July 8, 2024

ବୁଗୁଡ଼ା ପୋଲିସର ନୂଆ ଆଇନ କର୍ମଶାଳା , ନୂଆ ଅପରାଧିକ ଆଇନ ଲାଗୁ , ତ୍ବରିତ ନ୍ୟାୟ ଉପରେ ଗୁରୁତ୍ବ

Share


ବୁଗୁଡା : ତା ୦୨/୦୭/୨୪ : ଦେଶରେ ଜୁଲାଇ ପହିଲାରୁ ଲାଗୁ ହୋଇଛି ନୂଆ ଭାରତୀୟ ନ୍ଯାୟ ସଂହିତା । ଏଥି ସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଫଳରେ ପ୍ରାୟ ଦେଢ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୋଲିସ ଆଇନ ଆଜି ଇତିହାସ ପାଲଟିଛି । ଏ ନେଇ ସ୍ଥାନୀୟ ଥାନା ପୋଲିସ ପକ୍ଷରୁ ନୂତନ ଅପରାଧିକ ଆଇନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ପୋଲିସ୍ ଏସ୍ଆଇ ଅର୍ଜୁନ କଅଁର ଓ ଜ୍ଯୋତିଶ୍ରୀ ସାହୁ , ବାଲିପଦର ଫାଣ୍ଡି ଅଧିକାରୀ କେ. ନିଳାଦ୍ରୀ ରେଡି ପ୍ରମୁଖ ଅଂଶ ଗ୍ରହଣ କରି ନୂତନ ଆଇନ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ ପୂର୍ବକ ସଚେତନତା ସୃଷ୍ଟି କରିଥିଲେ । ପୂର୍ବରୁ ବ୍ରିଟିଶ ସରକାରକୁ ସୁହାଇଲା ଭଳି ଯେଉଁ ଅପରାଧିକ ଆଇନ ପ୍ରଚଳନ କରାଯାଇଥିଲା ତାହା ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଥିଲା । ସଂପ୍ରତି ବହୁ ନୂତନ ଧରଣର ଅପରାଧ ସଂଗଠିତ ହେଉଥିଲା ବେଳେ ସେହି ପୁରୁଣା ଆଇନ ତାହାକୁ ସଠିକ୍ ଭାବେ ସମ୍ମୁଖୀନ ହୋଇ ପାରୁନଥିଲା । ଏହି ନୂତନ ଆଇନ ଦ୍ଵାରା ଲୋକେ ତ୍ବରିତ ନ୍ୟାୟ ପାଇ ପାରିବେ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ । ଏଫ୍ଆଇଆର , ପୋଲିସ ଅଭିଯୋଗର ଅନଲାଇନ୍ ପଞ୍ଜିକରଣ , ଏସ୍ଏମ୍ଏସ୍ ଭଳି ବୈଦ୍ଯୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଜଘନ୍ଯ ଅପରାଧ ପାଇଁ ଅପରାଧିକ ଦୃଶ୍ୟର ବାଧ୍ଯତାମୂଳକ ଭିଡିଓଗ୍ରାଫି ଭଳି ବ୍ଯବସ୍ଥା ଅନ୍ତର୍ଭୁକ୍ତ ହେବ ଯାହା କି ପରବର୍ତ୍ତୀ ସମୟରେ ପ୍ରମାଣ ଭାବରେ ତାହା ଅଦାଲତରେ ଗ୍ରହଣୀୟ ହୋଇ ପାରିବ ବୋଲି ପ୍ରକାଶ ପାଇଥିଲା । ନୂଆଁ ଅପରାଧିକ ଆଇନ “ପ୍ରଥମେ ନାଗରିକ , ପ୍ରଥମେ ସମ୍ମାନ ଓ ପ୍ରଥମେ ନ୍ଯାୟ” ଭାବନାରେ ପ୍ରସ୍ତୁତ କରାଯାଇଥିଲା ବେଳେ ପୋଲିସ୍ ଏବେ “ଲାଠି” ପରିବର୍ତ୍ତେ “ଡାଟା” ସହିତ କାମ କରିବାକୁ ପଡିବ ବୋଲି କୁହାଯାଇଥିଲା । ଏ ଅବସରରେ ନୂତନ ଆଇନ ପୁସ୍ତିକାକୁ ପ୍ରଦର୍ଶିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।