July 5, 2024

ଇଭିଏମରେ ବନ୍ଦ ନେତାଙ୍କ ଭାଗ୍ଯ , ଛାତି ହେଉଛି ଧଡ ଧଡ , ଚାଲିଛି ଅଛିଣ୍ଡା ଅଙ୍କକଷା ….

Share

ବୁଗୁଡ଼ା — ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସରିବା ସାଙ୍ଗକୁ ଗଣତି ପାଇଁ ଆଉ କେତେ ଘଣ୍ଟା ବାକି ରହିଛି । ଏଥର ନିର୍ବାଚନ ମଇଦାନରେ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ମୁଖ୍ଯତଃ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମୁହାଁମୁହିଁ ଲଢେଇ ଏକ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି କରିଛି । ଆସ୍କା ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ ଏହି ପୋଲସରା ବିଧାନସଭା ଆସନରୁ ଏଥର କିଏ ବିଜୟ ଲାଭ କରିବ ସେନେଇ ଦ୍ବନ୍ଦ ଦ୍ବନ୍ଦ ଦେଖା ଦେଇଛି । ନିଜର ଚତୁର ଗୋଟି ଚାଳନାରେ ବିରୋଧୀଙ୍କୁ ଧରାଶାୟୀ କରି ଲଗାତର ଦୁଇ ଥରର ବିଧାୟକ ତଥା ରାଜ୍ୟର ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପୁଣି ବାଜି ମାରିବେ ନା ଭାଜପାର ଅଭିଜ୍ଞ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ବିଜୟର ଧ୍ବଜା ଉଡାଇବେ ସେନେଇ ଜନ ମାନସରେ ଦ୍ବିଧା ଦେଖା ଦେଇଛି ।
ପୋଲସରା ନିର୍ବାଚନ ମଣ୍ଡଳୀ ଗଠନ ପରଠୁ କ୍ରମାଗତ ଭାବେ ବିଜୟ ଯୋଗୁଁ ଏହା ବିଜେଡିର ଗଡ ରୂପେ ବିବେଚିତ ହୋଇ ଆସୁଥିବା ସତ୍ତ୍ବେ ଏଥର ଭାଜପାର ନିର୍ବାଚନ ପରିଚାଳନା ଶୈଳୀ ଉତ୍କୃଷ୍ଟ ଧରଣର ଥିବାରୁ ଏଥର ସ୍ଥିତି କ’ଣ ହେବ ସେ ନେଇ ସାଧାରଣରେ ଉତ୍କଣ୍ଠା ଦେଖା ଦେଇଛି । ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମେ ୨୦ ତାରିଖ ଦିନ ଭୋଟ ଗ୍ରହଣ ଶେଷ ହେବା ପରଠୁ ଆରମ୍ଭ ହୋଇଯାଇଛି ଅଙ୍କ କଷା । ପୋଲସରା ନିର୍ବାଚନ ମଣ୍ଡଳୀର କେଉଁ ବୁଥରେ କେଉଁ ଦଳ କେତେ ଲିଡ୍ ରହିବ , ୬ଟି ଜିଲ୍ଲା ପରିଷଦ ଜୋନରେ କିଏ ଆଗୁଆ ରହିବ , ୨ଟି ଏନ୍ଏସିର ଜନମତର ଫଳାଫଳ କ’ଣ ରହିବ ସେନେଇ ଦଳୀୟ ନେତା ଓ କର୍ମୀ ଅଙ୍କକଷା ଜାରି ରଖିଛନ୍ତି । ଏଥର ପୋଲସରା ନିର୍ବାଚନ ମଣ୍ଡଳୀର ୨୬୩ଟି ବୁଥରେ ୧,୨୯,୪୦୭ ଜଣ ପୁରୁଷ , ୧,୧୯,୫୨୨ ଜଣ ମହିଳା ଓ ୮ ଜଣ ତୃତୀୟ ଲିଙ୍ଗି ଭୋଟର ହିସାବରେ ମୋଟ ୨,୪୮,୯୩୭ ଜଣ ଭୋଟରଙ୍କ ପାଇଁ ମତଦାନର ବ୍ଯବସ୍ଥା ରହିଥିଲା ବେଳେ ୧,୬୦,୩୯୯ (୬୪.୪୩%) ଭୋଟର ଭୋଟ ଦେଇଥିଲେ । ସେଥି ମଧ୍ୟରୁ ୭୬,୦୬୨ ଜଣ ପୁରୁଷ , ୮୪୩୩୫ ଜଣ ମହିଳା ଓ ୨ ଜଣ ତୃତୀୟ ଲିଙ୍ଗି ଭୋଟର ସେମାନଙ୍କ ମତଦାନ କରିଥିଲେ । ଏଥର ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ମତଦାନ କରିଥିବା ବେଳେ ସେମାନଙ୍କ ଭୋଟ କେଉଁ ଦଳ ସପକ୍ଷରେ ଯାଇଛି ତାହା ଅସ୍ପଷ୍ଟ ରହିଛି । ଯୁବ ଓ ନବ ଭୋଟରଙ୍କ ମତଦାନ କେଉଁ ପ୍ରାର୍ଥୀ ପ୍ରତି ଅଧିକ ହୋଇଛି ସେନେଇ ଆକଳନ କରିବା ମୁସ୍କିଲ୍ ହୋଇପଡିଛି । ଭୋଟରଙ୍କୁ ପ୍ରଲୋଭିତ ପାଇଁ ଅନ୍ଧାରି ବିଜେ କାର୍ଯ୍ୟ କେତେ ଫାଇଦା ଦେଇଛି ତାହାର ହିସାବ ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି । ତଥାପି ଦଳୀୟ ପ୍ରାର୍ଥୀଙ୍କ ମନ ବୁଝୁନଥିବାରୁ ବିଜୟ ଆଶା ରଖି ବାରମ୍ବାର ଯୋଗ ଓ ବିୟୋଗର ସୂତ୍ର ପ୍ରୟୋଗ କରି ଅଙ୍କ କଷିବା ବନ୍ଦ କରୁନାହାନ୍ତି । ତେବେ ନେତାଙ୍କ ହୃଦସ୍ଫନ୍ଦନ ଓ ଜନତାଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିବା ବେଳେ ଜୁନ୍ ୪ ତାରିଖ ଦିନ ଭୋଟ ଗଣତି ପରେ ଏହାର ଅବସାନ ଘଟିବା ସହ କିଏ ବିଜୟୀ ହେବ ତାହା ସ୍ପଷ୍ଟ ହୋଇଯିବ।