July 3, 2024

୨୦୨୪ ନିର୍ବାଚନ:ସମ୍ଭାବନାର ବ୍ୟତିକ୍ରମ…

Share

 

ଆଉ କେଇ ଘଣ୍ଟାର ଅପେକ୍ଷା।ଓଡିଶାରେ ସରିଛି ୪ ପର୍ଯ୍ୟାୟ ସାଧାରଣ ନିର୍ବାଚନ।ସକାଳ ପାହିଲେ ଅର୍ଥାତ୍ ୪ ତାରିଖ ହେବ ଭୋଟ ଗଣତି।ପଲ୍ଲୀରୁ ଦିଲ୍ଲୀ ଯାଏ ସଭିଙ୍କ ଉତ୍କଣ୍ଠା ଓଡିଶା ନିର୍ବାଚନର ଫଳାଫଳକୁ।ଏହାକୁ ନେଇ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ଓ ସଂଗଠନ ଗୁଡିକ ନିଜର ପୂର୍ବାନୁଭାଷ ଦେଇଛନ୍ତି ।ପ୍ରାୟତଃ ଅନେକ ସର୍ବେକ୍ଷଣ ସଂସ୍ଥା କଂଗ୍ରେସକୁ ବହୁତ ପଛରେ ପକାଇ ବିଜେପି ଓ ବିଜେଡି ପଲା ଭାରିଙ୍କୁ ଦର୍ଶାଇଛନ୍ତି।ତେବେ ଫଳାଫଳକୁ ନେଇ ଆକଳନ ସରିନି। ବର୍ତ୍ତମାନ ମଧ୍ୟ ନିଜ ନିଜ ଭିତରେ ହାରଜିତ୍ ର ଆକଳନ ଚାଲିଛି।ଏଇ ଭିତରେ କିନ୍ତୁ ଏହି ଲେଖକ ପ୍ରାରମ୍ଭରୁ ହିଁ ଓଡିଶା ରାଜନୀତି ର ଗତିବିଧି ଉପରେ ନଜର ରଖିଥିଲା।ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଚଳିତ ନିର୍ବାଚନରେ ଯେଭଳି ଟଣା ଓଟରା,ଆକ୍ଷେପ-ପ୍ରତି ଆକ୍ଷେପ ଓ ଦୋଷାରୋପର ରଣନୀତି ଚାଲିଲା ସେଥିରୁ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ ରହିବା ସ୍ୱାଭାବିକ।

ବିଶେଷତଃ ଅନ୍ୟ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନ ବିଭିନ୍ନ ଦୃଷ୍ଟିକୋଣରୁ ସଂପୁର୍ଣ୍ଣ ଥିଲା ଅଲଗା।ବିଶେଷ ଭାବେ ବିଜେପି-ବିଜେଡି ୨ ଦଳ ମଧ୍ୟରେ ମେଣ୍ଟକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଉଭୟ ଦଳର ନେତା,କର୍ମୀ ଏପରିକି ଭୋଟରଙ୍କ ମଧ୍ୟରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।ଶେଷରେ ମେଣ୍ଟର ଅନ୍ତ ଘଟାଇ ୨ ଦଳର ଆରୋପ-ପ୍ରତ୍ୟାରୋପ ଭିତରେ ୨ ଦଳ ନିଜର କରିସ୍ମା ଦେଖାଇ ନିର୍ବାଚନ ମୈଦାନରେ ଠିଆ ହେଲେ।ପୁଣି ଆରମ୍ଭରୁ ହିଁ ନେତା ଓ କର୍ମୀ ମହଳରେ ଅସନ୍ତୋଷ।ଘଡିକେ ଘୋଡା ଛୁଟିଲାପରି ଦଳବଦଳର ପାଲା ଚାଲିଲା।ଦିନେ ଯେଉଁ ଦଳ ଅନ୍ୟର ସମାଲୋଚନାରେ ଅତିଷ୍ଟ ହେଉଥିଲା ସେମାନଙ୍କୁ ମଧ୍ୟ କୋଳେଇ ନେବାର ନଜିର ରଖିଲେ।ବିଶେଷ କରି ବିଜେପି ବିଜେଡି ରଣନୀତି ବଡ ଚମତ୍କାର ଥିଲା।ଶାଣୀତ ସ୍ୱରରେ ପ୍ରତିପକ୍ଷ ଦଳକୁ ହରଡଘଣାରେ ପକାଉଥିବା ନେତାଙ୍କ ଦଳ ବଦଳ ଓ ନିର୍ବାଚନ ଲଢିବା ପରମ୍ପରା ଚଳିତ ନିର୍ବାଚନର ଏକ ବିରଳ ଘଟଣା।ଏପରିକି ଅନେକ ଅସନ୍ତୋଷ ହୋଇ ସ୍ୱାଧିନ ଭାବରେ ମଧ୍ୟ ନିର୍ବାଚନ ମୈଦାନକୁ ଓଲ୍ଲେଇଛନ୍ତି।ଅନେକ ସ୍ଥାନରେ ଜନତାଙ୍କ ଚାପରେ ପ୍ରାର୍ଥୀ ଘୋଷଣାପରେ ବି ପ୍ରାର୍ଥୀ ବଦଲେଇବା ଦୃଷ୍ଟାନ୍ତ ରଚିଲା ଚଳିତ ନିର୍ବାଚନ।ନେତାଙ୍କ ତ୍ୟାଗ ଆଗରେ ଆତ୍ମଗର୍ବ ଓ ହାମବଡା ବାହାଦୂରୀବି ଦେଖିବାକୁ ମିଳିଛି।ଏଭଳି ପରିସ୍ଥିତି କେବେ ଆଗରୁ ଦେଖିବାକୁ ମିଳିନଥିଲା।ତା’ଠାରୁ ଅଧିକ ଗମ୍ଭିରତା ବିଷୟ ଥିଲା ଭୋଟରଙ୍କୁ ପ୍ରଲୋଭିତ କଲା ଭଳି ଶାସକ ଦଳ ଗତ ୧ ବର୍ଷ ଧରି ବିଭିନ୍ନ ଯୋଜନା କରିଆସୁଥିଲା।ଶେଷରେ ନିଜକୁ ସ୍ୱଚ୍ଛ ଶାସନର ଦିଣ୍ଡମି ପିଟୁଥିବା ଓ ରାଜ୍ୟର ସର୍ବ ବୃହତ ତୃଣମୂଳ ସ୍ତରୀୟ ଦଳ ଭାବେ ଗର୍ବ କରୁଥିବା ବିଜେଡି କିନ୍ତୁ ଏତେ ତଳକୁ ଖସିଯିବ ଲୋକେ ଆଶା କରିନଥିଲେ।ଭୋଟ ପାଇଁ ଭୋଟରଙ୍କୁ ପ୍ରଲୋଭିତ କରିବା ଓ ଲାଞ୍ଚୁଆ କରିବା ଭିତରେ ଅନେକ ଫରକ୍ ରହିଛି । ଭୋଟର ପିଛା ୧ ହଜାର ଟଙ୍କା ବଣ୍ଟନ ମଧ୍ୟ କେବଳ ସାମ୍ନାକୁ ଆସିନି।ବରଂ ନିଜ ଲୋକର ତାଲିକା କରି ଏଭଳି ଟଙ୍କା ବଣ୍ଟା କାରବାର ଗାଁ ଗଣ୍ଡାରେ ଟଣାଓଟରାର ସୂତ୍ରପାତ ଘଟାଇ ଆନେକ ଅଙ୍କ ବିଗାଡି ଥିବା ପରି ଭୋଟରଙ୍କ ମନ ପରିବର୍ତ୍ତନର କାରଣ ସାଜିଛି।କଂଗ୍ରେସ ଏ ଭିତରେ ନଥିଲେବି ବିଜେଡି-ବିଜେପିର ଏଭଳି କୌଶଳର ଫାଇଦା କଂଗ୍ରେସକୁ ଯାଇଥିବା ଅସ୍ୱୀକାର କରିବ ମଧ୍ୟ ଠିକ୍ ହେବ ନାହିଁ ।

ଏହି ସବୁ କାରଣକୁ ବିଚାରକୁ ନେଲେ ଜନମତକୁ ନେଇ କିଛି ସ୍ପଷ୍ଟ ବାର୍ତ୍ତା ଦେବା ଏତେ ସହଜ ନୁହେଁ।କିନ୍ତୁ ଏହି ଲେଖକ ଜନାଧାର ଉପରେ ଋଚି ଓ ନିର୍ବାଚନ ଉପରେ ତୀକ୍ଷ୍ଣ ନଜର ରଖୁଥିବା ସମଗ୍ର ଓଡିଶାର ବିଭିନ୍ନ ବର୍ଗର ଲୋକ ସମୂହଙ୍କ ମତକୁ ନେଇ ଏହି ଆଲେଖ୍ୟରେ କହିବାକୁ ଚାହୁଁଛି ଯେ,ଭୋଟରଙ୍କ ଦ୍ୱନ୍ଦ୍ୱରେ ଓଡିଶାର ଜନାଧାର ଗଣିତ ଫେଲ୍ ମାରିଛି।ବିଧାନସଭାରେ କାହାକୁ ମିଳୁନି ସ୍ୱଷ୍ଟ ବହୁମତ।ଅର୍ଥାତ୍ ଓଡିଶାରେ ସରକାର ଗଠନ କରିବାକୁ ୧୫ ରୁ ୨୦ ବିଧାୟକଙ୍କ ଆବଶ୍ୟକତା ରହିବ କେବଳ ବିଜେଡି ପାଇଁ।କଂଗ୍ରେସ ଦଳ ବହୁତ ପଛରେ ଥିଲେବି ଓଡିଶାରେ ୧୪ ରୁ ୧୭ ସିଟ୍ ଜିଣିବା ସମ୍ଭାବନା ରହୁଛି।ସେହିପରି ବିଜେଡି ୫୯ ରୁ ୬୭ ଯିତିବାରେ ସମ୍ଭାବନା ଥିବା ବେଳେ ବିଜେପି ମଧ୍ୟ ୫୭ ରୁ ୬୯ ସିଟରେ ବିଜୟ ଲାଭ କରିପାରେ ।କୋରାପୁଟ ଲୋକସଭା ଆସନର ୭ ବିଧାନସଭା ଆସନରୁ ଗୋଟିଏ ୨ଟି ସିଟରେ କଂଗ୍ରେସ ବିଜେପି ସହିତ କଡାମୁକାବିଲା କରୁଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ପାଖାପାଖି ୩୨ ସିଟରେ କଡା ମୁକାବିଲା ହୋଇଥିବା ଜଣାପଡୁଛି।ଅନ୍ୟ ପଛରେ ୩ ରୁ ୫ ସିଟରେ ସ୍ୱାଧିନ ଓ ଅନ୍ୟ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବା ମଧ୍ୟ ସମ୍ଭାବନା ରହୁଛି।

ମୋଟାମୋଟି ଭାବେ କହିବାକୁ ଗଲେ ୨୦୨୪ରେ ବିଜେପିର ଭୋଟହାର ବଢିଥିବା ବେଳେ ବିଜେଡି ହାର କମୁଛି।ବିଜେଡି ୨୦୧୯ରେ ବିଜୟ ହାସଲ କରିଥିବା ୧୧୨ ସିଟରୁ ଏକ ତୃତିଆଂଶ ହରାଇବାକୁ ଯାଉଥିବା ବେଳେ ବିଜେପି ଏହାର ବଡ ଫାଇଦା ନେଉଛି। ଅବଶ୍ୟ ରାଜ୍ୟର ୨୧ ଲୋକସଭା ରୁ ବିଜେପି ୧୬ ଉପରକୁ ଯାଇପାରେ ।ବିଜେଡି ୩ ରୁ ୪ ସିଟ୍ ପାଇବା ଭଳି ଥିବା ବେଳେ ଗୋଟିଏ କଂଗ୍ରେସ ହାତକୁ ଯିବା ସମ୍ଭାବନା ରହୁଛି।ଅବଶ୍ୟ ଏହି ଗଣିତଯେ ଭୁଲ ହେବ ତାହା ନୁହେଁ ବରଂ ଆକଳନ ଓ କମ୍ ହାର ନେଇ ଅଙ୍କ ଗଣିତରେ ପରିବର୍ତ୍ତନ ହୋଇପାରେ।

ଯଦି ଦେଖିବାକୁ ଯିବା ପଶ୍ଚିମାଞ୍ଚଳ ବିଭିନ୍ନ ସ୍ଥାନରେ ବିଜେଡି ତୁଳନାରେ ବିଜେପି ଖୁବ ଆଗରେ ରହୁଛି।କେତୋଟି ସ୍ଥାନରେ କଡାମୁକାବିଲା ହୋଇଛି।ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ କଂଗ୍ରେସ ବାଜିବାତ ମାରିବାକୁ ଯାଉଥିବା ବେଳେ ଗଞ୍ଜାମ, ଗଜପତି,କନ୍ଧମାଳ,ରାୟଗଡା,ନବରଙ୍ଗପୁର,ମାଲକାନଗିରି ଭଳି ଜିଲ୍ଲାରେ ବିଜେପି ପ୍ରତି ଭୋଟରଙ୍କ ଅନୂକୁଳ ମନୋଭାବ ରହିଥିବା ଦେଖିବାକୁ ମିଳିଛି।କଟକ,ଭୁବନେଶ୍ବର, ପୁରୀ,ଗଞ୍ଜାମ ଭଳି ଜଲ୍ଲାରେ ବିଜେଡି ଭଲ ପ୍ରଦର୍ଶନ କରିବ। କିନ୍ତୁ ବହୁ ଆସନରେ କଡାମୁକାବିଲା ହେଉଥିବାରୁ ବିଜୟ ଫଳାଫଳ ଉପରେ କିଛି କହିହେବ ନାହିଁ। ଉପକୂଳ ଅଞ୍ଚଳରେ ମଧ୍ୟ ବିଜେଡି ଅପେକ୍ଷା ବିଜେପି ପ୍ରତି ଲୋକଙ୍କ ଭରସା ଆସିଥିବା କୁହାଯାଉଛି।ଯାଜପୁର ଗଣିତ ଏଥର ନୂଆଁମୋଡ ନେବାକୁ ଯାଉଛି।

ଚଳିତ ନିର୍ବାଚନରେ ୩୧ହଜାର ଧାନ ଦର ପ୍ରଦାନ,ମହିଳାଙ୍କୁ ବର୍ଷକୁ ୫୦ ହଜାର,ମାଗଣା ବିଜୁଳି ଯୋଜନା ଓଡିଆ ଅସ୍ମିତା ଭଳି ନିର୍ବାଚନୀ ପ୍ରଚାର ଚାଷୀ,ଗୃହିଣୀ,ମଧ୍ୟବିତ୍ତ ପରିବାର ଓ ସ୍ୱାଭିମାନୀ ଭୋଟର୍ ଙ୍କୁ ଆକୃଷ୍ଟ କରି ଏକ ପରିବର୍ତ୍ତନ ଓଡିଶାର ସମ୍ଭାବନା ସୃଷ୍ଟି ହୋଇଛି ଏହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ।(ଡା.ରାଜାରାମ ଷଡଙ୍ଗୀ )