ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଉଦୟଗିରି ଗସ୍ତ, ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଦେଲେ ଗୁରୁମନ୍ତ୍ର …..
ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଳକର ସଦର ମହକୁମାରେ ଥିବା ନିର୍ମାଣ ଶ୍ରମିକ ସଂଘର ସଭା ଗୃହରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ବୈଠକରେ ଯୋଗ ଦେଇଥିବା ବେଳେ, ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଳକର ଶତାଧିକ କର୍ମୀ ଏହି ବୈଠକରେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାରେ ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ, ପାରଳାଖେମୁଣ୍ଡିରେ ବିଜେପି ଏବଂ ମୋହନାରେ କଂଗ୍ରେସ ବିଧାୟକ ରହିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ଯାକ ଆସନ ଯେମିତି ବିଜେଡି ଅକ୍ତିଆର କରିବ, ସେ ନେଇ ଦଳୀୟ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ମନ୍ତ୍ରୀ ଶ୍ରୀ ନାୟକ । ତୃଣମୂଳ ସ୍ତରରୁ ଦଳକୁ କିପରି ମଜବୁତ୍ କରାଯାଇ ବିପୁଳ ପରିମାଣର ଭୋଟରେ ଦଳ ବିଜୟ ହାସଲ୍ କରିବ ସେଥିପାଇଁ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାଶ ଉପସ୍ଥିତ କର୍ମୀ ମାନଙ୍କୁ ନିବେଦନ କରିବା ସହ, ସମସ୍ତେ ମିଳିମିଶି କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମୋହନା ବ୍ଳକ୍ ଅଧ୍ୟକ୍ଷ ରଞ୍ଜିବ ଶବର,ଉଦୟଗିରି ବ୍ଳକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ବିଜେଡି ଜିଲ୍ଲା ଉପ-ସଭାପତି ଜେମସ ରାଇକା, ଦଣ୍ଡାସି ସାହୁ, ନଆଗଡ ଓ ଉଦୟଗିରି ବ୍ଳକ୍ ସଭାପତି ଯୋହନ ମାଝୀ ଓ ଭିମ ପାଇକ, ଆଦିବାସୀ ଉନ୍ନୟନ କମିଟିର ସଦସ୍ୟ ଅନ୍ତର୍ଯ୍ୟାମୀ ଗମାଙ୍ଗ ଏବଂ ବିଭିନ୍ନ ବ୍ଳକର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ବିଜୁ ଜନତା ଦଳର ଟାଣୁଆ କର୍ମୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସ ଦଳର ଅନେକ କର୍ମୀ ବିଜେଡି ଦଳରେ ସାମିଲ ହୋଇଥିଲେ ।
( ମିହିର ପ୍ରସାଦ ମାଳୀ)