March 11, 2026

ଦାନବୀର ବଡେ ହରିହର ଗୁରୁଙ୍କ ୧୦୧ତମ ସ୍ମୃତି ସମାରୋହରେ ବିଭିନ୍ନ ବର୍ଗର ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଛି l

IMG-20250803-WA0002
Share

ଆଜି ଅଗଷ୍ଟ ୨ତାରିଖ ୨୦୨୫ରେ ଭକ୍ତି ଓ ସେବାର ଅନନ୍ୟ ପ୍ରତୀକ ଦାନବୀର ବଡେ ହରିହର ଗୁରୁଙ୍କ ୧୦୧ତମ ସ୍ମୁତି ସମାରୋହ ଦାନବୀର ବଡେ ହରିହର ଗୁରୁ ସ୍ମୁତି ସଂସଦ ପକ୍ଷରୁ ପୁରୀ ବଡଦାଣ୍ଡ ଗୁରୁ ଇଷ୍ଟେଟ ପରିସରରେ ଏହି ପବିତ୍ର ଆସର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ରବିନାରାୟଣ ଗୁରୁଙ୍କ ଅଧକ୍ଷତାରେ ମୁଖ୍ୟଅତିଥିଭାବେ ଡାକ୍ତର ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁରୀର ପୂର୍ବତନ ନଗରପାଳ ତଥା ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରି ପ୍ରଥମେ ମହାପ୍ରଭୁ ଏବଂ ବଡେ ହରିହର ଗୁରୁଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେପରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଏକାଧାରରେ କବି, ଲେଖକ, ସାହିତ୍ୟିକ କୈଳାଶ ଚନ୍ଦ୍ର ଟିକାୟତରାୟ ମଞ୍ଚ ପରିଚାଳନା କରି ସମ୍ପାଦକ ଚକ୍ରଧର ମହାପାତ୍ରଙ୍କୁ ସମ୍ପାଦକୀୟ ବିବରଣୀ ପାଠ କରିବାପାଇଁ ସୁଯୋଗ ଦେଇଥିଲେ l ସମାଜସେବୀ ଚକ୍ରଧର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ବଡେ ହରିହର ଗୁରୁଙ୍କ ସ୍ମୁତିଚାରଣ କରି କହିଲେ ଯେ ବଡେ ହରିହର ଗୁରୁ ପ୍ରଥମେ ପାରମ୍ପରିକ ଚାଟଶାଳୀରେ ନିଜର ପ୍ରାଥମିକ ଶିକ୍ଷା ଶେଷକରି ନିଜ ପ୍ରଚେଷ୍ଟାରେ ସଂସ୍କୃତ ଶାସ୍ତ୍ର ଅଧୟନ କରି ସୁଆର ସାହିର ପାଟଚ୍ଛତା ମହାପାତ୍ରଙ୍କ ଝିଅ ଗୌରମଣୀଙ୍କୁ ବିବାହ କରି ନିଜକୁ ମହାପ୍ରଭୁଙ୍କ ସେବାରେ ନିୟୋଜିତ କରିବା ସହିତ ତୀର୍ଥଯାତ୍ରୀଙ୍କ ସେବାକରି ଅକୁଣ୍ଠିତ ଚିତ୍ତରେ ଦାନକରି ଅନ୍ୟକୁ ସାହାଯ୍ୟ କରି ନିଜେ ଋଣଗ୍ରସ୍ତ ହୋଇଥିବା ସହିତ ପଣ୍ଡିତ ଗୋପବନ୍ଧୁ ଏବଂ ପଞ୍ଚସଖାଙ୍କ ସହିତ ସମ୍ବନ୍ଧ ରଖି ଜନସେବାରେ ନିଜକୁ ନିୟୋଜିତ କରିବା ସହିତ ସଂସ୍କୃତ ଶିକ୍ଷାର ପ୍ରସାର ପାଇଁ ଗୌଡ଼ବାଡ଼ ସାହିରେ ଏକ ସଂସ୍କୃତ ଟୋଲ ଖୋଲିଥିଲେ l ଏଥିସହିତ ପୁରୀରେ ସଦାଶିବ କେନ୍ଦ୍ରୀୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସମ୍ପୂର୍ଣ ସହଯୋଗ କରିଥିଲେ ବଡେ ହରିହର ଗୁରୁ l ବଡେ ହରିହର ପାରମ୍ପରିକ ସଂଗୀତ ଚର୍ଚ୍ଚା, ଯାତ ଓ ଲୀଳା ଉପସ୍ଥାପନା, ଜାଗା ଆଖଡ଼ାରେ ଶରୀର ଚର୍ଚ୍ଚାପାଇଁ ଉତ୍ସାହ ପ୍ରଦାନ କରୁଥିଲେ l ୧୯୨୪ ଅଗଷ୍ଟ ଦୁଇ ତାରିଖରେ କରି ପ୍ରଭୁଧାମ ପ୍ରବେଶ କରିଥିଲେ ବୋଲି କହିଥିଲେ ସମ୍ପାଦକ ଚକ୍ରଧର ମହାପାତ୍ର l ପରେପରେ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥି ନିଜନିଜ ଅଭିଭାଷଣ ରେ କହିଥିଲେ ଯେ ଆଜିର ଯୁବସମାଜ ବଡେ ହରିହରଙ୍କ ଭଳି ହେବା ଦରକାର l ଏହାପରେ ବରିଷ୍ଠ ସେବାୟତ ଗୋବିନ୍ଦ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ନିରଞ୍ଜନ ସିଂହାରୀ, ଜଗନ୍ନାଥ ପ୍ରତିହାରୀ, ବିଶିଷ୍ଟ କ୍ରୀଡ଼ାବିତ ବିଶ୍ୱଜିତ ପ୍ରତିହାରୀ, ଓଡିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ଦୁର୍ଗାମାଧବ କର, ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ ପ୍ରିୟବ୍ରତ ରାୟ, ବିଶିଷ୍ଟ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ସିପ୍ରା ମହାନ୍ତି, ଅନ୍ନପୂର୍ଣ୍ଣା ତ୍ରିପାଠୀ, ଏବଂ ଛାତ୍ର ଶ୍ରୀମାନ ସୋୟମ୍ଭୁ ପ୍ରସାଦ କର ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା l ପରେପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ମହାପ୍ରସାଦ ସେବନ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l