January 9, 2025

ବିଶ୍ବ ଶାନ୍ତି ପ୍ରାର୍ଥନା ଦିବସ ଅନୁଷ୍ଠିତ..

Share

ଆଜି ଅପରାହ୍ନରେ ଶରଧାବାଲି ସ୍ଥିତ ରେଦଶଅବତାର ମଠ ସମ୍ମୁଖରେ ଦିବ୍ୟ ଜୀବନ ସଙ୍ଘ କେନ୍ଦ୍ରାପଡା ଶାଖା ପକ୍ଷରୁ ବିଶ୍ୱ ଶାନ୍ତି ପ୍ରାର୍ଥନା ଦିବସ ଅନୁଷ୍ଠିତ ହୋଇଥିଲା l ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ସଙ୍ଘ ପକ୍ଷରୁ ଏହି ଦିବସ ଅନୁଷ୍ଠିତ ହୋଇଥାଏ l ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ବତୀ ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ, ପରମହଂସ ପ୍ରଜ୍ଞାନାନନ୍ଦ ଗିରି ଯୋଗଦାନ କରି ପ୍ରାର୍ଥନାର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ l ପୂଜ୍ୟାମା କହିଥିଲେ ଯେ ବର୍ତ୍ତମାନ ବିଶ୍ୱର ଅବସ୍ଥା ଦେଖି ଜଣେ ସାମାନ୍ୟ ସଚେତନ ବ୍ୟକ୍ତି ମଧ୍ୟ ଧର୍ଯ୍ୟ ଧରିପାରିବ ନାହିଁ l ଆମର ଏକମାତ୍ର ବଳ ହେଉଛି ବ୍ୟାକୁଳ ଭାବେ ପ୍ରଭୁଙ୍କୁ ପ୍ରାର୍ଥନା କରିବା l ତାଙ୍କ ବିଶ୍ୱକୁ ସେ ରକ୍ଷା କରନ୍ତୁ l ବିଶ୍ୱରେ ଶ୍ରଦ୍ଧା, ପ୍ରେମ, ଶାନ୍ତି ପ୍ରତିଷ୍ଠିତ ହେଉ l ସମସ୍ତଙ୍କ ପ୍ରତି ଭଲ ପାଇବା ରହୁ l ତାହେଲେ ବିଶ୍ୱ ଶାନ୍ତି ହେବ ବୋଲି କହିଥିଲେ l ପ୍ରାର୍ଥନା ହେଉଛି ଭଗବତ ସାନ୍ନିଧ୍ୟ l ମନକୁ ଭଗବତ ଭାବରେ ସଂଯୋଜିତ କରି ଦେବାହିଁ ପ୍ରାର୍ଥନା l ମନକୁ ଭଗବାନଙ୍କ ଠାରେ ନିବିଦ୍ଧ କରିବାର ନାମ ପ୍ରାର୍ଥନା l ଭଗବତ ଧ୍ୟାନର ନାମ ପ୍ରାର୍ଥନା l ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଦେବା ହିଁ ପ୍ରାର୍ଥନା l ମନ ଓ ଅହଂଭାବକୁ ନୀରବରେ ଭଗବାନଙ୍କ ପାଦରେ ଲୀନ କରାଇ ଦେବାକୁ ପ୍ରାର୍ଥନା କୁହାଯାଏ l ପ୍ରାର୍ଥନା ହେଉଛି ଭଗବାନଙ୍କ ସହିତ ଅହଂ ଚେତନାର ପ୍ରତ୍ୟେକ୍ଷ ଯୋଗ ସୂଚାଉଥିବା ଅତୀନ୍ଦ୍ରିୟ ସ୍ଥିତିର ଏକ ନିଦର୍ଶନ ବୋଲି କୁହାଯାଇଥିଲା l ସଂଘର ସମ୍ପାଦକ ହେମନ୍ତ କୁମାର ପରିଡା, ବ୍ରହ୍ମଚାରୀ ନୃସିଂହ ଦାସ, ବଳଦେବ ସେନାର ମୁଖ୍ୟ ପୁପୁନ ସ୍ୱାଇଁ, ମନମୋହନ ଦାସ ପ୍ରମୁଖ ପ୍ରାର୍ଥନା ଦିବସ ପରିଚାଳନା କରିଥିଲେ l ବହୁ ସାଧୁସନ୍ଥ ଯୋଗଦାନ କରି ପ୍ରାର୍ଥନା କରିଥିଲେ l କାର୍ଯ୍ୟକ୍ରମ ରେ ଦିବ୍ୟ ଜୀବନ ସଂଘ ସହ ପ୍ରଜ୍ଞାନ ମିଶନ ହରିହରାନନ୍ଦ ଗୁରୁକୂଳ ଆଶ୍ରମ ଓ ସାଧୁ ସନ୍ଥ ମାନେ ଯୋଗ ଦେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ