ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତାରେ ଚକଟାଏ ଖାଲ , ଖାଲରେ ଜମୁଛି ବର୍ଷା ପାଣି , ଉପୁଜୁଛି ସମସ୍ଯା , ସ୍ଥାୟୀ ପ୍ରତିକାର ଦାବି
ବୁଗୁଡ଼ା : ତା ୦୩/୦୮/୨୪ : ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତାର ମଝିରେ ଚକଟାଏ ଖାଲ ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର କୌଣସି ସ୍ଥାୟୀ ପ୍ରତିକାର ବ୍ଯବସ୍ଥା ହୋଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ଜଣାଯାଇଛି । ଦୂରାବସ୍ଥାରେ ଥିବା ସେହି ରାସ୍ତା ସମ୍ପର୍କରେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଏବଂ ଏହା ପରେ ପୂର୍ତ୍ତ ବିଭାଗ ପକ୍ଷରୁ କିଛି ମେଟାଲ୍ ଓ କ୍ରସର ଗୁଣ୍ଡ ବିଛାଇ ଦେଇ କାମଚଳା ପଦକ୍ଷେପ ଗ୍ରହଣ କରାଯାଇଥିବାରୁ କିଛି ଦିନ ପରେ ଏବେ ପୁଣି ରାସ୍ତାର ଅବସ୍ଥା ପୂର୍ବ ଭଳି ଶୋଚନୀୟ ହୋଇ ପଡିଥିବାର ଅଭିଯୋଗ ହେଉଛି ।
ପ୍ରକାଶ ଯେ , ବୁଗୁଡ଼ାରୁ ପୋଲସରା ଅଭିମୁଖେ ଲମ୍ବିଥିବା ମୁଖ୍ୟ ରାସ୍ତାର ଚଢିୟାପଲ୍ଲୀ ଛକ ନିକଟରେ ଖାଲଖମା ଯୋଗୁଁ ଯାନବାହାନ ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସାମାନ୍ୟ ଅସାବଧାନତାରୁ ଦୁର୍ଘଟଣାମାନ ଘଟୁଛି । ଏଥି ପ୍ରତି ପୂର୍ତ୍ତ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବର୍ଷା ଦିନେ ସେହି ଖାଲଖମାରେ ପାଣି ଜମି ରହୁଥିବାରୁ ଖାଲର ଗଭୀରତା ଜାଣି ନ ପାରି ଦୁଇ ଚକିଆ ଏବଂ ଅଟୋ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଯାନବାହାନ ଚଳାଚଳ ବେଳେ ଗୋଳିଆ ପାଣିର ଛିଟିକା ଅନ୍ଯ ଉପରେ ପଡୁଯିବାରୁ ଅନେକ ସମୟରେ ଲୋକଙ୍କ ମଧ୍ୟରେ ବଚସା ହେଉଛି । ଚଢିୟାପଲ୍ଲୀ ଗାଁ ଛକ ନିକଟସ୍ଥ ସେହି ସ୍ଥାନରେ ଏଭଳି ଅସ୍ବଭାବିକ ଘଟଣାମାନ ବାରମ୍ବାର ଘଟୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର ବ୍ଯବସ୍ଥା କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।