April 25, 2026

ପଟ୍ଟଚିତ୍ର ସଚେତନତା କର୍ମଶାଳା ଓ ପ୍ରଦର୍ଶନୀ 

IMG-20251201-WA0136
Share

 

ପୁରୀ ,

ଭାରତ ସରକାରଙ୍କ ବିକାଶ ଆୟୁକ୍ତ ହସ୍ତଶିଳ୍ପ ବିଭାଗ ପ୍ରାୟୋଜିତ ଏବଂ ହସ୍ତଶିଳ୍ପ ପଟ୍ଟଚିତ୍ର ଉତ୍ପାଦକ କମ୍ପାନୀ ଲିମିଟେଡ୍,ଐତିହ୍ୟଗ୍ରାମ ରଘୁରାଜପୁର ପକ୍ଷରୁ ପଟ୍ଟଚିତ୍ର କୁ ନେଇ ଏକ ତ୍ରିଦିବସୀୟ କର୍ମଶାଳା ଓ ପ୍ରଦର୍ଶନୀ ସ୍ଥାନୀୟ ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି I ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିଶ୍ଵନାଥ ସ୍ଵାଇଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶିକା ସଂଯୁକ୍ତା ପ୍ରଧାନ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ I ଶିଳ୍ପୀଗୁରୁ ଦୀନବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ I ଅନ୍ୟତମ ଅତିଥିଭାବେ ଶିଳ୍ପୀଗୁରୁ ବିଜୟ କୁମାର ପରିଡ଼ା, ଜାତୀୟ ପୁରସ୍କାରପ୍ରାପ୍ତ ପଟ୍ଟଚିତ୍ର ଗୁରୁ ରବିନ୍ଦ୍ର କୁମାର ବେହେରା, ଜାତୀୟ ପୁରସ୍କାରପ୍ରାପ୍ତ ପଟ୍ଟଚିତ୍ର ଗୁରୁ ଶରତ କୁମାର ସାହୁ, ଭାରତ ସରକାରଙ୍କ ହସ୍ତଶିଳ୍ପ ପ୍ରବନ୍ଧନ ଅଧିକାରୀ ବୀର ଭରତ ମାରାଣ୍ଡି ଏବଂ ପୁରୀ କ୍ରିଏଟିଭ କୋ ଅପରେଟିଭ ସୋସାଇଟି ର ସଭାପତି ଦେବୀ ପ୍ରସନ୍ନ ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ I ଅତିଥି ମାନେ ପଟ୍ଟଚିତ୍ର ର ଅତୀତ ,ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ସହ ଏହାର ମୌଳିକତା କିପରି ବଜାୟ ରହିବ ଏବଂ ପ୍ରାଚୀନ ଅଙ୍କନ ଶୈଳୀର ଆଧାରରେ ପାରମ୍ପରିକ ପ୍ରାକୃତିକ ରଙ୍ଗର ବ୍ୟବହାର ଉପରେ ଗୁରୁତ୍ଵ ଆରୋପ କରିଥିଲେ I ବିଭିନ୍ନ ମଠ, ମନ୍ଦିର ଓ ରାଜପ୍ରାସାଦର ପାରମ୍ପରିକ ଚିତ୍ର ଅନୁଧ୍ୟାନ କରି ସେହି ଶୈଳୀକୁ ଆପଣାଇବା ପାଇଁ ଉତ୍ସାହିତ କରିଥିଲେ I ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ସଭା କୁ ସଞ୍ଚାଳନ କରିଥିଲେ I ଅନୁଷ୍ଠାନର ଉପଦେଷ୍ଟା ଡକ୍ଟର ବିପିନ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ‘ଅଭିନ୍ନସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ’, ରଘୁରାଜପୁର ପକ୍ଷରୁ ଗୁରୁ ଲକ୍ଷ୍ମଣ ମହାରଣାଙ୍କ ନିର୍ଦ୍ଦେଶନାରେ ଶିଳ୍ପୀ ମାନେ ଗୋଟିପୁଅ ନୃତ୍ୟ ରେ ମଙ୍ଗଳାଚରଣ, ଅଭିନୟ ଏବଂ ବନ୍ଧ ନୃତ୍ୟ ପରିବେଷଣ କରିଥିଲେ I ପ୍ରକାଶ ଥାଉକି, କର୍ମଶାଳାରେ ପୁରୀସଦର ବ୍ଲକ ରୁ କୋଡ଼ିଏ ଜଣ ଶିଳ୍ପୀ ଯୋଗଦେଇ ଅଂଶଗ୍ରହଣ କରିଛନ୍ତି I ଆସନ୍ତା ତିନି ତାରିଖରେ ହେବାକୁ ଯାଉଥିବା ଉଦଯାପନୀ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣକାରୀ ଙ୍କର ଚିତ୍ର ସବୁ ପ୍ରଦର୍ଶିତ ହେବା ସହ

ଶିଳ୍ପୀମାନଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯିବ I

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l