November 15, 2024

ଶିଶୁ କଲ୍ୟାଣ କମିଟି (CWC) ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ରେ ଅନିୟମିତତା* *ବାହାର ଜିଲ୍ଲାର ଲୋକଙ୍କୁ ନିଯୁକ୍ତି: ବ୍ୟାପକ ଦୁର୍ନୀତି ଅଭିଯୋଗ: ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ

Share

 

(ଉମରକୋଟରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ୍)

ବାରମ୍ବାର ଅଭିଯୋଗ ସତ୍ତ୍ୱେ ନବରଙ୍ଗପୁର ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ପଦବୀରେ ପୁଣି ଥରେ ବାହାର ଜିଲ୍ଲା ର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ବହୁ ଦୂର ଜିଲ୍ଲାର ଲୋକଙ୍କୁ ନିଯୁକ୍ତି ଦେବା ପରେ ସେମାନେ ନିଜ କାର୍ଯ୍ୟରେ ଯୋଗ ଦେଉ ନାହାଁନ୍ତି। ଛଅ ସାତ ମାସରେ ଥରେ ଅଫିସ ଆସି ଉପସ୍ଥାନ ଖାତାରେ ଦସ୍ତଖତ ଦେଉଥିବା ଅଭିଯୋଗ ହେଉଛି । ବିନା କାମରେ ଦରମା ନେଇ ସରକାରଙ୍କ ବିପୁଳ ଅର୍ଥ ନଷ୍ଟ କରୁଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ର ଅନେକ ବରିଷ୍ଠ ଓ ଦକ୍ଷ ଆଇନଜୀବୀ ମାନେ ଏହି ପଦବୀ ପାଇଁ ସାକ୍ଷାତକାର ଦେଇଥିଲେ ମଧ୍ୟ ସେମାନଙ୍କ ଦକ୍ଷତାକୁ ଚୟନ କମିଟି କେଉଁ କାରଣରୁ ମୂଲ୍ୟାଙ୍କନ କରିପାରିଲା ନାହିଁ, ତାହା ଚୟନ କମିଟି ର ଭୂମିକାକୁ ସନ୍ଦେହ ସୃଷ୍ଟି କରିଛି। ଆଇନଜୀବୀ ମାନଙ୍କ ବ୍ୟତୀତ ନବରଙ୍ଗପୁର ଜିଲ୍ଲାର ଶିଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିଜ୍ଞତା ଥିବା ଅନେକ ମହିଳା ଓ ପୁରୁଷ ଏହି ପଦବୀ ପାଇଁ ସାକ୍ଷାତକାର ଦେଇଥିଲେ। ସେମାନଙ୍କ ଅଭିଜ୍ଞତା କୁ ଚୟନ କମିଟି ଦୃଷ୍ଟି କୁ ନେଇ ନାହିଁ। ସାକ୍ଷାତକାର ପୂର୍ବରୁ ଚୟନ କମିଟି କୁ ନବରଙ୍ଗପୁର ଜିଲ୍ଲାର ଆବେଦନକାରୀ ଙ୍କୁ ନିଯୁକ୍ତି ଦେବା ପାଇଁ ଅନୂରୋଧ କରାଯିବା ସହ ବାହାର ଜିଲ୍ଲା ର ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଲିଖିତ ଅଭିଯୋଗ ଦିଆଯାଇଥିଲା। କିନ୍ତୁ ଏହି ଅଭିଯୋଗକୁ କୌଣସି ଗୁରୁତ୍ଵ ନଦେଇ ବରଗଡ଼ ଜିଲ୍ଲାର ମହିଳା ଙ୍କୁ ଅଧ୍ୟକ୍ଷ ଭାବେ ଓ ସୋନପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ବ୍ୟକ୍ତି ମାନଙ୍କୁ ସଦସ୍ୟ ପଦବୀରେ ନିଯୁକ୍ତି ଦିଆଯାଇଛି। ଦୋଷ ଛଡ଼ାଇବା ପାଇଁ ନବରଙ୍ଗପୁର ଜିଲ୍ଲା ର ଜଣେ ମାତ୍ର ବ୍ୟକ୍ତି ଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅନୁଯାୟୀ ନିଯୁକ୍ତି ପାଇଥିବା ଦୁଇ ଜଣ ସାକ୍ଷାତକାର ଦିନ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ମଧ୍ୟ ସାକ୍ଷାତକାର ଦେଇଥିବା ଜଣାଯାଇଛି, ଯାହାକି ସେହି କାର୍ଯ୍ୟାଳୟ ର ସି. ସି. ଟିଭି ଯାଞ୍ଚ କଲେ ଏହାର ସତ୍ୟତା ଜଣାପଡ଼ିବ । ଏହି ଚୟନ ପ୍ରକିୟା ରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣି ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ଏବଂ ଆବେଦନକାରୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ, ୫ଟି ରୂପାନ୍ତରିକରଣ ସଚିବଙ୍କୁ ଦେଇ ଏହାର ବିହୀତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି। ଏହାସହ ଅତି ଶୀଘ୍ର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି। ବାହାର ଜିଲ୍ଲା ର ଲୋକ ନିଯୁକ୍ତି ପାଇବା କାରଣ ରୁ ନବରଙ୍ଗପୁର ଜିଲ୍ଲାର ଅଭିଜ୍ଞ ଆବେଦନକାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଛନ୍ତି, ତା’ ସହ ଜିଲ୍ଲା ର ଶିଶୁ ମାନେ ଉଚିତ ନ୍ୟାୟ ପାଇ ପାରୁ ନାହାନ୍ତି। ନବରଙ୍ଗପୁର ଜିଲ୍ଲା ର ବିଧାୟକ, ସାଂସଦ ଓ ଅନ୍ୟ ଜନ ପ୍ରତିନିଧି ମାନେ ନିଜ ଜିଲ୍ଲା ରେ କଣ ଘଟୁଛି ଜାଣି ପାରୁନାହାଁନ୍ତି। ନିଜ ଜିଲ୍ଲାର ସରକାରୀ ଅନୁଷ୍ଠାନରେ ନିଜ ଜିଲ୍ଲାର ଲୋକ ନିଯୁକ୍ତି ପାଇବା ପାଇଁ ଜନ ପ୍ରତିନିଧି ମାନେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ରାମ ପ୍ରସାଦ ପାତ୍ର ଅଭିଯୋଗ କରିଛନ୍ତି। ଜିଲ୍ଲା ର ଶିଶୁ ମାନଙ୍କ ନିକଟରେ ସରକାର ଙ୍କ ଯୋଜନା କିଭଳି ପହଞ୍ଚି ପାରିବ ସେଥିରେ ଏହି ଜନ ପ୍ରତିନିଧି ମାନଙ୍କ କିଛି ଯାଏ ଆସେ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି।