ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଉଦଯାପିତ

ବୁଗୁଡା : ତା ୦୩/୦୧/୨୬ : ବିଶ୍ବଶାନ୍ତି ତଥା ଜନକଲ୍ୟାଣ ଉଦ୍ଦେଶ୍ୟରେ ବୁଗୁଡା ବ୍ଲକର କରଚୁଲି ଗ୍ରାମରେ ଗତ ପୌଷ ମାସ ଶୁକ୍ଳପକ୍ଷ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ନବାହ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଗହଙ୍ଗୁ ମଠାଧୀଶ ଶ୍ରୀ ରାଘବାନନ୍ଦ ଦାସଜୀ ମହାରାଜଙ୍କ ଦ୍ଵାରା ପ୍ରାତଃକାଳୀନ ପୂଜନ ଓ ପାରାୟଣ ଏବଂ ସନ୍ଧ୍ୟା ସମୟେ ହନୁମାନ ଚାଳିଶା ପାଠ ଓ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରବଚକ ଭାବେ ସ୍ବାମୀ ପରମାନନ୍ଦ ସରସ୍ବତୀ, ପଣ୍ଡିତ ଗୋପାଳ ରାଜଗୁରୁ , ସନ୍ଥ ସନ୍ତୋଷ ଚୈତନ୍ୟ ବ୍ରହ୍ମଚାରୀ ପ୍ରମୁଖ ଯୋଗ ଦେଇ ସତସଙ୍ଗ ମହିମା, ସତୀ ବିବାହ, ରାମ ଜନ୍ମର କାରଣ, ଅବତାରବାଦ, ଜାନକୀ ବିବାହ, ରାମ ବନବାସ, ଭରତ ମିଳନ, ଅତ୍ରି ମିଳନ, ନାରୀ ଧର୍ମ କଥନ, ଶବରୀ ସେବା, ହନୁମାନ ଚରିତ୍ର, ଯୁଦ୍ଧଯାତ୍ରା, ବିଭିଷଣ ଶରଣାଗତି, ରାମ ଅଭିଷେକ, କାକଭୁଷଣ୍ଡି ଚରିତ୍ର ଆଦି ବିଭିନ୍ନ ପ୍ରସଙ୍ଗରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ପ୍ରଦାନ କରିଥିଲେ। ଏହି ନବାହ୍ନ କାର୍ଯ୍ୟକ୍ରମରେ ସାନ୍ଧ୍ଯକାଳୀନ ଭଜନ ସମାରୋହ ଓ ପ୍ରବଚନ ସମୟେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଘଟିଥିଲା ବେଳେ ଅନ୍ତିମ ଦିବସରେ ପୂର୍ଣ୍ଣାହୁତି ଓ ବିସର୍ଜନ କାର୍ଯ୍ଯ ସହ ଉଦଯାପିତ ହୋଇଥିଲା। କରଚୁଲି ଗ୍ରାମସ୍ଥ ଶ୍ରୀରାମ ଚରିତ ମାନସ ସମିତି ପକ୍ଷରୁ ଆୟୋଜିତ ଏହି ନବଦିବସୀୟ କାର୍ଯ୍ୟକ୍ରମକୁ ସଭାପତି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସଦାନନ୍ଦ ପାତ୍ର ଓ କୋଷାଧକ୍ଷ କୃଷ୍ଣଚନ୍ଦ୍ର ଡାକୁଆ ପ୍ରମୁଖ ପରିଚାଳନା କରିଥିବା ବେଳେ ଏଥିରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା ।
