November 22, 2024

କାଶୀନଗର ଠାରେ ଆଇଏଫଟିୟୁ ଓ ଏଆଇକେଏମଏସ୍ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳନ !

Share

ଆଜି କାଶୀନଗର ଠାରେ ଶ୍ରମିକ ଓ କୃଷକମାନଙ୍କ ପକ୍ଷରୁ ୧୩୮ତମ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଥିଲା । ପୂର୍ବାହ୍ନରେ କାଶୀନଗର ବଜାର ଠାରୁ ଏକ ଶୋଭାଯାତ୍ରାରେ ଶ୍ରମିକ ଓ କୃଷକମାନେ ବିଭିନ୍ନ ସ୍ଳୋଗାନ ଦେଇ ସହର ପରିକ୍ରମା କରିବା ସହ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଛକ ଠାରେ ଏକ ପଥପ୍ରାନ୍ତ ସଭା କରିଥିଲେ । ସର୍ବଭାରତୀୟ ଶ୍ରମିକ ସଂଗଠନ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଟ୍ରେଡ ୟୁନିଅନ୍ ଓ କୃଷକ ସଂଗଠନ ଅଖିଳ ଭାରତ କିଶାନ୍ ମଜଦୂର ସଭା (ଏଆଇକେଏମଏସ୍) ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସଂଗଠନର ଜିଲ୍ଲା କମିଟି ସଦସ୍ୟ ସମ୍ଵୁରା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ଏଆଇକେଏମଏସ୍ ଜିଲ୍ଲା ସମ୍ପାଦକ କେଦାର ଶବର ନିଜର ବକ୍ତବ୍ୟ ରଖି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରେ ଶ୍ରମିକମାନେ ଯେଉଁ ପୁଞ୍ଜିର ଶୋଷଣ ବିରୁଦ୍ଧରେ ଐତିହାସିକ ସଂଗ୍ରାମ କରିଥିଲେ, ତାହା ଆଜି ବି ଅସମାପ୍ତ ରହିଛି ବୋଲି କହିଥିଲେ । ଭାରତର ଶ୍ରମିକ ଶ୍ରେଣୀର ଅନେକ ରକ୍ତକ୍ଷୟୀ ଲଢେଇ ଫଳରେ ଯେଉଁ ୪୪ଟି ଶ୍ରମ ଆଇନ ତିଆରି ହୋଇଥିଲା, ତାକୁ ମୋଦି ସରକାର ପୁଞ୍ଜିପତିଙ୍କ ସ୍ଵାର୍ଥରେ ଉଚ୍ଛେଦ କରିବାକୁ ବସିଛି ବୋଲି କହିଥିଲେ । ସରକାର ଶ୍ରମ ଆଇନ ବଦଳରେ ଯେଉଁ ଚାରୋଟି ଶ୍ରମକୋଡ୍ ଆଣିଛନ୍ତି, ତାହା ଶ୍ରମିକମାନଙ୍କ ଅଧିକାରକୁ ସମାପ୍ତ କରି ପୁଞ୍ଜିପତିଙ୍କ ଶୋଷଣ ଓ ଅତ୍ୟାଚାରର ବାଟ ଖୋଲିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କିଶାନ୍ ମଜଦୂର ସଭା (AIKMS) ଜିଲ୍ଲା କମିଟିର ସଭ୍ୟ କାଡୁକା ଶବର, ବ୍ଲକ କମିଟି ସଭ୍ୟ ଜୁନେସ ମେଦିଙ୍କ ଶତାଧିକ ପୁରୁଷ ଓ ମହିଳା ଶ୍ରମିକ ଯୋଗ ଦେଇଥିଲେ ।