March 11, 2026

କାର୍ତ୍ତିକ ଶେଷ ସୋମବାର , ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ 

IMG-20251103-WA0030
Share

ବୁଗୁଡ଼ା : ତା୦୩/୧୧/୨୫ : ଧର୍ମ ମାସ କାର୍ତ୍ତିକର ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁଁ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳ ଚଞ୍ଚଳ ହୋଇ ଉଠିଥିଲା । ବୁଗୁଡା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ବେଳେ ବଡି ସକାଳୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଭକ୍ତଗଣ ପାହାଚ ନତୁବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ରେ ବିରାଜମାନ ଜଗଦେଶ୍ବର ସ୍ବାମୀ , ଗଙ୍ଗାଧର ସ୍ବାମୀ , ମକରେଶ୍ବର ସ୍ବାମୀ , ବୁଦ୍ଧେଶ୍ବର ସ୍ବାମୀ ଓ ସିଦ୍ଧେଶ୍ଵର ସ୍ବାମୀ ଆଦି ପଞ୍ଚ ଶମ୍ଭୁଙ୍କ ଆଶିଷ ପ୍ରାପ୍ତାର୍ଥେ ଦର୍ଶନ କରିଥିଲେ । ଏଥି ସହ ବୁଦ୍ଧଖୋଲ ପାଦଦେଶସ୍ଥ ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ ସ୍ଥଳ ଲୋକାରଣ୍ୟ ପାଲଟି ଥିଲା । ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା । ଯାନବାହାନ ଚଳାଚଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ସାଙ୍ଗକୁ ରହଣି ଦେୟ ସଂଗ୍ରହରେ ସ୍ବେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ବେଳେ ପୋଲିସର ସହଯୋଗ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଗହଳି ରାସ୍ତାରେ ବସ୍ ଚଳାଚଳ ଯୋଗୁଁ କତକଲା ଗ୍ରାମ ରାସ୍ତାରେ ବାରମ୍ବାର ଟ୍ରାଫିକ ସମସ୍ଯା ମଧ୍ୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା।