November 16, 2024

ଅଷ୍ଟମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ମା’ଙ୍କ ଘଟ ସଜ୍ଜିକରଣ, ବିରାଟ ପଟୁଆରରେ ପଞ୍ଚ ଠାକୁରାଣୀଙ୍କ ସାହି ପରିକ୍ରମା

Share

ଅଷ୍ଟମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ମା’ଙ୍କ ଘଟ ସଜ୍ଜିକରଣ, ବିରାଟ ପଟୁଆରରେ ପଞ୍ଚ ଠାକୁରାଣୀଙ୍କ ସାହି ପରିକ୍ରମା
ବୁଗୁଡ଼ା : ତା ୦୩/୦୫/୨୩ : ମହାଆଡମ୍ବରରେ ଆୟୋଜିତ ବୁଗୁଡ଼ା ଠାକୁରାଣୀ ଯାତ୍ରା ଆଜି ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ଘଟ ସ୍ରସାଧକ ବସନ୍ତ ବେହେରାଙ୍କ ଦ୍ବାରା ସୁମନ ସଜ୍ଜିତ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ବିଭିନ୍ନ ବେଶଧାରୀଙ୍କ ଗହଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସହରର କେତେକ ସାହିର ମେଢ ଲୋକାର୍ପିତ ହୋଇଯାଇଥିବା ବେଳେ ଆଉ କେତେକ ସ୍ଥାନରେ ମେଢ ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ମୁଖ୍ୟ ସଡକ ଓ ଟୁଣୁଟୁଣିଆ ସାହିରେ ଆଲୋକ ସଜ୍ଜିକରଣ ଲୋକଙ୍କ ମନ ମୋହୁଥିବା ବେଳେ ବିଭିନ୍ନ ବେଶଧାରୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଅନ୍ୟପକ୍ଷରେ ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ବିଷୁମ ନାଇକ , ସୁଷମା ସାହୁ , ଗୀତାଞ୍ଜଳି ଦାଶ , ନନ୍ଦିନୀ ଆଚାରୀ , ଶୋଭା ଗୌଡ
ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଆସ୍ଥାନରୁ ବାହାରି ବଳଦେବ ମନ୍ଦିର , ଥାନା ରୋଡ , ହାଇସ୍କୁଲ ଛକ, ଶକ୍ତି ନଗର , ସୁନ୍ଦରୀ ନଗର ,କେନାଲ ସାହି, ଦାଶ କଲୋନୀ , ଅରବିନ୍ଦ ନଗର-୧, ୨ ଓ ୩ ଲାଇନ୍ ଆଦି ପରିକ୍ରମା କରିଥିଲେ। ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ବଳନ ସହକାରେ ଘଟଧାରିଣୀଙ୍କ ପାଦ ହଳଦୀ ପାଣିରେ ଧୋଇ ପଞ୍ଚ ଠାକୁରାଣୀଙ୍କ ସ୍ବାଗତ କରିଥିଲେ । ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ମା’ଙ୍କ ପୂଜା ମଣ୍ଡପ ନିକଟରେ ପୋଲିସ ସହାୟତା କେନ୍ଦ୍ର ଖୋଲା ଯାଇଛି ।