May 24, 2025

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବିଜେପିର ଗଣଧାରଣା ।।

Share

 

କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ସବଡିଭିଜନ ହସ୍ପିଟାଲର ମାନ୍ୟତା ପ୍ରଦାନ କରିଥିଲେ ମଧ୍ୟ ଦୀର୍ଘଦିନ ହେବ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଗୁଡିକରେ ନିଯୁକ୍ତି ଦିଆଯାଇନଥିବା ଅଭିଯୋଗ କରି ପଟ୍ଟାମୁଣ୍ଡାଇ ବିଜେପି ରାଜରାସ୍ତାକୁ ଓଲ୍‌ହାଇଛି । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ଶ୍ରୀରାମମନ୍ଦିର ସମ୍ମୁଖ ଯଜ୍ଞ ପଡିଆରେ ଧାରଣା ଦେଇଥିଲେ । ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସାଧାରଣସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଆଲୋଚନା କରିବା ସହିତ ଗରିବ ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ଲାଗୁ ନକରିବା ଘଟଣାର କଡା ସମାଲୋଚନା କରିଥିଲେ । ରାଜ୍ୟ ବିଜେପି କାର୍ଯ୍ୟକାରୀଣୀ ସଦସ୍ୟ ତଥା ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଅଧ୍ୟାପକ ଭୁବନ ମୋହନ ଜେନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆବଶ୍ୟକ ଡାକ୍ତର ନିଯୁକ୍ତି ନଦେଇ ସ୍ୱାସ୍ଥ୍ୟକେନ୍ଦ୍ରର ରୂପରଙ୍ଗ ବଦଳାଇବା ଓ ସବଡିଭିଜନ ହସ୍ପିଟାଲ ମାନ୍ୟତା ଦେବାର କୌଣସି ମୂଲ୍ୟ ନାହିଁ । ପଟ୍ଟାମୁଣ୍ଡାଇ ଅଂଚଳବାସୀ ବିଭିନ୍ନ ସମସ୍ୟା ସମାଧାନ କରିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସରକାର ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଓଡିଶାରେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ଦାବୀ କରିଥିଲେ । ସଭା ପରେ ବିଜେପି ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ସବଡିଭିଜନ ହସ୍ପିଟାଲ ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କୁ ପ୍ରଦାନ କରାଯାଇଥିଲା ।।

ରିପୋର୍ଟ -ଗୋକୁଳ