June 20, 2026

‘ଗଞ୍ଜାମର ଅତୀତ ଓ ବର୍ତ୍ତମାନ’ ସ୍ମାରକୀ ଗ୍ରନ୍ଥ ପ୍ରକାଶନ ନିଷ୍ପତ୍ତି

oliv
Share

 

ବ୍ରହ୍ମପୁର,3/5 : ସମଗ୍ର ଓଡ଼ିଶା ତଥା ଭାରତ ବର୍ଷର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସ୍ଵାଧୀନତା, ସ୍ଵତନ୍ତ୍ର ଉକଳ ପ୍ରଦେଶ ଗଠନ ଓ ଛାତ୍ର ଆନ୍ଦୋଳନ, କଳା, ରାଜନୀତି ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ (ଅବିଭକ୍ତ) ଜିଲ୍ଲାର ଅବଦାନ ସ୍ଵତନ୍ତ୍ର। ଗଞ୍ଜାମର ଐତିହ୍ୟ ମହତ୍ଵପୂର୍ଣ୍ଣ, ବରପୁତ୍ରମାନଙ୍କର କର୍ତ୍ତବ୍ୟନିଷ୍ଠା, ମା- ମାଟି ପ୍ରତି ପ୍ରତିବଦ୍ଧତା ଏବେ ବି ଅମଳିନ। ସେହି ମା, ମାଟି ତଥା ବରପୁତ୍ରମାନଙ୍କର ସ୍ମୃତିକୁ ସମ୍ପ୍ରତି ଉତ୍ତର ପିଢ଼ୀକୁ ଅବଗତ କରାଇ ଗଞ୍ଜାମର ସାମ୍ପ୍ରତିକ ସ୍ଥିତି ଜନମାନସରେ ପ୍ରତିଫଳିତ କରିବା ପାଇଁ ଏକ ଉଦ୍ୟମ। ‘ଗଞ୍ଜାମର ଅତୀତ ଓ ବର୍ତ୍ତମାନ’ ଶୀର୍ଷକ ଏକ ସ୍ମାରକୀ ଗ୍ରନ୍ଥ ପ୍ରକାଶନ ପାଇଁ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ବରିଷ୍ଠ ସାମ୍ୱାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ଵରେ ଏକ ଆଲୋଚନାଚକ୍ର ନବୀନ ଭବନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରନ୍ଥରେ ଗଞ୍ଜାମର ବିଭିନ୍ନ ସ୍ତରର ଲେଖକ, ପ୍ରାବନ୍ଧିକ ତଥା ଐତିହାସିକ ବନ୍ଧୁମାନଙ୍କର ସୁନିର୍ବାଚିତ ଲେଖା ପ୍ରକାଶନ କରାଯିବ। ତେଣୁ ଗଞ୍ଜାମର ବିଭିନ୍ନ କୋଣ ଅନୁକୋଣରେ ଥିବା ବନ୍ଧୁମାନେ ଲେଖା ପ୍ରସ୍ତୁତ କରି ସହଯୋଗ କରିବା ପାଇଁ ଆଜିର ବୈଠକରେ ଆହ୍ୱାନ କରାଯାଇଛି । ଉକ୍ତ ବୈଠକରେ ବରିଷ୍ଠ ସାହିତି୍ୟକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷାବିତ କାମରାଜୁ ମହାରଣା, ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଡ଼ଃ. ଡ଼ମ୍ୱରୁଧର ସାହୁ, ବିଘ୍ନେଶ୍ଵର ସାହୁ, ସମାଜସେବୀ ତଥା ଲେଖିକା ବିଧୂପ୍ରଭା ରଥ, ସୂଚନା ପାଢ଼ୀ, ସୁଦୀପ୍ତ ପଟ୍ଟନାୟକ, ରାମକୃଷ୍ଣ ପାତ୍ର, ଅଶୋକ କୁମାର ଦଳେଇ, ରଂଜନ କୁମାର ସାହୁ, ସୁଶାନ୍ତ କର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଲେଖାଗୁଡ଼ିକ ଇ-ମେଲ ganjampastandpresent.naveen@gmail.com/ rabi.nabeen@gmail.com ରେ ପ୍ରେରଣ କରିବା ପାଇଁ ଅନୁରୋଧ କରାଯାଇଛି ।

You may have missed