍ତୁଦ ଘଟଣା ଘଟିବାର ପନ୍ଦର ଘଣ୍ଟା ପରେ ଫରେଷ୍ଟ ଗାର୍ଡ଼ ଓ ଫରେଷ୍ଟରଙ୍କ ବ୍ୟତୀତ କୌଣସି ଉଚ୍ଚ ଅଧିକାରୀ ଘଟଣା ସ୍ଥଳଇ ପହଞ୍ଚି ନ ଥିଲେ l ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବର, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ, ଲାଞ୍ଜିଗଡ଼ ଫରେଷ୍ଟ ଗାର୍ଡ଼ ଗିରିଧାରୀ ଗୌଡ଼, ବିଜେପୁର ଥାନାଧିକାରୀ ନୀଳାମ୍ବର ଜାନି ସହିତ ଏସ ଆଇ ଶ୍ୟାମସୁନ୍ଦର କୁଲେଶିକା ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ l କିଛି ସମୟ ଧରି ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ଏବଂ ସରକାର କ୍ଷତି ପୂରଣ ସହିତ ପଦ ପଦବୀରେ ଥିବା ଅଧିକାରୀକୁ ନିଲମ୍ବିତ ନ କଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଅଞ୍ଚଳବାସୀ ଚେତାଵାନୀ ଦେଇଛନ୍ତି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର