July 6, 2024

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବୁଗୁଡ଼ା ଏନଏସିର ମହିଳା କନିଷ୍ଠ ଯନ୍ତ୍ରୀ

Share

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ବୁଗୁଡ଼ା ଏନଏସିର ମହିଳା କନିଷ୍ଠ ଯନ୍ତ୍ରୀ
ବୁଗୁଡ଼ା : ତା ୦୨/୧୧/୨୩ : ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବୁଗୁଡ଼ା ଏନଏସିର ମହିଳା କନିଷ୍ଠ ଯନ୍ତ୍ରୀ ସାଗରିକା ମହାନ୍ତି l ବୁଗୁଡ଼ା ନିକଟସ୍ଥ ଷୋଳମାଇଲି ମୁଖ୍ୟ ରାସ୍ତାରେ ରହୁଥିବା ବାହନ ଦାଶଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା l ପ୍ରକାଶ ଯେ , ଗତ ମାସ ୧୫ ତାରିଖରେ ବାହନ ତାଙ୍କ ବାପାଙ୍କ ନାମରେ ଥିବା ଘରର ପ୍ଲାନ ମଞ୍ଜୁର କରିବା ପାଇଁ ବୁଗୁଡ଼ା ଏନଏସି କାର୍ଯ୍ୟାଳୟକୁ ଯାଇ ସଂପୃକ୍ତା ମହିଳା ଯନ୍ତ୍ରୀଙ୍କୁ କହିବାରୁ ସେ ଫାଇଲରେ ଦସ୍ତଖତ କରିବା ପାଇଁ ୪ ହଜାର ଟଙ୍କା ଦାବି କରିଥିଲେ । ଫଳରେ ବାହନ ନିରାଶ ହୋଇ ୪ ଦିନ ତଳେ ବ୍ରହ୍ମପୁର ଭିଜିଲାନ୍ସର ଆଶ୍ରୟ ନେଇଥିଲେ l ପୂର୍ବ ଯୋଜନା ମୁତାବକ ଆଜି ଭିଜିଲାନ୍ସ ଟିମ ବୁଗୁଡ଼ାରେ ପହଞ୍ଚିବା ପରେ ଅପରାହ୍ନ ସାଢେ ୩ଟା ବେଳେ ବାହନ ବୁଗୁଡ଼ା ଏନଏସି କାର୍ଯ୍ୟାଳୟକୁ ଯାଇ କନିଷ୍ଠ ଯନ୍ତ୍ରୀଙ୍କୁ ପୂର୍ବ ଦାବି ମୁତାବକ ରଙ୍ଗ ବୋଳା ହୋଇଥିବା ୪ ହଜାର ଟଙ୍କା ଦେଇଥିଲେ ଏବଂ ସାଗରିକା ଏହି ଟଙ୍କା ଧରିବା ମାତ୍ରେ ସାଧା ପୋଷାକରେ ଥିବା ମହିଳା ଭିଜିଲାନ୍ସ ଅଧିକାରୀ ସାଗରିକାଙ୍କୁ କାବୁ କରି ନେଇଥିଲେ l ସାଗରିକାଙ୍କୁ ଧରିବା ପରେ ଭିଜିଲାନ୍ସ ତାଙ୍କ କାର୍ଯ୍ୟାଳୟ ଓ ବୁଗୁଡ଼ା ସୋମନାଥ ନଗରରେ ରହୁଥିବା ଭଡା ଘରେ ଖାନତାଲାସ କରିଥିବା ଜଣା ପଡିଛି l ସାଗରିକା ମାତ୍ର ୨ ମାସ ତଳେ ବୁଗୁଡ଼ା ଏନଏସିର କନିଷ୍ଠ ଯନ୍ତ୍ରୀ ଭାବେ ଯୋଗ କରିଥିଲେ l ତେବେ ସେ ଏଠାକୁ ଆସିବା ଦିନଠୁଁ ପ୍ରତ୍ୟେକ କାମ ପାଇଁ ଲାଞ୍ଚ ଦାବି କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଥିଲା ।

You may have missed