କରଚୁଲିରେ ଭୟାବହ ଅଗ୍ନିକାଣ୍ତ , ଚାରି ବଖରା ଚାଳଘର ଭସ୍ମୀଭୂତ

ବୁଗୁଡ଼ା : ତା ୦୨/୦୭/୨୫ : ବୁଗୁଡା ବ୍ଳକ ଅଧିନସ୍ତ କରଚୁଲି ଗ୍ରାମର ଗୁଡିସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ତ ଘଟି ଭାସ୍କର ଡାକୁଆ ଓ ଦେବ ଡାକୁଆଙ୍କ ଦୁଇ ବଖରା ଲେଖାଏଁ ଚାଳଘର ଜଳି ପୋଡି ପାଉଁଣ ହୋଇଯାଇଥିବା ଜଣାଯାଇଛି। ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ଦୁଇଟା ବେଳେ ସେହି ଦୁଇ ପରିବାର ଲୋକେ ଶୋଇଥିବା ସମୟରେ ଏହି ଭୟାବହ ଅଗ୍ନିକାଣ୍ତ ଘଟିଥିଲା। ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦ୍ଯୁତ୍ ସର୍ଟସାର୍କିଟରୁ ଏହି ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ସେହି ଦୁଇଟି ପରିବାରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ନିଆଁରେ ପୋଡିଯାଇଛି । ଗ୍ରାମବାସୀ ଏବଂ ପରିବାର ଲୋକେ ନିଆଁକୁ ଆୟତ୍ତ କରିବାପାଇଁ ଉଦ୍ଯମ କରିଥିଲେ ହେଁ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇ ପାରିନଥିଲେ । ଖବର ପାଇ ବୁଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘର ସହ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ଦ୍ବୟ ସରକାରୀ ସହାୟତା ପାଇବା ପାଇଁ ହାତପାତି ବସିଥିବା ଜଣାଯାଇଛି।
