ଆମ୍ବୋ ପଞ୍ଚାୟତର ବହୁ ଯୁବକ ବିଜେପିରେ ସାମିଲ
ହାଟଡିହି ତା ୨/୧୧(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଆମ୍ବୋ ପଞ୍ଚାୟତରେ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଆମ୍ବୋ ପଞ୍ଚାୟତର ବହୁ ଯୁବ ବନ୍ଧୁ ତଥା ଛାମୁଆ ରାଜନୈତିକ କାର୍ଯ୍ୟକର୍ତ୍ତା ହାଟଡିହିସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଏହି ଯୋଗଦାନକୁ ନେଇ ସ୍ଥାନୀୟ ବିଜେପି ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ହାଟଡିହି ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହି ନବାଗତଙ୍କୁ ସ୍ୱାଗତ କରିଥିଲେ। ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ବିଜେପି ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା, ଚତୁର୍ଭୁଜ ସ୍ୱାଇଁ, ସୁରେନ୍ଦ୍ର ସାହୁ, ମହିଳା ନେତ୍ରୀ ମିନତୀ ମହାପାତ୍ର, ବଡ଼ରମ୍ପାସ ସରପଞ୍ଚ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦଳରେ ନୂତନ ଭାବେ ଯୋଗଦେଇଥିବା ଯୁବକ ଓ ରାଜନୈତିକ କାର୍ଯ୍ୟକର୍ତ୍ତାମାନଙ୍କୁ ପୁଷ୍ପଗୁଚ୍ଛ, ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳୀୟ ନେତୃବୃନ୍ଦ ସ୍ୱାଗତ ଜଣାଇଥିଲେ। ନବାଗତ କାର୍ଯ୍ୟକର୍ତ୍ତାମାନଙ୍କ ଯୋଗଦାନ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ଗତିଶୀଳ କରିବାରେ ସହାୟକ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି। ଏହି ଯୋଗଦାନ କାର୍ଯ୍ୟକ୍ରମ ମାଧ୍ୟମରେ ଆମ୍ବୋ ପଞ୍ଚାୟତରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କୁ ଦଳୀୟ କାର୍ଯ୍ୟଧାରା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
