October 5, 2024

ଜିଲ୍ଲା ସ୍ତରରେ ସ୍ବଚ୍ଛ ଭାରତ ଦିବସ ପାଳିତ

Share

ବିକାଶକୁ ଉପଭୋଗ କରିବା ପାଇଁ ଆମ ଭିତରେ ସଂସ୍କାରର ଆବଶ୍ୟକତା ରହିଛି – ମନ୍ତ୍ରୀ ବିଭୁତି ଭୂଷଣ ଜେନା

ବିକଶିତ ଭାରତର ସ୍ବପ୍ନ ପାଇଁ ସମସ୍ତଙ୍କ ମାନସିକ ପରିବର୍ତ୍ତନ ଲୋଡା- ନଗର ଉନ୍ନୟନ ମନ୍ତ୍ରୀ

ଛତ୍ରପୁର- ତା-୦୨/୧୦/୨୦୨୪ (ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସ୍ବଚ୍ଛ ଭାରତ ଦିବସ, 2024 ପାଳିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଆଜି ସେବା ମନୋବୃତ୍ତି ନେଇ ପ୍ରତ୍ୟେକେ ସ୍ବଚ୍ଛତା ଅଭିଯାନରେ ସାମିଲ ହେଉଛନ୍ତି । ଏହା କେବଳ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରେରଣା ଯୋଗୁଁ ସମ୍ଭବପର ହେଉଛି । ପୌରାଣିକ ଯୁଗରୁ ପବିତ୍ରତା ଥିଲା, ଏହା ପୁରାଣରେ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀ କଥାବସ୍ତୁରୁ ଜଣାପଡେ । ତେଣୁ ଆମ ପରିବେଶ ସ୍ବଚ୍ଛତା ବଜାୟ ରହିଲେ ପବିତ୍ରତା ଆପେ ଆପେ ଦେଖାଯିବ ଏବଂ ସମାଜ ପ୍ରଗତି ଦିଗରେ କ୍ଷିପ୍ରଗତିରେ ଗତି କରିବ । ଆଜି ଯେଉଁ ଦେଶ ବିକଶିତ ରାଷ୍ଟ୍ର ରୂପେ ପରିଚିତ ଅଛି ସେହି ଦେଶରେ ସ୍ବଚ୍ଛତା ହିଁ ଏହାର ପ୍ରକୃତ କାରଣ । ଏଣୁ ଶ୍ରେଷ୍ଠ ଭାରତ ପାଇଁ ସ୍ବଚ୍ଛ ଭାରତ କରିବାକୁ ହେବ । ଆମେ ଆମ ମାନସିକତାର ବିକାଶ କରି ସମସ୍ତଙ୍କ ସହଯୋଗ ନେଇ ସାମିଲ ହେବା ତେବେ ଯାଇ ଦେଶ ବିକଶିତ ଭାରତର ସ୍ବପ୍ନ ସାକାର ହେବ । ଅମୃତ ଯୋଜନାରେ ବିଶୁଦ୍ଧ ପାଣି ପାଇବା ସଙ୍ଗେସଙ୍ଗେ ପରିବେଶ ଶାନ୍ତ କରିବା ପାଇଁ ପ୍ରକୃତିକୁ ସଜାଇବାର ଆବଶ୍ୟକତା ରହିଛି । ସେହି ଦିଗରେ ସମସ୍ତେ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି । ଆଜି ପ୍ରଧାନ ମନ୍ତ୍ରୀ 85 ଗୋଟି ସହରର ଅମୃତ ଯୋଜନା ସକାଶେ 3960 କୋଟି ବିକାଶ ପାଇଁ ଦେଇଛନ୍ତି । ପୁଷ୍କରିଣୀର ପୁନରୁଦ୍ଧାର ହେଲେ ଜଳ ସ୍ତରର ପୁନରୁଦ୍ଧାର ହେବ । 20 ପ୍ରତିଶତ ବୃଷ୍ଟି ହୋଇ ବହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିହେବ । ଗଞ୍ଜାମ ଜିଲ୍ଲାରେ ଛତ୍ରପୁର, ଆସ୍କା ଓ ଭଞ୍ଜନଗରକୁ ପୌର ପାଳିକା ମାନ୍ୟତା ଦିଆଯିବ ଯଦି ତାହା ପୌରପାଳିକା ହେବାର ସମସ୍ତ ଯୋଗ୍ୟ ବିବେଚିତ ହେଲେ ବୋଲି ମନ୍ତ୍ରୀ ଉପସ୍ଥିତ ସାଂସଦ, ମନ୍ତ୍ରୀ ଏବଂ ବିଧାୟକ ମାନଙ୍କ ଅନୁରୋଧ ରକ୍ଷା କରି ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ମହିଳା ମାନଙ୍କ ସହଭାଗିତାରେ ସ୍ବଚ୍ଛତାର ପରିଚାଳନା ସହିତ ସେମାନେ ସ୍ବାବଲମ୍ବୀ ହୋଇ ପାରୁଛନ୍ତି । ଭୌତିକ ସ୍ବଚ୍ଛତା ସହିତ ଆଜି ଆତ୍ମିକ ସ୍ବଚ୍ଛତା ଆଣିବାର ଲକ୍ଷ୍ୟ ରଖୁଛେ । ସମାଜରେ ସ୍ବଚ୍ଛତା ଆଣିବା ଦିଗରେ ଭୌତିକ ସ୍ବଚ୍ଛତା ସହିତ ଆତ୍ମିକ ସ୍ବଚ୍ଛତା ଅପରିହାର୍ଯ୍ୟ । ବିକାଶକୁ ଉପଭୋଗ କରିବା ପାଇଁ ଆମ ଭିତରେ ସଂସ୍କାରର ଆବଶ୍ଯକତା ରହିଛି ବୋଲି ମତ ଦେଇଥିଲେ । ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଜଣାଇଥିଲେ ଯେ, ପ୍ରଧାନ ମନ୍ତ୍ରୀଙ୍କ ଗତ 10 ବର୍ଷର ସ୍ବଚ୍ଛ ଅଭିଯାନ କାର୍ଯ୍ୟକ୍ରମରେ ଅନେକ ପରିବର୍ତ୍ତନ ଆସିଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର, ଗଞ୍ଜାମ ଜିଲ୍ଲାର ମୁଖ୍ଯ ସଦୃଶ୍ୟ ଏଣୁ ଏହାର ବିକାଶ ଆବଶ୍ୟକତା ରହିଛି । ଛତ୍ରପୁର ସମେତ ବ୍ରହ୍ମପୁରର ନାଳ ନର୍ଦ୍ଦମାର ସୁବ୍ୟବସ୍ଥା ଅପରିହାର୍ଯ୍ୟ । ଏଣୁ ଏହାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡ. ପାଣିଗ୍ରାହୀ ଜଣାଇଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନିଜ ବକ୍ତବ୍ୟରେ ଛତ୍ରପୁର ବିଧାନ ସଭା ଅଞ୍ଚଳର ପାନୀୟ ଜଳ ଯୋଗାଣ ପାଇଁ 70 କୋଟି ଟଙ୍କା ଅନୁଦାନ ଦେଇଥିବା ହେତୁ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ମନ୍ତ୍ରୀଙ୍କ ଠାରେ ତାଙ୍କ ଅଞ୍ଚଳର ବିକାଶ ଧାରାକୁ ବ୍ୟାପକ କରିବାକୁ ଅନୁରୋଧ କରିଥିଲେ ।

ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବିଜ୍ଞାପିତ ଅଞ୍ଚଳର ସମସ୍ୟାମାନ ଅବଗତ କରାଇ ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିଜର ପ୍ରାରମ୍ଭିକ ସ୍ବାଗତ ଭାଷଣରେ ସ୍ୱଚ୍ଛ ଭାରତ ମିଶନ ୦୨ ଅକ୍ଟୋବର ୨୦୧୪ରେ ସମ୍ପୂର୍ଣ୍ଣ  ସରକାରୀ ସ୍ତରରେ ପରିମଳ ସମସ୍ତଙ୍କ ସକାଶେ ଉପଲବ୍ଧ ହେବ, ଏହି ଆଭିମୁଖ୍ୟ ସହିତ ଆରମ୍ଭ କରାଯାଇଥିଲା । ଏହାପରେ ସମଗ୍ର ଦେଶ ଏକାଠି ହୋଇ ବିଶ୍ୱ ଇତିହାସରେ ପରିମଳ ପାଇଁ ସର୍ବଶ୍ରେଷ୍ଠ ଜନ ଆନ୍ଦୋଳନ ସୃଷ୍ଟି କରାଯାଇଥିଲା । ଏହାରି ଭିତରେ ଏକ ଦଶନ୍ଧି ବିତିଗଲାଣି, ସ୍ବଚ୍ଛ ଭାରତ ମିଶନ ବିଭିନ୍ନ ସରକାରୀ ହସ୍ତକ୍ଷେପ ମାଧ୍ୟମରେ ସହରାଞ୍ଚଳର ମହିଳାଙ୍କ ସମ୍ମାନରେ ଉନ୍ନତି ଆଣିଛି, ସ୍ୱାସ୍ଥ୍ୟର ଉନ୍ନତି ଆଣିଛି, ସ୍ଥାନୀୟ ଅଞ୍ଚଳର ସୌନ୍ଦର୍ଯ୍ୟ ଏବଂ ସାମଗ୍ରିକ ଜୀବନର ଗୁଣବତ୍ତା ବୃଦ୍ଧି କରିଛି । ୧୭ ସେପ୍ଟେମ୍ବର ୨୦୨୪ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ସ୍ତରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ କରାଯାଉଅଛି । ଏଥିରେ ସ୍ୱଚ୍ଛତା ନିମନ୍ତେ ଦିଆଯାଇଥିବା ଲକ୍ଷ୍ୟଧାର୍ଯ୍ୟର ୨୫୩ ଗୋଟି ବ୍ଲାକ୍ ସ୍ପଟ୍ ଚିହ୍ନଟ , ୪୩  ଗୋଟି ସ୍ୱଚ୍ଛତା ଅଭିଯାନ ପୂରଣ , ୨୧୪ ଗୋଟି ସ୍ୱଚ୍ଛତା ମୋ ଜନ ସାଧାରଣ ଭାଗିଦାରୀ ଅଧୀନରେ ୨୧୪ ଗୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏଵଂ ୨୧ ଗୋଟି ସଫେଇ ମିତ୍ର ସୁରକ୍ଷା ଶିବିରକୁ ସହରାଞ୍ଚଳ ବିକାଶ ପକ୍ଷରୁ ପରିବର୍ତ୍ତନ କରାଯାଇଛି।

ଅମୃତ (ଅଟଳ ମିଶନ ଫର ରିଜୁଭେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର୍ମେସନ) ହେଉଛି ସମଗ୍ର ଭାରତରେ ସହରାଞ୍ଚଳ ଜଳ ସମ୍ପଦର ଗୁଣବତ୍ତା ଏବଂ ସ୍ଥାୟୀତ୍ବ ରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଭାରତ ସରକାରଙ୍କ ଦ୍ୱାରା ୨୦୧୫ରେ ଆରମ୍ଭ ହୋଇଥିବା ଅମୃତରେ ସହରାଞ୍ଚଳକୁ ଜଳ ଯୋଗାଣ , ନର୍ଦ୍ଦମା ଏବଂ ଷ୍ଟର୍ମ ୱାଟର ଡ୍ରେନେଜ୍ ଭଳି ମୌଳିକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଅମୃତ ଅଧୀନରେ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର  ଉଦ୍ଦେଶ୍ୟ କେବଳ ସହରାଞ୍ଚଳର ସୌନ୍ଦର୍ଯ୍ୟ ଏବଂ ମନୋରଞ୍ଜନ ମୂଲ୍ୟରେ ଉନ୍ନତି ଆଣିବା ନୁହେଁ ବରଂ ଜଳ ସମ୍ପଦର ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣି ସହରାଞ୍ଚଳ ଜଳ ସଙ୍କଟର ସମାଧାନ କରିବା ହେଉଛି ଏହାର ଲକ୍ଷ୍ୟ।

ଗଞ୍ଜାମ ଜିଲ୍ଲାରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦୮ ଗୋଟି ଜଳାଶୟକୁ ସହରାଞ୍ଚଳରେ ଉନ୍ନତି ନିମନ୍ତେ ପଦକ୍ଷେପ  ନେଇଥିବା ସ୍ଥଳେ ସେଥି ମଧ୍ୟରୁ ୨୪ ଗୋଟି ଜଳାଶୟକୁ ଅମୃତ ୨.୦ ଅଧୀନରେ ନିଆଯାଇଛି । ଏହି ପ୍ରକ୍ରିୟାରେ ପ୍ରାୟ ୨୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ବଛାବଛା ଜଳାଶୟ ଗୁଡ଼ିକର ଅଧିକାଂଶ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇ ସ୍ଥାନୀୟ ସମୁଦାୟକୁ ବ୍ୟବହାର ପାଇଁ ହସ୍ତାନ୍ତର କରାଯିବା ଲକ୍ଷ୍ୟ ରଖା ଯାଇଛି ବୋଲି ଜଣାଇଥିଲେ ।

ବୈଠକରେ ଓ୍ବାଟକୋ (WATCO) EIC ରତିନ୍ଦ୍ର ମଲ୍ଲନାଥ ମଲ୍ଲିକ ପରିଚାଳନା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ମଞ୍ଚାସୀନ ଥିଲେ ।