ସୀତାକୁଣ୍ଡର ପୁନର୍ବିକାଶ ଓ ଚିତ୍ରକୋଣ୍ଡାରେ ଜାଫ୍ରା ଚାଷର ବିକାଶ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ଗସ୍ତ
*ମାଲକାନଗିରି,
ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର କାୟାକଳ୍ପ ଏବଂ କୃଷକମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ଗସ୍ତ ଅନୁଷ୍ଠିତ ହୋଇଯାଇଛି। ଖଇରପୁଟ ବ୍ଲକ୍ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ସୀତାକୁଣ୍ଡର ଐତିହାସିକ, ସାଂସ୍କୃତିକ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖି ଏହାର ସର୍ବାଙ୍ଗୀନ ପୁନର୍ବିକାଶ ପାଇଁ ଜିଲ୍ଲାପାଳଙ୍କ ସହ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର କର୍ମକର୍ତ୍ତା, ଉତ୍କଳ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ବୃନ୍ଦ ଏବଂ ଭୁବନେଶ୍ୱରରୁ ଆସିଥିବା ଆର୍କିଟେକ୍ଟ ବିଶେଷଜ୍ଞ ଟିମ୍ ସାଇଟ୍ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଜିଲ୍ଲାପାଳ ଭୌତିକ ଭିତ୍ତିଭୂମି, ସୌନ୍ଦର୍ଯ୍ୟୀକରଣ, ପର୍ଯ୍ୟଟକଙ୍କ ସୁବିଧା ଏବଂ ପରିବେଶ-ଅନୁକୂଳ ପୁନର୍ବିକାଶ ମାଷ୍ଟର ପ୍ଲାନ୍ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଏହା ପରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରଶାସନିକ ଟିମ୍ ଚିତ୍ରକୋଣ୍ଡା ବ୍ଲକର ପୋପଲୁର ଗ୍ରାମ ପରିଦର୍ଶନ କରି ସ୍ଥାନୀୟ ଜାଫ୍ରା ଚାଷର ସମୀକ୍ଷା କରିଥିଲେ। ଚାଷୀମାନେ ଯେପରି କେବଳ ମଣ୍ଡି କିମ୍ବା ବାହାର ରାଜ୍ୟର ବ୍ୟବସାୟୀଙ୍କ ଉପରେ ନିର୍ଭର ନକରି ସିଧାସଳଖ ଅଧିକ ଲାଭବାନ ହୋଇପାରିବେ, ସେଥିପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଚାଷୀ ସହଯୋଗୀ କୃଷି ସଂସ୍ଥାର ପ୍ରତିନିଧିମାନଙ୍କ ସହ ସହଭାଗିତା ସ୍ଥାପନ କରାଯାଇଛି। ଏହି କମ୍ପାନୀ ଜାଫ୍ରାରୁ ଗୁଣ୍ଡ ଏବଂ କ୍ରିଷ୍ଟାଲ୍ ପରି ମୂଲ୍ୟବର୍ଦ୍ଧିତ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରିବ, ଯାହା ଦ୍ୱାରା ଚାଷୀଙ୍କୁ ସିଧାସଳଖ ଆର୍ଥିକ ଲାଭ ମିଳିପାରିବ।
ଏହି ଅବସରରେ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ସୀତାକୁଣ୍ଡର ପ୍ରାକୃତିକ ଐତିହ୍ୟକୁ ସୁରକ୍ଷିତ ରଖି ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ସହ ଚିତ୍ରକୋଣ୍ଡାର ଜାଫ୍ରା ଚାଷୀଙ୍କ ମୂଲ୍ୟ ସଂଯୋଗ ମାଧ୍ୟମରେ ସେମାନଙ୍କ ରୋଜଗାର ବୃଦ୍ଧି କରିବା ଆମର ମୁଖ୍ୟ ଲକ୍ଷ୍ୟ।
ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥୀ ସାରବୂ, ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅର୍ପିତା ମହାନ୍ତି, ଚିତ୍ରକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତା କୁମାର ଏବଂ ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ସ୍ୱୟଂ ସିଦ୍ଧ ରାଉତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
